www.samajalive.in
Friday, December 5, 2025
26.1 C
Bhubaneswar

ଚିନ୍ତାକଳ୍ପ: ଅତୁଳନୀୟ ଶକ୍ତି

ପ୍ରାଚୀନ ଭାରତରେ ପ୍ରଚଳିତ ଥିବା ବାଲ୍ୟ ବିବାହ ପ୍ରଥାର ସବୁଠାରୁ ଅଧିକ ଦୁଷ୍ପରିଣାମ ଝିଅମାନେ ହିଁ ଭୋଗ କରୁଥିଲେ। ଝିଅମାନେ ସଂସାର ଯାତ୍ରା ନିର୍ବାହ କ’ଣ ତାହା ଜାଣିବା ପୂର୍ବରୁ ସେମାନଙ୍କୁ ବିବାହ ବନ୍ଧନରେ ବାନ୍ଧି ଦିଆଯାଉଥିଲା। ୭ା୮ ବର୍ଷର ବାଳିକା ସଂସାର ଧର୍ମ ଜାଣିବା ପୂର୍ବରୁ ଯେ ବିବାହ କରୁଥିଲା ପରବର୍ତ୍ତୀ ସମୟରେ ଦୁର୍ଭାଗ୍ୟବଶତଃ ଯଦି ସ୍ବାମୀଙ୍କର ମୃତ୍ୟୁ ହୋଇଯାଉଥିଲା ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ୁଥିଲା। କାରଣ ବିଧବା ବିବାହକୁ ନିଷିଦ୍ଧ କରାଯାଇଥିଲା ସମାଜରେ। ନିମ୍ନଶ୍ରେଣୀର ବିଧବାମାନେ ଜୀବନ ନିର୍ବାହ ପାଇଁ ମେହେନତ କରିବା ବ୍ୟତୀତ ସେମାନଙ୍କ ସମ୍ମୁଖରେ ଅନ୍ୟ ରାସ୍ତା ନଥିଲା। ତତ୍କାଳୀନ ସମାଜ ବ୍ୟବସ୍ଥାରେ ଏହି ଭାବ ସେମାନଙ୍କ ଜୀବନଯାତ୍ରାକୁ ଅଭିଶପ୍ତ କରିଦେଇଥିଲା। ଅନେକ ବର୍ଷ ପୂର୍ବେ ମଥୁରା ନିକଟବର୍ତ୍ତୀ ଏକ ଗ୍ରାମରେ ଏହି ଭଳି ଜଣେ ବାଲ୍ୟବିଧବା ରହୁଥିଲେ। ପରିବାରରେ ସେ ଏକାକିନୀ ଥିଲେ; ପେଟ ପୋଷିବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚକି ପେଷିବାକୁ ପଡ଼ୁଥିଲା। ଦିନେ ତାଙ୍କର ମନକୁ ଆସିଲା, ଗ୍ରାମରୁ ସହରକୁ ଲମ୍ବି ଯାଇଥିବା ରାସ୍ତାପାର୍ଶ୍ବରେ ଏକ କୂଅ ଖୋଳିବାକୁ। କାରଣ ଏହି ମାର୍ଗରେ ପିଇବା ପାଣିର କିଛି ସୁବିଧା ନଥିଲା। ପଥଚାରୀମାନେ ପାଣି ବିନା ଜଟିଳସ୍ଥିତିର ସମ୍ମୁଖୀନ ହେଉଥିଲେ; ହେଲେ ଏଇ ଇଚ୍ଛା ଫଳବତୀ ହେବା ଆକାଶକୁସୁମ ସଦୃଶ ଥିଲା। କାରଣ ପାଖରେ ସେଭଳି ଧନ ନ ଥିଲା। ଯାହାଦ୍ବାରା କୂଅ ଖୋଳିବାକୁ ସକ୍ଷମ ହେବେ।
ଶେଷରେ ଇଚ୍ଛାକୁ ସାକାର କରିବା ପାଇଁ ଏଭଳି ଏକ ଦୃଢ଼ ନିଷ୍ପତ୍ତି ନେଲେ ଯାହା ଅନ୍ୟମାନଙ୍କ ପାଇଁ ଥିଲା ଏକ ବଳିଷ୍ଠ ଦୃଷ୍ଟାନ୍ତ। ଦିନଭରି ମେହେନତ କରି ମଜୁରି ବାବଦରେ ପ୍ରତ୍ୟହ ଯେଉଁ ୨ଅଣା (ଟଙ୍କାକ ଷୋଳ ଅଣା ହିସାବ କରାଯାଏ) ସେଥିରୁ ଯେମିତି ହେଉ ଦୁଇପଇସା ସଞ୍ଚିବେ। ନିଜ ପାଇଁ ଏଇ କଠୋର ନିୟମକୁ ନିଷ୍ଠାର ସହ ପାଳନ କରିଥିଲେ; ଲକ୍ଷ୍ୟଥିଲା ପରୋପକାର ତୃଷାର୍ତ୍ତ ପଥିକକୁ ଜଳଦାନ ବ୍ୟବସ୍ଥା। ବୃଦ୍ଧାବସ୍ଥାରେ ସେହି ସଞ୍ଚିତ ଅର୍ଥ ଏକହଜାର ଟଙ୍କା ପାଖାପାଖି ହୋଇଯାଇଥିଲା। ଏହି ଅର୍ଥରେ ସେ ଦିଲ୍ଲୀ-ଆଗ୍ରା ରାସ୍ତା ପାର୍ଶ୍ବରେ ଏକ ପକ୍କା କୂଅ ଖୋଳାଇଥିଲେ। ଏହିକୂଅ ତାଙ୍କର ନାମାନୁଯାୟୀ ‘ପିସନ୍‌-ହାରି’ କୂପ ଭାବରେ ନାମିତ ଥିଲା। ସେ ସମୟରେ ପଥଚାରୀଙ୍କ ସଂଖ୍ୟା ସର୍ବାଧିକ ଥିଲା। କାରଣ ଗମନାଗମନ ନିମନ୍ତେ ବିଶେଷ ସୁବିଧା ନଥିଲା। ପଥଚାରୀମାନେ କୂପ ନିକଟରେ ଅଟକି ତୃଷା ନିବାରଣ କରୁଥିଲେ। ଏହାର ସାରବତ୍ତା ହେଲା- ‘ସାଧନ ସୀମିତ ହୋଇପାରେ, ହେଲେ ଯଦି ‘ସଂକଳ୍ପ- ଶକ୍ତି’ ଦୃଢ଼ ତେବେ ଅସମ୍ଭବ ବୋଧ ହେଉଥିବା କାର୍ଯ୍ୟ ସମ୍ଭବ ହୋଇପାରେ, କଠିନ, ଅସହଜ ବୋଧ ହେଉଥିବା କାର୍ଯ୍ୟ ସରଳ ଓ ସହଜ ହୋଇଯାଇଥାଏ। ବାସ୍ତବରେ ଦୃଢ଼ ସଂକଳ୍ପର ଶକ୍ତି ଅକଳ୍ପନୀୟ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories