ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀରଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶ୍ରୁତି ଥିଲା, ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା। ଆଉ ଆଜି ଆମେ ସେହି ଲକ୍ଷ୍ୟ ପୁରଣ କରିଛୁ। ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଓଡ଼ିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ଏଠାରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି ଏବଂ ଜିଲ୍ଲାର ବିକାଶ ବି ତିନିଗୁଣ ବେଗରେ ଚାଲୁଛି ଓ ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଆମ ଦେଶ ତା’ର ଅନନ୍ୟ କୃଷି ପ୍ରଣାଳୀ ପାଇଁ ସାରା ବିଶ୍ବରେ ପ୍ରଶଂସିତ। ଆମ ରାଜ୍ୟର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଏବଂ ଆନୁସଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ। ମେ ମାସସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସେ ବାବଦକୁ ଡିବିଟି ମାଧ୍ୟମରେ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି। ରାଜ୍ୟରେ କୃଷିର ବିକାଶ ପାଇଁ ଅଧିକରୁ ଅଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ। ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ।
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ସମ୍ବନ୍ଧୀୟ କାର୍ଯ୍ୟପ୍ରଣାଳୀର ବିବରଣୀ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ଏବଂ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି। ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି। ସିଏମ୍ କିଷାନ୍ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଗତ ଅକ୍ଷୟ ତୃତୀୟା ଅବସରରେ ୨, ୩୮୧ ଜଣ ବିଶେଷ ଭାବେ ଅନୁନ୍ନତ(ପିଭିଟିଜି) ଚାଷୀ ଏବଂ ୨୫, ୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧, ୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି। ଆହୁରି ମଧ୍ୟ ଚାଷୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପସ୍ବରୂପ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନ-ସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛି। ଏହା ସହିତ ବଳଭଦ୍ର ଜୈବିକ ଚାଷ ମିଶନ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି ଏବଂ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ। ସେ ଆହୁରି କହିଛନ୍ତି ଯେ, ୨୦୩୬ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛୁ। ପ୍ରଧାନମନ୍ତ୍ରୀ ମଧ୍ୟ ୨୦୪୭ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଉଭୟ ରାଜ୍ୟ ଓ ଦେଶର ଏହି ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସଫଳ ଚାଷୀଙ୍କୁ ପୁରସ୍କୃତ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ନିଜ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ୍, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସ୍ୱାଗତ ଭାଷଣ ଦେଇଥିବାବେଳେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଲ୍ୱର ଧନ୍ୟବାଦ ଦେଇଥିଲେ।



