ପିପିଲି : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ରଦ୍ଦ ଦାବିରେ ଦିଲ୍ଲୀ ସୀମାରେ ଚାଲୁଥିବା କୃଷି ଆନ୍ଦୋଳନକୁ ସଫଳ କରିବା ପାଇଁ ଓ ଦିଲ୍ଲୀରେ କୃଷକଙ୍କ ଉପରେ ପୁଲିସର ଦମନଲିଳା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ କ୍ରମେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ପିପିଲି ବ୍ଲକ କମିଟି ପକ୍ଷରୁ ଶନିବାର ପିପିଲିରେ ଚକାଜାମ ଆନ୍ଦୋଳନ କରାଯାଇଥିଲା ।
ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ସଂପାଦକ ଅଶୋକ ପ୍ରଧାନ ଓ ସିପିଆଇ(ଏମ୍ଏଲ) ଲିବରେସନ ର ପିପିଲି ବ୍ଲକ ସଂପାଦକ ସର୍ବେଶ୍ୱର ଭାରତୀଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ନେତା ପିପିଲି ଟୋଲ୍ଗେଟ୍ ଛକ ନିକଟ ପିପିଲି ପ୍ରବେଶ ପଥଠାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଦିନ ୧୨ଟାରୁ ଅବରୋଧ କରିବା ସହ ଚକାଜାମ ଆନ୍ଦୋଳନ କରିଥିଲେ । ସେଠାରେ ଅଶୋକ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଶ୍ରୀଭାରତୀଙ୍କ ସମେତ ରାଜକିଶୋର ଶତପଥୀ, କିଷାନ ପଟ୍ଟନାୟକ, ସୁନନ୍ଦ ଗଡନାୟକ, ରବିନ୍ଦ୍ର ସ୍ୱାଇଁ, ରାଜୀବ ସାହୁ, କାହ୍ନୁଚରଣ ବେହେରା, ଲକ୍ଷ୍ମୀଧର ପ୍ରଧାନ, ଭବାନୀ ପ୍ରଧାନ, ତ୍ରିଲୋଚନ ବେହେରା, ରାମଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ନିତୀକୁ କଡା ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ୩ଟି ନୂତନ କୃଷି ଆଇନ୍କୁ ରଦ୍ଦ କରିବା ପାଇଁ ଦାବି କରିଥିଲେ । ସେଠାରେ ଦୀର୍ଘ ୧ଘଣ୍ଟା କାଳ ଚକାଜାମ ଆନ୍ଦୋଳନ କରାଯାଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡିମୋଟର ଅଟକି ରହିଥିଲା । ପରେ ଆନ୍ଦୋଳନକାରୀମାନେ ସେଠାରୁ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇ ଚାନ୍ଦୁଆ ବଜାର, ପିପିଲି ବଜାର ପରିକ୍ରମା କରିବା ସହିତ ହାଟଛକ ଠାରେ ଏକ ପ୍ରତିବାଦ ସଭା କରିଥିଲେ । ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ସମେତ ପୁଲିସ ଫୋର୍ସ ସେଠାରେ ଉପସ୍ଥିତ ଥିଲା ।



