ଡେସ୍କ: ବହୁ ପ୍ରତିକ୍ଷିତ ସେଲିବ୍ରିଟି କ୍ରିକେଟ୍ ଲିଗ୍ ୨୦୨୫ ଆସନ୍ତା ଫେବ୍ରୁଆରି ୧୬ରେ କଟକର ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଚଳିତ ୨୦୨୫ ସିଜନ ପାଇଁ ବେଙ୍ଗଲ ଟାଇଗର୍ସ ଦଳ ବାରବାଟି ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ ଭାବେ ଚୟନ କରିଛି। ୟୁଜେନିକ୍ସ ହେୟାର ସାଇନସେସ୍ର ଡ. ପ୍ରଦୀପ ସେଠି ଏବଂ ଡ. ଆରିକା ବଂଶଲଙ୍କ ସମର୍ଥନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବଲିଉଡ୍ର କିଛି ବଡ଼ ତାରକାଙ୍କୁ ଏଥିରେ ସାମିଲ କରିବ। ଅର୍ଜୁନ କପୁର, ସୋହେଲ ଖାନ, ସୋନୁ ସୁଦ, ମିକା ସିଂହ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାନଭି କପୁର ଆଦି କଳାକାରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
ଏହି ରୋମାଂଚକର କ୍ରିକେଟ୍ ଖେଳରେ ବର୍ତମାନର ଚାମ୍ପିୟନ ବେଙ୍ଗଲ ଟାଇଗର୍ସ – ମୁମ୍ବାଇ ଦଳ ସହ ଖେଳିବ ଏବଂ ଏକ ପ୍ରଦର୍ଶନୀ ମ୍ୟାଚ୍ରେ ଓଡିଆ ସେଲିବ୍ରିଟି ଦଳ ଭାଗ ନେବ ଯାହା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ନେତୃତ୍ୱରେ ଗଠନ କରାଯାଇଛି। ସ୍ଥାନୀୟ ରଣଜୀ କ୍ରିକେଟର ଯେପରିକି ଜିତୁ ଶତପଥୀ ଏବଂ ପବନ ଅଗ୍ରୱାଲ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ।
ଏହି କାର୍ଯ୍ୟକ୍ରମ ୟୁଜେନିକ୍ସ ହେୟାର ସାଇନସେସ୍ର ଡ. ପ୍ରଦୀପ ସେଠି ଏବଂ ଡ. ଆରିକା ବଂଶଲଙ୍କ ଦ୍ୱାରା ଆୟୋଜିତ ହେଉଥିବା ବେଳେ ସିସିଏଲ୍ ଓଡ଼ିଶା କୋର୍ କମିଟି ଏହାର ସହ ଭାଗିଦାରୀରେ ରହିଛି। ମୁଖ୍ୟ ସଂଯୋଜକ ଭାବେ ଅଜୟ ଅଗ୍ରୱାଲ ଥିବା ବେଳେ କମିଟିରେ ଡ. ସତ୍ୟବ୍ରତ ମିନକେତନ (ମୁଖ୍ୟ ଆବାହକ), ଗୋଲକ ମହାପାତ୍ର (ପରାମର୍ଶଦାତା), ବାସୁଦେବ ଭଟ୍ଟ (ଆବାହକ) ଏବଂ ଅନ୍ୟମାନେ ଅଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବ୍ରୁଆରି ୧୬ ଅପରାହ୍ନ ୨ଟାରେ ଉଦଘାଟନ କରିବେ ଯେଉଁଥିରେ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହିବେ। ପୁରସ୍କାର ବିତରଣ ସମାରୋହରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିବେ।
ସୂଚନା ଅନୁଯାୟୀ, ବେଙ୍ଗଲ ଟାଇଗର୍ସର ମାଲିକ ବୋନି କପୁର ବାରବାଟି ଷ୍ଟାଡିୟମକୁ ୨୦୨୫ ସିଜନ୍ ପାଇଁ ଦଳର ଘରୋଇ ପଡ଼ିଆ ଭାବରେ ବାଛିଛନ୍ତି। ବେଙ୍ଗଲ ଟାଇଗର୍ସ ଦିନର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସହ ଖେଳିବ, ଯାହା ପ୍ରଥମ ମ୍ୟାଚ୍ ପଞ୍ଜାବ ବନାମ ଭୋଜପୁରୀ ମ୍ୟାଚ୍ ପରେ ଅପରାହ୍ନ ୨ଟାରେ ଆୟୋଜିତ ହେବ। ସିସିଏଲ୍ ଓଡ଼ିଶାର ଆବାହକ ବାସୁଦେବ ଭଟ୍ଟ କହିଛନ୍ତି, “ଆମେ ସିସିଏଲ୍କୁ ଓଡ଼ିଶାକୁ ଆଣି ଉତ୍ସାହିତ ଅଛୁ ଏବଂ ପ୍ରଶଂସକମାନଙ୍କୁ ସେମାନଙ୍କର ପ୍ରିୟ ବଲିଉଡ୍ ତାରକାଙ୍କୁ ପଡ଼ିଆରେ ଖେଳୁଥିବା ଦେଖିବାର ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।”
ସିସିଏଲ୍ ୨୦୨୫ର ଟିକେଟ୍ ଅନଲାଇନ୍ ଉପଲବ୍ଧ କରାଯାଉଛି ଏବଂ ଟିକେଟ୍ କାଉଂଟର୍ ୨୦୨୫ ଫେବ୍ରୁଆରି ୧୧ରୁ ବାରବାଟି ଷ୍ଟାଡିୟମରେ ଖୋଲା ରହିଛି। ଏହା ବ୍ୟତୀତ, ବିମାନବନ୍ଦର, ରେଳଷ୍ଟେସନ୍, ବସ୍ ଷ୍ଟାଣ୍ଡ ଏବଂ ହୋଟେଲ୍ ଆଦି ମୁଖ୍ୟ ସ୍ଥାନଗୁଡିକରେ ଅତିରିକ୍ତ ଟିକେଟ୍ ଆଉଟଲେଟ୍ ଖୋଲା ହେବ, ଯାହା ପ୍ରଶଂସକମାନଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ।



