ଜମୁଛି ଚଡକ ମେଳା: ଶିବ-କାମିନା ବିବାହ ସମ୍ପନ୍ନ, ଆଜି ନୀଳ ପର୍ବ

ଚନ୍ଦନେଶ୍ୱର : ପାବନ କ୍ଷେତ୍ର ଚନ୍ଦନେଶ୍ୱର ଚଡ଼କ ମେଳାର ତୃତୀୟ ଅର୍ଘ୍ୟରେ ଶିବମୟ ପାଲଟିଥିଲା ପୀଠ। ପର୍ବର ଅନ୍ୟତମ ପ୍ରମୁଖ ଉତ୍ସବ କାମିନା ବିବାହ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ପୀଠରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଜି ମହାନୀଳ ପର୍ବ ଓ ଶୁକ୍ରବାର ପାଟ ଉତ୍ସବରେ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପ୍ରାତଃରେ ପାଟଭକ୍ତ ହରିଶ୍ଚନ୍ଦ୍ର ସାହୁ, ଶ୍ରୀବେକଡି ନିରଞ୍ଜନ ଲେଙ୍କା, ଦେଉଳିଆ ଅଜିତ ପାତ୍ରଙ୍କ ସମେତ ୧୩ ଜଣ ମୁଖ୍ୟ ଭକ୍ତ ପାରମ୍ପରିକ ବାଦ୍ୟ ବଜାଇ ଶିବଙ୍କ ଚଳନ୍ତି ଘଟକୁ ଧରି ଭଟ୍ଟପୁର ଗାଁର ମାଳି ଘରେ ପହଞ୍ଚି ଥିଲେ। ସେଠାରେ ଉଭୟ ଶିବ, କାମିନାଙ୍କ ଘଟଦ୍ୱୟ ସୁସଜ୍ଜିତ ହୋଇ ସକାଳ ୮ଟାରେ ମନ୍ଦିର ଅଭିମୁଖେ ଏକ ଭବ୍ୟ ପଟୁଆର ବାହାରି ଥିଲା। ଏଥିରେ ଶିବଙ୍କ ତାଣ୍ଡବ, ଧ୍ୟାନ ମୁଦ୍ରା ଓ ହର ପାର୍ବତୀଙ୍କ ମୂର୍ତି ସାଙ୍ଗକୁ ୪ ପ୍ରକାର ଆଧୁନିକ ଓ ପାରମ୍ପରିକ ବାଦ୍ୟ, ଡାକବାଜି ଓ ବାଣ ସହିତ ୧୦୮ ଆଲମଧାରୀ ଭକ୍ତ ସାମିଲ ହୋଇଥିଲେ। ଏହାଛଡା ବାଘ, ସିଂହ, ବୃଷଭ, ପ୍ରେତ, ଭୂତ ଆଦି ବେଶରେ ସଜ୍ଜିତ ଭକ୍ତଙ୍କୁ ପଟୁଆରରେ ଦେଖିବାକୁ ମିଳିଥିଲା। ଶିବ, କାମିନାଙ୍କ ପାଲିଙ୍କି ଭାବେ ପଡ଼ା ବାଉଁଶ ବ୍ୟବହାର ହୋଇଥିଲ। ଭଟ୍ଟପୁର ଗାଁର କାମିନା ମନ୍ଦିରରୁ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨ କିମି ରାସ୍ତାରେ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ନୃତ୍ୟ କରି ଚାଲିଥିଲେ। ବାବାଙ୍କ ହରିଧ୍ୱନି, ହୁଳହୁଳି ଓ ଘଣ୍ଟ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ରାସ୍ତାଯାକ ମାନସିକଧାରୀ ଓ ସେବାୟତ ପରିବାର ଘଟ ଦ୍ୱୟଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରୁଥିବା ନଜରକୁ ଆସିଥିଲା। ପଟୁଆରରେ ଟ୍ରଷ୍ଟ ବୋର୍ଡର ନିର୍ବାହୀ ଅଧିକାରୀ ତଥା ଭୋଗରାଇ ତହସିଲଦାର ହିମାଂଶୁ ଶେଖର ଗିରି, ମୁଖ୍ୟ ସେବାୟତ ତପନ କୁମାର ପଣ୍ଡା, ବୁଦ୍ଧଦେବ ପଣ୍ଡା, ସମାଜସେବୀ ବିଶ୍ୱଜିତ ଦାସ, ସୁଶାନ୍ତ ବେହେରା, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମୀନାରାଣୀ ସାସମଲ, ଜିଲା ପରିଷଦ ସଦସ୍ୟା ପ୍ରତିମା ଚାନ୍ଦଙ୍କ ସମେତ ସମସ୍ତ ସେବାୟତ, ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ପ୍ରାୟ ୪ ଘଣ୍ଟାର ଶୋଭାଯାତ୍ରା ପରେ ପଟୁଆର ମନ୍ଦିର ପରିସରରେ ପହଞ୍ଚି ଥିଲା। ଶିବଙ୍କୁ ଦେଖି ମାଆ ଦୁର୍ଗା ଗର୍ଭ ଗୃହର କବାଟ କିଳି ଦେଇଥିଲେ। ସେବାୟତ ମାନେ ମାଆଙ୍କ ମାନ ଭଞ୍ଜନ କରିବା ପରେ ଗର୍ଭ ଗୃହରେ ଶିବ କାମିନାଙ୍କ ବୈଦିକ ରୀତିରେ ଗୁପ୍ତ ବିବାହ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ କୌଳିକ ନୀତିକାନ୍ତି ପରେ ଅର୍ଘ୍ୟଦାନ ହୋଇଥିଲା। ଅପରପକ୍ଷରେ ବୁଧବାର ତୃତୀୟ ଅର୍ଘ୍ୟ ଓ ଉପବୀତ ଧାରଣ କରିବାର ଶେଷ ଦିନ ଥିଲା। ସନ୍ଧ୍ୟା ସୁଦ୍ଧା ୧ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ଉପବୀତ ଧାରଣ କରିଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜଣା ପଡ଼ିଛି। ଶାନ୍ତି ଶୃଙ୍ଖଳା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମେଶ ପଣ୍ଡା, ପିକେ ଦଳାଇ, ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ, ତାଳସାରି ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ, ଭୋଗରାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସମେତ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ଏହାଛଡା ସାହାବାଜିପୁର ସାଗର ସାଥୀ କ୍ଲବ ଓ ଭଟ୍ଟପୁର ସ୍ୱାଭିମାନ କ୍ଲବ ପକ୍ଷରୁ ସବୁ ଦିନ ସେବା ମଧ୍ୟ ପ୍ରଦାନ କରାଯାଉଛି।

Comments are closed.