ମୁମ୍ବଇ : ଛୋଟ ପରଦାର ଶିଶୁ କଳାକାର ଶିବଲେଖ ସିଂହ(୧୪)ଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗୁରୁବାର ଛତିଶଗଡ଼ ରାୟପୁରର ଉପାନ୍ତ ଅଞ୍ଚଳରେ ତାଙ୍କ କାର୍ ଗୋଟିଏ ଟ୍ରକ୍ ସହ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କାର୍ରେ ଶିବଲେଖଙ୍କ ସମେତ ତାଙ୍କ ମାତା-ପିତା ଓ ଅନ୍ୟ ଜଣେ ବ୍ୟକ୍ତି ଥିଲେ। ଦୁର୍ଘଟଣାରେ ସେମାନେ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି। ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଶିବଲେଖ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବାକୁ ପରିବାର ସହ ବିଳାସପୁରରୁ ରାୟପୁର ଯାଉଥିଲେ।

ଶିବଲେଖ ଅନେକ ହିନ୍ଦୀ ଧାରାବାହିକରେ କାମ କରିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି ‘ସଙ୍କଟମୋଚନ ହନୁମାନ’, ‘ବାଲବୀର’ ଓ ‘ଶଶୁରାଲ ସିମରା କା’। ସେ କିଛି ରିୟାଲିଟି ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ।



