ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ବିଦେଶରୁ ବିପୁଳ ସମର୍ଥନ ମିଳିବାରେ ଲାଗିଛି। କାନାଡ଼ା ପରେ ଏବେ ବ୍ରିଟେନରୁ ସମର୍ଥନ ମିଳିଛି। ବ୍ରିଟେନ୍ କେତେଜଣ ସାଂସଦ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ବ୍ରିଟେନ ସରକାର ଭାରତ ସରକାରଙ୍କ ସହିତ ଆଲୋଚନା କରିବାକୁ ସାଂସଦମାନେ ଦାବି କରିଛନ୍ତି।

ବିଭିନ୍ନ ଦେଶରେ ରହୁଥିବା ସିଖ୍ ଏବଂ ପଞ୍ଜାବୀ କୃଷକମାନେ ଏଥିରେ ସାମିଲ ହେଉଛନ୍ତି। ବ୍ରିଟେନର ୩୬ ଜଣ ସାଂସଦ, ଯେଉଁମାନେ ମୂଳ ଭାରତୀୟ ଏବଂ ପଞ୍ଜାବ ସହିତ ଜଡ଼ିତ, ସେମାନେ ଭାରତର କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ୍ଙ୍କୁ ସେମାନେ ପତ୍ର ଲେଖି କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୋଦୀ ସରକାରଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।

ଏହି ଚିଠିରେ ଦସ୍ତଖତ କରିଥିବା ନେତାମାନଙ୍କ ମଧ୍ୟରେ ଲେବର ପାର୍ଟି, କନ୍ଜରଭେଟିବ ଏବଂ ସ୍କଟିସ୍ ନ୍ୟାଶନାଲ ପାର୍ଟିର ପୂର୍ବତନ ଶ୍ରମିକ ନେତା ଜେରେମୀ କୋର୍ବିନ, ବୀରେନ୍ଦ୍ର ଶର୍ମା, ସୀମା ମାଲ୍ହୋତ୍ରା, ବୈଲେରୀ ବାଜ୍, ନାଦିଆ ହ୍ବିଟୋମ୍, ପିଟର ବୋଟ୍ମଲୀ, ଜନ୍ ମ୍ୟାକ୍କଲନ, ମାର୍ଟିନ ଡାକର୍ଟି-ହ୍ୟୁଜେସ୍ ଏବଂ ଏଲିସନ ଥେଭଲିସ୍ ସାମିଲ ଅଛନ୍ତି।
ବ୍ରିଟିଶ ସାଂସଦମାନେ ଚିଠିରେ ଲେଖିଛନ୍ତି ଯେ, ବ୍ରିଟେନର ସିଖ୍ ଏବଂ ପଞ୍ଜାବ ସହିତ ଜଡ଼ିତ ଲୋକମାନଙ୍କ ପାଇଁ କୃଷକ ଆନ୍ଦୋଳନ ଚିନ୍ତାର ବିଷୟ। ଅନେକ ବ୍ରିଟିଶ ସିଖ୍ ଏବଂ ପଞ୍ଜାବୀ ନିଜ ସାଂସଦମାନଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏପରି କି ନିକଟରେ ଅନେକ ସାଂସଦ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଭାରତର ୩ଟି କୃଷି ଆଇନର ପ୍ରଭାବ ସମ୍ପକରେ ଚିଠି ଲେଖି ଜଣାଇଥିବା ଜଣାପଡ଼ିଛି।
ଚିଠିରେ ଲେଖାଯାଇଛି ଯେ, ଏହି ୩ଟି ଆଇନ କୃଷକଙ୍କୁ ଶୋଷଣମୁକ୍ତ କରିବା ଏବଂ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟକୁ ସୁନିଶ୍ଚିତ କରିବାରେ ବିଫଳ। ଏହାବ୍ୟତୀତ ଅନେକ ବ୍ରିଟିଶ ସାଂସଦ ଟ୍ବିଟର୍ରେ କୃଷକ ଆନ୍ଦୋଳନକୁ ନେଇ ବିଭିନ୍ନ ପ୍ରକାର ମନ୍ତବ୍ୟ ମଧ୍ୟ ଦେଇଛନ୍ତି। ବ୍ରିଟିଶ୍ ସିଖ୍ଙ୍କ ଅଲ୍ ପାର୍ଟି ପାର୍ଲାମେଣ୍ଟାରୀ ଅଧ୍ୟକ୍ଷ ପ୍ରୀତ୍ କୌର ଆନ୍ଦୋଳନ ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଏହା ଦିଲ୍ଲୀ ଆଶ୍ଚର୍ଯ୍ୟ କରିବା ଭଳି ଦୃଶ୍ୟ। ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିବା କୃଷକମାନଙ୍କ ପ୍ରତି ଏପରି ବ୍ୟବହାର କରିବା ଅନୁଚିତ। ସେମାନଙ୍କୁ ଚୂପ୍ କରିବା ଲାଗି ଲୁହ ବୁହା ଗ୍ୟାସ୍ ଏବଂ ପାଣି ମାଡ଼ କରାଯାଉଛି।



