www.samajalive.in
Monday, December 8, 2025
27.1 C
Bhubaneswar

ଭାରତ ପ୍ରତି ଚୀନର କୋହଳ ମନୋଭାବ: ସୀମା ବିବାଦ ସମ୍ପର୍କର ଏକମାତ୍ର ଆଧାର ନୁହେଁ

ବେଜିଂ: ସୀମା ବିବାଦ ଭାରତ ଓ ଚୀନ ଦ୍ବିପାକ୍ଷିକ ସମ୍ପର୍କର ଏକମାତ୍ର ମାନଦଣ୍ଡ ହେବା ଉଚିତ୍ ନୁହେଁ ବୋଲି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି କହିଛନ୍ତି। ଶୁକ୍ରବାର ବେଜିଂରେ ଆୟୋଜିତ ବୈଦେଶିକ ମନ୍ତ୍ରଣାଳୟର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ୱାଙ୍ଗ କହିଛନ୍ତି ଯେ ସୀମା ବିବାଦ ପ୍ରସଙ୍ଗକୁ ବାଦ୍‌ ଦେଇ ଭାରତ-ଚୀନ ସମ୍ପର୍କର ଅନ୍ୟ ଦିଗକୁ ଗୁରୁତ୍ବ ଦିଆଯିବା ଦରକାର। ଗତବର୍ଷ ରୁଷ୍‌ର କାଜାନାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ବୈଠକ ସଫଳତାର ସହ ଶେଷ ହୋଇଥିଲା। ଏହା ସହିତ ଦୁଇ ଦେଶର ପ୍ରାଚୀନ ସଭ୍ୟତା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ତେଣୁ ଦୁଇଦେଶ ଆପୋସ ଆଲୋଚନା ମାଧ୍ୟମରେ ସୀମା ବିବାଦକୁ ସମାଧାନ କରିବା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ଦରକାର। ଆମେରିକା ସହିତ ଚୀନର ଶୁଳ୍କ ବିବାଦ ଲାଗି ରହିଥିବାବେଳେ ଭାରତ ସହିତ ଉତ୍ତମ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ଲାଗି ଚୀନ ପ୍ରସ୍ତାବ ଦେଇଛି। ୱାଙ୍ଗ କହିଛନ୍ତି ଯେ ଗ୍ଲୋବାଲ ସାଉଥର ଦୁଇ ପ୍ରମୁଖ ରାଷ୍ଟ୍ର ଭାରତ ଓ ଚୀନ ସମ୍ପ୍ରତି ବିଶ୍ବରେ ଚାଲିଥିବା କ୍ଷମତା ରାଜନୀତି ଓ ବିସ୍ତାରବାଦ ନୀତିକୁ ମିଳିତ ବିରୋଧ କରିବା ଦରକାର। ଡ୍ରାଗନ (ଚୀନ) ଓ ହାତୀ (ଭାରତ) ପରସ୍ପରର ବିରୋଧୀ ହେବା ପରିବର୍ତ୍ତେ ପ୍ରତ୍ୟେକ କ୍ଷେତ୍ରରେ ପରସ୍ପରର ସହଯୋଗୀ ହେବା ଉଚିତ୍। ସମ୍ପ୍ରତି ବିଶ୍ବରେ ସାମରିକ ଓ ବାଣିଜ୍ୟିକ ଯୁଦ୍ଧ ଲାଗି ରହିଥିବାବେଳେ ପ୍ରତ୍ୟେକ ରାଷ୍ଟ୍ର ନିଜର ସ୍ଥିତି ବଜାୟ ରଖିବା ଲାଗି ସଂଘର୍ଷ କରୁଛନ୍ତି। ବିଶେଷକରି ଆମେରିକାକୁ ମୁକାବିଲା କରିବା ଲାଗି ପ୍ରତ୍ୟେକ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି। ଆମେରିକା ସହିତ ଚୀନର ବାଣିଜ୍ୟିକ ଲଢେଇ ଚାଲିଥିବାବେଳେ ଏହାକୁ ମୁକାବିଲା ଲାଗି ଚୀନ ଏବେ ଭାରତ ପ୍ରତି କୋହଳ ମନୋଭାବ ପୋଷଣ କରିଛି।
ପୂର୍ବ ଲଦାଖରେ ଦୀର୍ଘ ୫୪ ମାସର ଅଚଳାବସ୍ଥା ପରେ ଭାରତ ଓ ଚୀନ ସୀମାର ବିବାଦୀୟ ଅଞ୍ଚଳରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ସହିତ ସ୍ଥିତାବସ୍ଥା ଫେରାଇ ଆଣିବାରେ ସଫଳ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ୨୩ରେ କାଜାନରେ ମୋଦୀ ଓ ଜିନ୍‌ପିଙ୍ଗ ମଧ୍ୟରେ କଥାବାର୍ତ୍ତା କାଳରେ ସୀମା ବିବାଦର ସମାଧାନ ପାଇଁ ଏକ ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥା ଅନୁଯାୟୀ ଦୁଇଦେଶର ପ୍ରତିନିଧି ନିୟମିତ ବ୍ୟବଧାନରେ ଆଲୋଚନା କରୁଛନ୍ତି। ଗତବର୍ଷ ଡିସେମ୍ବର ୧୮ରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ୱାଙ୍ଗଙ୍କ ମଧ୍ୟରେ ବେଜିଂରେ ସ୍ବତନ୍ତ୍ର ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଥିଲା। ସେହିପରି ଗତ ଜାନୁଆରୀ ୨୬ରେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ବେଜିଂରେ ତାଙ୍କ ଚୀନ ପ୍ରତିପକ୍ଷ ସନ ୱିଡୋଙ୍ଗଙ୍କୁ ଭେଟିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories