www.samajalive.in
Thursday, December 11, 2025
15.1 C
Bhubaneswar

ଏକାଧିକ ପହିଲମାନ ଆହତ ; ପଦକ ଫେରାଇବାକୁ ଧମକ

ନୂଆଦିଲ୍ଲୀ : ଯନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଧାରଣାକୁ ନେଇ ବିବାଦ ବଢିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପରେରେ ଧାରଣାରତ କୁସ୍ତିଯୋଦ୍ଧାମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି। ଗୁରୁବାର ଧାରଣାରତ କୁସ୍ତିଯୋଦ୍ଧାମାନେ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନକୁ ଦୃଢ ବିରୋଧ କରିଛନ୍ତି। ଅଲିମ୍ପିକ୍‌ସ ପଦକ ବିଜେତା ବଜରଙ୍ଗ ପୁନିଆ କହିଛନ୍ତି, ଏ ଲଢେଇ ସରକାରଙ୍କ ବିରୁଦ୍ଧରେ ନୁହେଁ; ଆମ ଲଢେଇ ବ୍ରିଜଭୂଷଣ ଶରଣ ସିଂହଙ୍କ ସହ। ଯଦି ଖେଳାଳିଙ୍କ ଶୁଣାଣି ହୋଇପାରିବ ନାହିଁ; ସେମାନଙ୍କୁ ନ୍ୟାୟ ମିଳିବ ନାହିଁ ତେବେ‌ ତାଙ୍କ ପଦକ ଓ ପୁରସ୍କାର ସରକାର ଫେରାଇ ନିଅନ୍ତୁ ବୋଲି ବଜରଙ୍ଗ କହିଛନ୍ତି।
ଆମେ ଆମ ପଦକକୁ ସରକାରଙ୍କୁ ଫେରାଇ ଦେବୁ; ଏମିତି ପଦକ ରଖି ଆମେ କରିବୁ କଣ ବୋଲି ବିନେଶ ଫୋଗତ କହିଛନ୍ତି। ନ୍ୟାୟ ପାଇଁ ଲଢେଇ କରୁଥିବା କ୍ରୀଡ଼ାବିତ୍‌ମାନଙ୍କ ପ୍ରତି ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। ସରକାର ପ୍ରଦାନ କରିଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇ ନିଅନ୍ତୁ ବୋଲି ସାକ୍ଷୀ ମଲ୍ଲିକ କହିଛନ୍ତି। ଯନ୍ତର ମନ୍ତରରେ ଧାରଣାରେ ବସିଥିବା କୁସ୍ତିବିତ୍‌ମାନଙ୍କ ଉପରେ ଦିଲ୍ଲୀ ପୁଲିସ ବୁଧବାର ରାତି ୧୧ଟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟମ କରିଥିଲା। ଫଳରେ କୁସ୍ତିଯୋଦ୍ଧା ଓ ପୁଲିସ ମଧ୍ୟରେ ଠେଲାପେଲା ହୋଇଥିଲା। ବର୍ଷା ହୋଇଥିବାରୁ ଧାରଣାରତ କୁସ୍ତିଯୋଦ୍ଧାମାନଙ୍କୁ ଆପ୍‌ ବିଧାୟକ ସୋମନାଥ ଭାରତୀ ଖଟିଆ ପ୍ରଦାନ କରିଥିଲେ। ରାସ୍ତାକଡରେ ଖଟିଆ ପକାଇବାକୁ ଦିଲ୍ଲୀ ପୁଲିସ କୁସ୍ତିଯୋଦ୍ଧାଙ୍କୁ ବାରଣ କରିଥିଲେ। ଫଳରେ ୨୦ଜଣ କୁସ୍ତିଯୋଦ୍ଧା ଓ ୨୦୦ରୁ ଅଧିକ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ବଜରଙ୍ଗ ପୁନିଆ ଓ ବିନେଶ ଫୋଗତଙ୍କ ସହ ସଙ୍ଗୀତା ଫୋଗତ, ବବିତା ଫୋଗତ, ଦୁଶ୍ୟନ୍ତ ଫୋଗତ ଆହତ ହୋଇଥିଲେ। ପୁଲିସ ବଜରଙ୍ଗ ଓ ଗୀତା ଫୋଗତଙ୍କୁ ଅଟକ ରଖିଥିବାବେଳେ ବିନେଶ ବ୍ୟାରିକେଡ ଡେଇଁ ପଳାଇ ଆସିଥିଲେ। ସେହିପରି ବବିତା ଫୋଗତ, ଦୁଷ୍ମନ୍ତ ଫୋଗତ ଆହତ ହୋଇ ଆରଏମ୍‌ଏଲ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀ ପୁଲିସ କମିଶନର ଧର୍ମେନ୍ଦର କୁମାର ସିଂହଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ମହିଳା କୁସ୍ତିଯୋଦ୍ଧାମାନଙ୍କୁ ପୁରୁଷ ପୁଲିସ କର୍ମଚାରୀ ଠେଲାପେଲା କରିଥିଲେ ବୋଲି ବିନେଶ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ଧାରଣାସ୍ଥଳକୁ ଅନ୍ୟ ବ୍ୟକ୍ତିଙ୍କ ଯାତାୟକ ଉପରେ କଟକଣା ଲାଗୁ କରିଛି। ଉପସ୍ଥିତ ଥିବା କୁସ୍ତିଯୋଦ୍ଧାଙ୍କ ବ୍ୟତୀତ ଅନ୍ୟ କାହାରିକୁ ଯାତାୟତ କରିବା ଉପରେ ପୁଲିସ ରୋକ୍‌ ଲଗାଇଛି।
ସୂଚନାଯୋଗ୍ୟ, ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ଯୌନ ଶୋଷଣ ଓ ଅର୍ଥ ତୋଷରପାତ ଅଭିଯୋଗରେ ଗିରଫ ଦାବି କରି କୁସ୍ତିଯୋଦ୍ଧାମାନେ ଗତ ୨୩ରୁ ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ଘଟଣାର ତଦନ୍ତ ପାଇଁ ଭାରତୀୟ ଅଲିମ୍ପିକ୍‌ସ ସଂଘ ୭ ଜଣିଆ କମିଟି ଗଠନ କରିଥିଲେ ମଧ୍ୟ ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ସର୍ବୋଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ପରେ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ବସିପଡିଛି। ବ୍ରିଜଭୂଷଣ ଗିରଫ ନହେବା ପର୍ଯ୍ୟନ୍ତ ଧାରଣ​‌ା ଜାରି ରହିବ ବୋଲି କୁସ୍ତିଯୋଦ୍ଧାମାନେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories