www.samajalive.in
Sunday, December 14, 2025
23.1 C
Bhubaneswar

ସହିଦଙ୍କ ଗାଁ ଓ ବିଦ୍ୟାଳୟରେ ବିଜୟ ଉତ୍ସବ

ନିଆଳି : ଜାମ୍ମୁକାଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣର ୧୩ଦିନରେ ତାର ପ୍ରତିଷୋଧ ନେଇଛି ଭାରତ। ସମୟ ସୁବିଧା ସୁଯୋଗ ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଉଥିବାବେଳେ ସୋମବାର ରାତି ୩ଟା ୩୦ ମିନଟ୍‍ ସମୟରେ ଭାରତୀୟ ବାୟୁସେନାପକ୍ଷରୁ ଆକ୍ରମଣ କରାଯାଇ ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀଙ୍କ ଆଡ଼ାଉପରେ ବୋମା ବର୍ଷା କରାଯାଇ ପ୍ରାୟ ୨୫୦ରୁ ୩ଶହ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସାରା ଭାରତବର୍ଷରେ ବିଜୟ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ପୁଲୱାମାରେ ସହିଦ ହୋଇଥିବା ଓଡ଼ିଆ ଜବାନ କଟକ ଜିଲା ନିଆଳି ବ୍ଲକ ରତନପୁର ଗାଁର ମନୋଜ ବେହେରାଙ୍କ ଗାଁ ଓ ସେ ପଢ଼ୁଥିବା ବିଦ୍ୟାଳୟରେ ମଙ୍ଗଳବାର ବିଜୟ ଦିବସ ପାଳିତ ହୋଇଛି। ଏତିକିରେ ମନ ଶାନ୍ତି ହେଇନି, ଆତଙ୍କବାଦୀଙ୍କ ସମୂଳେ ଧ୍ୱସଂ ହେବା ଆବଶ୍ୟକ ବୋଲି ମନୋଜଙ୍କ ପରିବାର ପକ୍ଷରୁ କୁହାଯାଇଥିବା ବେଳେ ରତନପୁର ଗାଁରେ ମଙ୍ଗଳବାର ବାଣ ଫୁଟାଇବା ସହ ଭାରତ ମାତାକି ଜୟ, ମନୋଜ ବେହେରା ଅମର ରହେ, ପାକିସ୍ତାନ ମୁର୍ଦ୍ଦାବାଦ ଧ୍ୱନିରେ ପ୍ରକମ୍ପିତ ହେଉଥିଲା। ସବୁରି ମୁହଁରୁ ଶୁଭୁଥିଲା ପାକିସ୍ତାନ ଏବେ ଫଳ ଭୋଗିଲା। କେହି କେହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଥିଲା। ସହିଦ ମନୋଜଙ୍କ ସହପାଠୀମାନେ ମଙ୍ଗଳବାର ସନ୍ଧ୍ୟାରେ ସହିଦଙ୍କ ଘର ରତନପୁରରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ମିଶି ଧୂମ୍‍ଧାମ୍‍ରେ ବିଜୟ ଉତ୍ସବ ପାଳନ କରିଛନ୍ତି। ସହିଦ ମନୋଜ ପାଠ ପଢ଼ୁଥିବା ରତନପୁର ଉପ୍ରା ବିଦ୍ୟାଳୟ ପରିସରରେ ଅପରାହ୍ନରେ ବିଜୟ ଉତ୍ସବ ପାଳନ କରାଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ ବିଦ୍ୟାଳୟ ପରିସରରେ ଏକାଠି ହୋଇ ତ୍ରିରଙ୍ଗା ଉଡ଼ାଇଥିବାବେଳେ ଦେଶାତ୍ମକବୋଧ ସଙ୍ଗୀତଗାନ କରିବା ସହ ମନୋଜ ଭାଇ ଅମର ରହେ ସ୍ଳୋଗାନ ଦେଇ ଉତ୍ସବ ପାଳନ କରିଛନ୍ତି। ନିଆଳି ଅଞ୍ଚଳରେ ମଧ୍ୟ ବିଭିନ୍ନ ସ୍ଥାନରେ ପାକିସ୍ତାନରେ ଆତଙ୍କବାଦୀଙ୍କ ନିପାତ ଘଟଣାରେ ଖୁସିର ପରିବେଶ ଦେଖିବାକୁ ମିଳିଛି।
ଅନୁରୂପ ଭାବେ ଜଗତ୍‍ସିଂହପୁର ଜିଲା ନାଉଗାଁ ବ୍ଲକ୍‍ ପାରିଶିଖରସ୍ଥିତ ସହିଦ୍‍ ପ୍ରସନ୍ନ କୁମାର ସାହୁଙ୍କ ପରିବାର ଆଜିର ବାୟୁସେନା ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ନିହତ ହେବା ଘଟଣାକୁ ପ୍ରଶଂସା କରିଛନ୍ତି। ଭାରତ ଏଭଳି ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲାଗି ସହିଦ ପ୍ରସନ୍ନଙ୍କ ପରିବାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories