ନୂଆଦିଲ୍ଲୀ : କ୍ୟାବିନେଟ ସଚିବ ନୂଆଦିଲ୍ଲୀଠାରେ ନୋଭେଲ କରୋନା ଭୂତାଣୁ ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା ଲାଗି କ୍ୟାବିନେଟ ସଚିବ ୬ଟି ବୈଠକ କରିସାରିଲେଣି।
ଏନେଇ ଏକ ନୂଆ ଯାତ୍ରା ସତର୍କତା ଜାରି କରାଯାଇଛି। ଏଥିରେ ଲୋକମାନଙ୍କୁ ଚୀନ ଯାତ୍ରା ନକରିବା ଲାଗି ପରାମର୍ଶ ଦିଆଯାଇଛି । ଏଥିରେ କୁହାଯାଇଛି ଯେ ଚୀନରୁ ଫେରିବା ପରେ ଯାତ୍ରୀଙ୍କୁ ପୃଥକ ଭାବେ ରଖାଯାଇପାରେ । ୧୫ ଜାନୁଆରୀ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଚୀନ ଯାତ୍ରା କରିଛନ୍ତି ଏବଂ ଯେଉଁମାନେ ଚୀନ ଯାତ୍ରା କରିବେ ସେମାନଙ୍କୁ ଫେରିବା ପରେ ଅଲଗା ରଖାଯିବ।
ବର୍ତମାନ ସୁଦ୍ଧା ଦେଶରେ ପହଁଚିଥିବା ୪୪୫ଟି ବିମାନର ୫୮,୬୫୮ ଜଣ ଯାତ୍ରୀଙ୍କୁ ପରୀକ୍ଷା କରାଯାଇଛି। ରୋଗର ଲକ୍ଷଣ ଥିବା ୧୪୨ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ପୃଥକ ଭାବେ ରଖାଯାଇଛି। ୧୩୦ଟି ନମୁନାର ପରୀକ୍ଷା କରାଯାଇଛି। ଏଥିମଧ୍ୟରୁ ୧୨୭ଟି ନମୁନାରେ ରୋଗର ସଂକ୍ରମଣ ନାହିଁ। କେରଳରେ ୩ ଜଣଙ୍କ ଠାରେ ରୋଗର ସଂକ୍ରମଣ ଦେଖାଦେଇଛି। ଏବଂ ସେମାନଙ୍କୁ କଡ଼ା ନିରୀକ୍ଷଣ ମଧ୍ୟରେ ରଖାଯାଇଛି। ସେମାନଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
ଉହାନରୁ ୩୩୦ ଜଣ ଯାତ୍ରୀଙ୍କୁ ନେଇ ଦ୍ୱିତୀୟ ବିମାନ ଭାରତରେ ପହଁଚିବା ପରେ ୭ ଜଣ ମାଳଦୀପ ନାଗରିକଙ୍କ ସମେତ ୩୦୦ ଯାତ୍ରୀଙ୍କୁ ଆଇଟିବିପି ଚାୱଲା କ୍ୟାମ୍ପରେ ଏବଂ ୩୦ଯାତ୍ରୀଙ୍କୁ ମାନେସାରରେ ରଖାଯାଇଛି । ଏ ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ଗଭୀର ଦୃଷ୍ଟି ରଖାଯାଇଛି ।
ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଗବେଷଣା ବିଭାଗର ସଚିବ ଏବଂ ଆଇଟିବିପି, ଏଏଏଫଏମଏସ ଓ ଏନଡିଏମଏର ପ୍ରତିନିଧିମାନେ ଏହି ଉଚ୍ଚସ୍ତରୀୟ ବୈଠକରେ ଉପସ୍ଥିତ ଥିଲେ।



