‘କାମ୍ପା’ ଅର୍ଥ ହରିଲୁଟ; ଭୂତ ଖାଇଛି ବନରକ୍ଷୀ ଘର !

ବନ୍ତଳା : ଜଙ୍ଗଲ ଜମିକୁ ଅଣ ଜଙ୍ଗଲ କାର୍ଯ୍ୟ ଲାଗି ବିନିଯୋଗ ଦ୍ବାରା ହେଉଥିବା ପରିବେଶଗତ କ୍ଷତିକୁ ଭରଣା କରିବା ପାଇଁ କେନ୍ଦ୍ର ସରକାର ‘କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ’ (କାମ୍ପା) ଜରିଆରେ ପୁରୁଣା ଜଙ୍ଗଲର ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ବ୍ୟାପକତା ପାଇଁ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ରାଜ୍ୟ ମାନଙ୍କୁ ହଜାର ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି। ଅଥଚ କାଗଜପତ୍ରରେ ଭିତ୍ତିଭୂମି ନିର୍ମାଣ ଦର୍ଶାଯାଇ ‘କାମ୍ପା’ ଅନୁଦାନ ଅର୍ଥର ବ୍ୟାପକ ହରିଲୁଟ୍‌ ଚାଲିଛି। ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ କାମ୍ପା ଯୋଜନାର ଅନୁଦାନ ଅର୍ଥ ହେରଫେର ନେଇ ଅଭିଯୋଗ ଆସିଛି। କାମ୍ପା ଅର୍ଥରେ ବନରକ୍ଷୀଙ୍କ ବାସଗୃହ ନିର୍ମାଣ ହୋଇଥିବା ଦର୍ଶାଯାଇଥିବାବେଳେ ବାସ୍ତବରେ ଏଭଳି କୌଣସି ଗୃହ ନିର୍ମାଣ ହୋଇ ନଥିବା ଅଭିଯୋଗ ହୋଇଛି। ବନରକ୍ଷୀଙ୍କ ବାସଗୃହ ଗୁଡିକୁ ତା’ହେଲେ କ’ଣ ଭୂତ ଖାଇଦେଇଛି କି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନା ଅଧିକାର ଆଇନ ବଳରେ ଉପଲବ୍ଧ ତଥ୍ୟ ଅନୁଯାୟୀ, କାମ୍ପା ଅର୍ଥରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ କନ୍ତମେଘ ବିଟ୍‌ ହାଉସଠାରେ ବନରକ୍ଷୀ ବାସଗୃହ ନିର୍ମାଣ ପାଇଁ ୬ଲକ୍ଷ ୮୪ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିଲା। କାଗଜପତ୍ରରେ ଗୃହ ନିର୍ମାଣ ଦର୍ଶାଯାଇଥିଲେ ହେଁ ସେଭଳି କୌଣସି ଗୃହ ନିର୍ମାଣ କରାଯାଇନଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ କାମ୍ପା ପାଣ୍ଠିରୁ ‘ଭିତ୍ତି ଭୂମି ବିକାଶ’ ମୂଳକ କାର୍ଯ୍ୟ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ କାମ୍ପା ପାଣ୍ଠିରୁ ଏହି ଟଙ୍କା ଖର୍ଚ୍ଚ କରାଯାଇଥିବା ସରକାରୀ ନଥିପତ୍ରର ରେକର୍ଡ କହୁଛି। ସୂଚନା ଅଧିକାର ଆଇନରେ ମିଳିଥିବା
ତଥ୍ୟ ସହ ଏହାର କୌଣସି ତାଳମେଳ ଖାଉନାହିଁ।
ମିଳିଥିବା ତଥ୍ୟ ଅନୁସାରେ ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ଖିଣ୍ଡା ସେକ୍ସନର କନ୍ତମେଘ ବିଟ୍‌ହାଉସଠାରେ ଏହି ଯୋଜନାରେ ଏକ ବନରକ୍ଷୀ ବାସଗୃହ ନିର୍ମାଣ ହୋଇଛି। ଏଥିଲାଗି କାମ୍ପା ‘ଇନଫାଷ୍ଟ୍ରକ୍ଚର ଡେଭଲପମେଣ୍ଟ’ ବାବଦକୁ ଆସିଥିବା ୬ଲକ୍ଷ ୮୪ ହଜାର ଟଙ୍କା ବ୍ୟୟବରାଦ ହୋଇ ଏହି ଘରଟି ନିର୍ମାଣ ହୋଇଥିବା ଦସ୍ତାବିଜ ରହିଛି। ତେବେ ଆଜି ପର୍ଯ୍ୟନ୍ତ ଏହି ବିଟ’ଠାରେ କୌଣସି ଘର ନିର୍ମାଣ ହୋଇ ନଥିବା ଜଣାପଡିଛି। ବନବିଭାଗ ପକ୍ଷରୁ ଏକ ୱାଚ୍‌ ଟାୱାର ସେଠାରେ ଅଛି। ଏତେ ପରିମାଣର ଟଙ୍କା ବ୍ୟୟବରାଦ ହୋଇ ଏକ ଗୃହ ନିର୍ମାଣ ହୋଇଥିବା ସରକାରୀ କାଗଜପତ୍ର କହୁଛି; କିନ୍ତୁ ନିର୍ମାଣ ସ୍ଥାନରେ ଆଜି ଯାଏ ଇଟା ଖଣ୍ଡେ ମଧ୍ୟ ପଡ଼ିନାହିଁ। ତେଣୁ ଏହି ଘର ଗଲା କୁଆଡେ ? ଏହାକୁ କ’ଣ ଜଙ୍ଗଲୀ ଭୂତ ଖାଇଗଲା କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ଏତେ ସବୁ ଘଟଣା ପରେ କୌଣସି ଅଫିସର କିମ୍ବା ବରିଷ୍ଠ ଅଧିକାରୀଙ୍କ ଆଖିରେ କିପରି ପଡ଼ିଲା ନାହିଁ ତାହା ସମସ୍ତଙ୍କୁ ଏକ ପ୍ରକାର ଏହି ଦୁର୍ନୀତିର ଜାଲ ଭିତରକୁ ଟାଣୁଛି। କାର୍ଯ୍ୟ ଆରମ୍ଭରେ ‘ଆକଳନ ତଥ୍ୟ’ ପ୍ରସ୍ତୁତ ବେଳେ ଏହି ସ୍ଥାନର ଖାତା ନମ୍ବର/ପ୍ଲଟ ନମ୍ବର ସହ ନିର୍ମାଣ ସ୍ଥାନର ଜି.ପି.ଏସ ମାଧ୍ୟମରେ ଅକ୍ଷାଂଶ ଓ ଦ୍ରାଘିମାର ମାପ ପ୍ରସ୍ତୁତ ହୋଇଥାଏ। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରତିଟି ପର୍ଯ୍ୟାୟ ଯଥା ନିଅଁ ଖୋଳିବା, କାନ୍ଥ ଉଠାଇବା, ତାଜା ପଡିବା, ଛାତ ପଡିବା ଓ ଶେଷରେ ଏହି କାର୍ଯ୍ୟଟି ସମ୍ପୂର୍ଣ୍ଣ ସମାପ୍ତ ହେବାର ଫଟୋଚିତ୍ର ସହ ଏହି ଅକ୍ଷାଂଶ ଓ ଦ୍ରାଘିମାର ମାପକୁ ମଧ୍ୟ ନିଆଯିବା ନିୟମ ରହିଛି। ଏହି ସମସ୍ତ ନିୟମକୁ ମାନି ଏହି ନିର୍ମାଣ କାର୍ଯ୍ୟ ହୋଇଛି କି ନାହିଁ? ଯଦି ହୋଇଛି କନ୍ତମେଘ ଠାରେ ନିର୍ମାଣ ହୋଇଥିବା ବନରକ୍ଷୀ ବାସଗୃହ କୁଆଡେ ଗଲା ?
ଏ ସମ୍ପର୍କରେ ବନ୍ତଳା ବନାଞ୍ଚଳ ଅଧିକାରୀ ଡିଲେଶ୍ୱର ପ୍ରଧାନଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷେ ଏଥି ନେଇ ଅନୁଗୋଳ ବନମଣ୍ଡଳର ଆରସିସିଏଫ ପ୍ରଦୀପରାଜ କରାଟେ କହିଛନ୍ତି ଯେ ଏ ସମ୍ପର୍କିତ କୌଣସି ଖବର ସେ ପାଇନାହାନ୍ତି। ଯଦି ଏଭଳି କୌଣସି ଘଟଣା ହୋଇଥାଏ ତେବେ ଏ ବିଷୟରେ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁଗୋଳ ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ୨୦୧୭-୧୮ ମସିହାରେ କାମ୍ପା ଯୋଜାନରେ କନ୍ତମେଘ ଠାରେ ବନରକ୍ଷୀ ବାସଗୃହ ନିର୍ମାଣ ହୋଇଥିବାର କାଗଜପତ୍ରରେ ଦର୍ଶାଯାଇଥିଲେ ମଧ୍ୟ ହୋଇ ନଥିବାର ଅଭିଯୋଗ ପାଇବା ପରେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବନ୍ତଳା ରେଞ୍ଜ ହେଡ଼କ୍ବାର୍ଟରରେ ସେତେବେଳେ ଏହି ତତ୍‌କାଳୀନ ଅଧିକାରୀମାନେ ନିର୍ମାଣ କରିଥିଲେ। ଏହା ଉପରେ ଅନୁସନ୍ଧାନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.