ନୂଆଦିଲ୍ଲୀ/ବେଜିଂ : କରୋନା ଭୂତାଣୁ ସଂକ୍ରମିତ ଚୀନକୁ ଡାକ୍ତରୀ ସାମଗ୍ରୀ ପଠାଇଛି ଭାରତ। ବୁଧବାର ଭାରତ ବାୟୁସେନାର ସ୍ବତନ୍ତ୍ର ବିମାନ ଡାକ୍ତରୀ ସାମଗ୍ରୀ ନେଇ ଚୀନ ଯାଇଛି। ପ୍ରାୟ ୧୫ଟନ୍ର ମାସ୍କ, ଗ୍ଲୋବସ୍ ଓ ଅନ୍ୟାନ୍ୟ ଜରୁରୀ ଡାକ୍ତରୀ ସାମଗ୍ରୀ ଚୀନ ପଠାଯାଇଛି। କରୋନା ଭୂତାଣୁ ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୮ରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପତ୍ର ଲେଖି ସହାୟତା ଯୋଗାଇ ଦେବା ଲାଗି କହିଥିଲେ। ମୋଦୀଙ୍କ ଏହି ଐକ୍ୟଭାବକୁ ଜିନପିଙ୍ଗ ପ୍ରଶଂସା କରିବା ସହିତ ସହାୟତାକୁ ଗ୍ରହଣ କରିବା ଲାଗି କହିଥିଲେ। ଡାକ୍ତରୀ ସାମଗ୍ରୀ ନେଇ ଯାଇଥିବା ବାୟୁସେନା ବିମାନ ଫେରିବା ସମୟରେ ଉହାନରେ ରହିଥିବା ଅନ୍ୟ କିଛି ଭାରତୀୟ ଓ ଅନ୍ୟ ଦେଶର ନାଗରିକଙ୍କୁ ଆଣିବ।
ଅନ୍ୟପଟେ ଚୀନରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୨୭୧୫ ହୋଇଛି। ଚୀନ ଜାତୀୟ ସ୍ବାସ୍ଥ୍ୟ କମିସନ (ଏନଏଚସି)ର କହିବା ଅନୁଯାୟୀ ମଙ୍ଗଳବାର ଆଉ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୮,୦୬୪ରେ ପହଞ୍ଚିଛି। ଚୀନରେ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ବିଶ୍ବ ସମୁଦାୟର ସହଯୋଗ ଲାଗି ଦୁଇଜଣ ନର୍ସ ଚିଠି ଲେଖିଛନ୍ତି। ଉହାନରେ କାର୍ଯ୍ୟ କରୁଥିବା ଚୀନର ଦୁଇଜଣ ପ୍ରଣ୍ଟଲାଇନ ନର୍ସ ୟିଙ୍ଗଚୁନ ଜେନ ଓ ୟାନ ଝେନ ଆନ୍ତର୍ଜାତିକ ସମୁଦାୟକୁ ପତ୍ର ଲେଖି ସହାୟତା ଲୋଡିଛନ୍ତି। ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେନ’ରେ ପ୍ରକାଶିତ ସେମାନଙ୍କ ଚିଠିରେ ନର୍ସ ଦୁଇଜଣ ଭୂତାଣୁ ପ୍ରତିରୋଧ ଲାଗି ଆବଶ୍ୟକ ପ୍ରତିଷେଧକ ଉପକରଣର ଅଭାବ ରହିଥିବା ଦର୍ଶାଇଛନ୍ତି। ଉହାନରେ ପ୍ରାୟ ୧୪ହଜାର ନର୍ସ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ପାଇଁ ଆବଶ୍ୟକ ଦୈନନ୍ଦିନ ପ୍ରତିଷେଧକ ଉପକରଣର ଅଭାବ ଦେଖାଯାଇଥିବା ଚିଠିରୁ ଜଣାଯାଇଛି। କରୋନା ଭୂତାଣୁ ଦ୍ବାରା ୩୨୦୦ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୦ଜଣଙ୍କର ମୃତ୍ୟୁ ହୋଇଛି।
କରୋନା ମୃତ୍ୟୁସଂଖ୍ୟା ୨୭୧୫କୁ ବୃଦ୍ଧି : ଚୀନକୁ ଡାକ୍ତରୀ ସହାୟତା ପଠାଇଲା ଭାରତ
Popular Categories



