ସମାଜ ଡିଜିଟାଲ ଡେସ୍କ: ସାଙ୍ଘାଇ ସମନ୍ୱୟ ସଙ୍ଗଠନ ଶିଖର ସମ୍ମିଳନୀରେ ପ୍ରମୁଖ ପ୍ରସଙ୍ଗ ଥିଲା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ । ଯଦିଓ କୌଣସି ଦେଶ ସିଧାସଳଖ ଆମେରିକାର ନାମ ନେଇ ନଥିଲେ, ପ୍ରାୟ ସମସ୍ତେ ବିଶ୍ୱରେ ଚାଲିଥିବା ଦାଦାଗିରି ପ୍ରସଙ୍ଗ ଉଠାଇଥିଲେ । ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ ପରୋକ୍ଷରେ ଆମେରିକା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ । ସେମାନଙ୍କର ଦାଦାଗିରି ଆଚରଣ ଓ ଧମକାଇବା ଭଳି ସ୍ୱଭାବ ଆଉ ଚଳିବ ନାହିଁ ବୋଲି କହି ସମାଲୋଚନା କରିଥିଲେ ଜିନ୍ପିଙ୍ଗ ।
ସୋମବାର ଶିଖର ସମ୍ମିଳନୀରେ ତାଙ୍କ ଭାଷଣ ସମୟରେ ଜିନ୍ପିଙ୍ଗ କହିଥିଲେ ଯେ ସଦସ୍ୟ ଦେଶମାନଙ୍କ ସାମ୍ନାରେ ଥିବା ସୁରକ୍ଷା ଏବଂ ବିକାଶ ଚ୍ୟାଲେଞ୍ଜଗୁଡିକ ଆହୁରି କଷ୍ଟକର ହୋଇଛି । କୌଣସି ଦେଶର ନାମ ନନେଇ ସେ କହିଛନ୍ତି ଯେ କିଛି ଦେଶ ଦ୍ୱାରା ଗ୍ରହଣ କରାଯାଇଥିବା ଧମକପୂର୍ଣ୍ଣ ମନୋଭାବ ବର୍ତ୍ତମାନର ବିଶ୍ୱ ସଙ୍କଟକୁ ଆହୁରି ଗଭୀର କରୁଛି । ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଅଶାନ୍ତ ଏବଂ ଜଟିଳ ବୋଲି ବର୍ଣ୍ଣନା କରି ଜିନ୍ପିଙ୍ଗ କହିଛନ୍ତି ଯେ ବିଶ୍ୱରେ ଚାଲିଥିବା ଅଶାନ୍ତିରେ ଆମକୁ ସାଂଘାଇର ଆତ୍ମାକୁ ଗ୍ରହଣ କରିବାକୁ ପଡିବ ଏବଂ ସଂଗଠନର ଭୂମିକାକୁ ଉନ୍ନତ କରିବାକୁ ପଡିବ ।



