ଭୁବନେଶ୍ବର: ରାଜ୍ୟରେ ଲଘୁ ଖଣି ଲିଜ୍ ଆବଣ୍ଟନ ପାଇଁ ରାଜ୍ୟ ସରକାର ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହାସହ ବେଆଇନ ଖଣି ଖନନ ଓ ଚୋରାଚାଲାଣ ରୋକିବାକୁ ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ, ୨୦୦୭କୁ ଉଚ୍ଛେଦ କରି ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ ୨୦୨୫ ପ୍ରଣୟନ କରାଯାଇଛି। ସେହିପରି ପୁଲିସ ଓ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ‘ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ ସିଲେକ୍ସନ କମିସନ’ ବା ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ମନୋନୟନ ଆୟୋଗ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ତିନି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ସମେତ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୩୦ତମ ବୈଠକ ଶୁକ୍ରବାର ହୋଇଥିଲା।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କ୍ୟାବିନେଟ ବୈଠକରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ଆଲୋଚନା ସହ ଅନୁମୋଦନ ମିଳିଛି। ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ଆଗାମୀ ୫ମ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଓଡ଼ିଶା ଲଘୁ ଖଣିଜ ରିଆତି ନିୟମ ୨୦୧୬ରେ ସଂଶୋଧନ କରାଯାଇଛି। ରାଜ୍ୟରେ ଲଘୁ ଖଣି ଲିଜ୍ ଆବଣ୍ଟନ ଏଣିକି ଇ-ଲଟେରି ବ୍ୟବସ୍ଥା ଅନୁସାରେ ହେବ। ଏହି ନୂଆ ବ୍ୟବସ୍ଥା ଲଘୁ ଖଣିଜ ଉତ୍ସଗୁଡ଼ିକର ଆବଣ୍ଟନ ଏବଂ କାର୍ଯ୍ୟକ୍ଷମତାକୁ ତ୍ବରାନ୍ବିତ କରିବା ସହ ଯୋଗାଣ-ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବ। ସୁଲଭ ମୂଲ୍ୟରେ ଲଘୁ ଖଣିଜ ଯୋଗାଣ ସୁନିଶ୍ଚିତ ହେବ। ଏହାଛଡ଼ା ଘରୋଇ ଜମି ଓ ଇଡ୍କୋ ଲିଜ୍ ପ୍ରାପ୍ତ ଜମିରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ସମୟରେ ଉତ୍ତୋଳିତ ଲଘୁ ଖଣିଜର ବିନିଯୋଗ ପାଇଁ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସେହିପରି ରାଜ୍ୟରେ ଖଣିଜ ପଦାର୍ଥର ଚୋରା ଚାଲାଣ ଓ ବେଆଇନ ଖନନ ରୋକିବା ପାଇଁ ‘ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ନିୟମାବଳୀ ୨୦୨୫ ପ୍ରଣୟନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହା ପୁରୁଣା ୨୦୦୭ ନିୟମାବଳୀକୁ ଉଚ୍ଛେଦ କରିବ। ଏହି ନୂତନ ନିୟମ ଦ୍ୱାରା ଖଣିଜ ପ୍ରଶାସନ ଅଧିକ ଦକ୍ଷ ହେବ ଏବଂ ବେଆଇନ କାରବାର ଉପରେ ଅଙ୍କୁଶ ଲଗାଯାଇପାରିବ।
ଅନ୍ୟପକ୍ଷରେ ରାଜ୍ୟରେ ପୁଲିସ ଓ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଓ ବିଳମ୍ବକୁ ଦୃଷ୍ଟିରେ ରଖି ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ମନୋନୟନ ଆୟୋଗ ନିୟମାବଳୀ ୨୦୨୫ ପ୍ରଣୟନ ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ପାଇଛି। ରାଜ୍ୟରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ମନୋନୟନ ଆୟୋଗ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ସ୍ବତନ୍ତ୍ର ନିଯୁକ୍ତି ସଂସ୍ଥା ଗୃହ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ପୁଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବା ପାଇଁ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ। ପ୍ରଯୁକ୍ତିିବିଦ୍ୟା ଦ୍ବାରା ପରିଚାଳିତ ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶାର ସମସ୍ତ ୟୁନିଫର୍ମ ସେବାରେ ସମୟୋଚିତ, ସ୍ବଚ୍ଛ, ଦକ୍ଷ ଏବଂ ଯୋଗ୍ୟତାଭିତ୍ତିକ ନିଯୁକ୍ତି ନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ।
ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଅନୁସୂଚିତ ଜନଜାତି (ଏସ୍ଟି) ଓ ଅନୁସୂଚିତ ଜାତି (ଏସ୍ସି) ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍-ମାଟ୍ରିକ ଏବଂ ମାଟ୍ରିକ ପରବର୍ତ୍ତୀ ଛାତ୍ରବତ୍ତି ହାରରେ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଛାତ୍ରାବାସରେ ରହୁଥିବା ଛାତ୍ରଙ୍କ ପାଇଁ ବାର୍ଷିକ ବୃତ୍ତି ୧୦,୫୦୦ରୁ ୧୬ହଜାର ଟଙ୍କାକୁ ଏବଂ ଛାତ୍ରୀଙ୍କ ପାଇଁ ୧୧ ହଜାରରୁ ୧୭ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ‘ଅନ୍ବେଷା’ ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ବୃତ୍ତି ବାର୍ଷିକ ୧୧ହଜାର ଟଙ୍କାରୁ ୧୭ହଜାର ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। ଏକାଦଶ ଓ ଦ୍ବାଦଶ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଦାନ କରାଯାଉଥିବା ମେସ୍ ପରିଚାଳନା ଖର୍ଚ୍ଚ ଯଥା ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ହାରକୁ ବୃଦ୍ଧି କରାଯାଇଛି। ଛାତ୍ରଙ୍କ ପାଇଁ ୧୬ ହଜାର ଏବଂ ଛାତ୍ରୀଙ୍କ ପାଇଁ ବାର୍ଷିକ ୧୭ ହଜାର ଟଙ୍କାକୁ ଏହା ବଢ଼ିଛି। ଏହି ନୂଆ ବର୍ଦ୍ଧିତ ବୃତ୍ତି ୨୦୨୫ ଡିସେମ୍ବର ପହିଲାରୁ ଲାଗୁ ହେବ। ସେହିପରି ରାଜ୍ୟକୁ ବିଶ୍ବସ୍ତରୀୟ ବ୍ୟବସାୟିକ କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଗ୍ଲୋବାଲ କାପାବିଲିଟି ସେଣ୍ଟର (ଜିସିସି) ନୀତି ୨୦୨୫କୁ ଅନୁମୋଦନ କରିଛନ୍ତି। ବଡ଼ବଡ଼ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିବାକୁ ଆକୃଷ୍ଟ କରିବା ଏହି ନୀତିର ମୁଖ୍ୟ ଲକ୍ଷ୍ୟ। ଏହି ନୀତି ମାଧ୍ୟମରେ ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ରଖାଯାଇଛି। ଏହି ନୀତିରେ ୧୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ନିବେଶକୁ ସୁଗମ କରିବା, ଅତିକମ୍ରେ ୫ଟି ଅତ୍ୟାଧୁନିକ ଜିସିସି ହବ୍ ପ୍ରତିଷ୍ଠା, ଭୁବନେଶ୍ବର-କଟକ-ପୁରୀ-ପାରାଦ୍ବୀପ ଏବଂ ବରଗଡ଼-ଝାରସୁଗୁଡ଼ା-ସମ୍ବଲପୁର ଅର୍ଥନୈତିକ ଅଞ୍ଚଳର ପରିକଳ୍ପନା କରାଯାଇଛି।
କ୍ୟାବିନେଟ୍ ବୈଠକରେ ପରିବେଶ ସୁରକ୍ଷା ପାଇଁ ଜଳ(ପ୍ରଦୂଷଣ ନିବାରଣ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ ୨୦୨୪ ଗ୍ରହଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାଦ୍ବାରା ଶିଳ୍ପ ଗୁଡ଼ିକ ଉପରେ ନିୟାମକ ବୋଝ ହ୍ରାସ ହେବ। ସେହିପରି ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଥିବା ଓଡ଼ିଶା ଅଧସ୍ତନ ପରିସଂଖ୍ୟାନ ସର୍ଭେୟର କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏହାଦ୍ୱାରା କର୍ମଚାରୀଙ୍କ ଦରମା ବୃଦ୍ଧି ହେବା ସହ ପଦୋନ୍ନତି ସୁଯୋଗ ସୃଷ୍ଟି ହୋଇଛି। ସେହିପରି ୧୯୯୩ରୁ ୧୯୯୬ ମଧ୍ୟରେ ପୁଲିସ କର୍ମଚାରୀଙ୍କୁ ଦିଆଯାଇଥିବା ଅଗ୍ରହଣୀୟ ଖାସ୍ ଖୋରାକି(ସ୍ପେଶାଲ ଡାଏଟ୍) ଭତ୍ତା ବାବଦକୁ ହୋଇଥିବା କ୍ଷତିକୁ ହିସାବରୁ ବାଦ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ଓଡ଼ିଶା ଅର୍ଥ ସେବା ନିୟମାବଳୀ ୨୦୧୧ର ନିୟମ ୧୭ର ସଂଶୋଧନ ପ୍ରସ୍ତାବ ଅନୁମୋଦିତ ହୋଇଛି। ଅଧିକାରୀଙ୍କ ଆବଶ୍ୟକତା ଅନୁଯାୟୀ ତାଲିମ ଅବଧି ନିର୍ଦ୍ଧାରଣ କରିବା କ୍ଷମତା ସରକାରଙ୍କ ହାତକୁ ଦିଆଯାଇଛି। ଏହାବ୍ୟତୀତ ନିମ୍ନ ଆୟ ଗୋଷ୍ଠୀ ଗୃହ ନିର୍ମାଣ ଯୋଜନା ଅଧୀନରେ ପୂର୍ବରୁ ବାସଗୃହ ପାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆବଣ୍ଟିତ ଜମିର ସମସ୍ତ ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟ ଏବଂ ଆନୁଷଙ୍ଗିକ ବିଷୟ ବିଚାର ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ କ୍ଷମତା ପ୍ରଦାନ କରାଯାଇଛି। ଆବଣ୍ଟନ ପରବର୍ତ୍ତୀ କାର୍ଯ୍ୟକଳାପ ନିର୍ବାହ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଉକ୍ତ ଲିଜ୍ ଜମି ସମ୍ପର୍କିତ ସମସ୍ତ ଲିଜ୍ ରେକର୍ଡ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ହସ୍ତାନ୍ତର କରିବ।



