ଅଛୁଆଁ ଜାତି ବୋଲି, ଉପବାସରେ ଦିନ କାଟୁଛନ୍ତି ପକ୍ଷାଘାତ ରୋଗୀ

ବୌଦ୍ଧ : ଅଛୁଆଁ ଓ ଧର୍ମାନ୍ଧତା ମାନବ ସମାଜର ଏକ ବଡ ବ୍ୟାଧି । ଏବେବି ଏହାର ପ୍ରଭାବରେ ସମାଜ ଅତିଷ୍ଠ । ଅଛୁଆଁ ଭଳି କୁପ୍ରଥା ବିରୋଧରେ ଜନ ଜାଗରଣ ସୃଷ୍ଟି କରିବା ସହିତ ସମାଜର ନିଷ୍ପେସିତ ବର୍ଗର କଲ୍ୟାଣ ପାଇଁ ଗାନ୍ଧିଜୀ ଓଡ଼ିଶାରୁ ଯେଉଁ ଆନ୍ଦାଳନ ଆରମ୍ଭ କରିଥିଲେ ତାହା ଦେଶର ଇତିହାସରେ ଏକ ପ୍ରମୁଖ ଘଟଣା ।  କିନ୍ତୁ ସମାଜରୁ ଅଛୁଆଁ ଭଳି କୁସଂସ୍କାରକୁ ଦୂରେଇବାକୁ ସରକାର ଯେତେ ଆଇନ କିମ୍ବା ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସଭ୍ୟ ସମାଜରେ ତାହାର ପ୍ରଭାବ ପଡିପାରୁନାହିଁ । ଯଦିଓ ସରକାରୀ ଅନୁଷ୍ଠାନ କିମ୍ବା ସହରାଞ୍ଚଳରେ ଲୋକଙ୍କ ମଧ୍ୟରେ ଅଛୁଆଁକୁ ନେଇ ସଚେତନତା ସୃଷ୍ଟି ହୋଇଛି, ଗ୍ରାମାଞ୍ଚଳର ଲୋକମାନେ ଏବେ ମଧ୍ୟ ଏହି କୁସଂସ୍କାରର ଶିକାର ହୋଇ ରହିଛନ୍ତି । ପ୍ରତ୍ୟେକ ଗ୍ରାମକୁ ଗଲେ ହରିଜନ ବସ୍ତି ଅନ୍ୟ ବର୍ଗର ଲୋକଙ୍କଠାରୁ ଅଲଗା । ଏହିସବୁ ବସ୍ତିର ଲୋକମାନେ କୌଣସି ସମସ୍ୟାର ସମ୍ମୁଖିନ ହେଲେ ସହଜରେ ତାହାର ସମାଧାନ ହୋଇନଥାଏ ।

ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତର ଖଣ୍ଡବର ଗ୍ରାମର  ଏହିଭଳି ଏକ ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ଖଣ୍ଡବର ଗ୍ରାମର ଉପାସୀ ପ୍ରଧାନଙ୍କ ସ୍ୱାମୀ ସୁଶୀଳ ପ୍ରଧାନଙ୍କ ଏକବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ଉପାସୀ ଜଣେ ପକ୍ଷଘାତ ରୋଗୀ । ଗୋଟିଏ ହାତ ଓ ଗୋଟିଏ ଗୋଡ ପକ୍ଷଘାତ ଯୋଗୁଁ ଚଳୁନାହିଁ ।  ପରିବାରଲୋକ କହିଲେ କେହି ନାହାନ୍ତି ।  ସେ ସଂପୂର୍ଣ୍ଣ ବେସାହାରା ଭାବରେ ଗ୍ରାମର ଏକ ଝାଟିମାଟି ଘରେ ପଡି ରହିଛନ୍ତି । ଉପାସୀଙ୍କ ପାଇଁ ନିଜର ନାମ ଯେପରି ଅଭିଶାପ ପାଲଟି ଯାଇଛି । ଗ୍ରାମବାସୀ କିଏ ଦେଲେ ଖାଆନ୍ତି ନହେଲେ ଉପବାସରେ ପଡି ରୁହନ୍ତି । ଅଛୁଆଁ ଜାତି ବୋଲି ଇଚ୍ଛା ଥିଲେ ବି କେହି ସାହାଯ୍ୟ କରିବାକୁ ଆଗେଇ ଆସନ୍ତି ନାହିଁ । ଉପାସୀଙ୍କୁ ଚିକିତ୍ସା ଓ ସେବା ଦରକାର  । କିନ୍ତୁ ଜାତି ପାଇଁ ତାଙ୍କୁ ଏହି ମୌଳିକ ଅଧିକାରରୁ ବଞ୍ଚିତ ହେବାକୁ  ପଡୁଅଛି । ଯାହାକି ଆମ ସଭ୍ୟ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା  ।

ଜିଲ୍ଲାରେ ମାଳ ମାଳ ସ୍ୱେଚ୍ଛାସେବୀ ସଂସ୍ଥା ଥିଲେ ମଧ୍ୟ କେବଳ ସରକାରୀ ଅନୁଦାନକୁ ଅପେକ୍ଷା । ଏହିଭଳି ନିସହାୟ ଲୋକଙ୍କ ପାଇଁ ଯେପରି ଭଗବାନହିଁ ଭରସା । ଏହି ଘଟଣା ସଂପର୍କରେ ବାମଣ୍ଡା ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କଥା ତାଙ୍କ ସ୍ୱାମୀଙ୍କ ନିକଟରେ ଅଟଳି ଯାଇଥିଲା । ସରପଞ୍ଚଙ୍କ ସ୍ୱାମୀଙ୍କ ଉତ୍ତର ମଧ୍ୟ ଏହି ମାମଲାରେ ନିହାତି ବେପରୁଆ ଥିଲା । ଉପାସୀଙ୍କ ଅବସ୍ଥା ସଂପର୍କରେ ତାଙ୍କ ନିକଟରେ ସୂଚନା ଥିବା କଥା ସେ ସ୍ୱୀକାର କରିବା ସହିତ  ଅଛୁଆଁ ଜାତି ଯୋଗୁଁ କିପରି ସହାୟତା କରିବୁ ବୋଲି କହିଥିଲେ । ଭୋଟ ମାଗିବା ସମୟରେ ଆପଣ ଜାତି ପଚାରିଥିଲେ କି ବୋଲି କହିବାରୁ ସେ ନିରବ ରହିଥିଲେ । ଏ ସଂପର୍କରେ ଗ୍ରାମପଞ୍ଚାୟତ ପକ୍ଷରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କିମ୍ବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ ତୁରନ୍ତ କରି ଉପାସୀଙ୍କୁ ଚିକିତ୍ସା ସେବା ଯୋଗାଇଦିଅନ୍ତୁ ବୋଲି ସରପଞ୍ଚଙ୍କ ସ୍ୱାମୀଙ୍କୁ ନିବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉପାସୀଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳନଥିବା ଜଣାଯାଇଛି । ପରେ ସରପଞ୍ଚଙ୍କ ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।

Comments are closed.