ବୌଦ୍ଧ: ଶିଳ୍ପ ବିହୀନ ବୌଦ୍ଧ ଜିଲାରେ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଜିଲାବାସୀଙ୍କ ମୁଖ୍ୟ ଆୟର ପନ୍ଥା ହେଲା ଧାନ ଚାଷ। ଶ୍ରାବଣମାସ ସରିବାକୁ ବସିଥିବାବେଳେ ମଧ୍ୟ ଜିଲାରେ ଆବଶ୍ୟକୀୟ ବର୍ଷା ନଥିବାରୁ ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି। ଚଳିତବର୍ଷ ସଠିକ୍ ସମୟରେ ମୌସୁମୀ ସକ୍ରିୟ ହେବା ସହିତ ସ୍ୱାଭାବିକ ବର୍ଷା ହେବାନେଇ ପୁର୍ବରୁ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ସବୁ ଆକଳନ ଫେଲ ମାରିଛି। ଏପଟେ ଭଲ ଧାନ ଅମଳ ଆଶାରେ ଚାଷୀପରିବାରମାନେ ଧାର କରଜ କରି ବିଲରେ ତଳି ପକାଇଛନ୍ତି। ଅନେକ ସ୍ଥାନରେ ରୁଆ ବିହୁଡା କାର୍ଯ୍ୟ ସାରି ସାର ପ୍ରୟୋଗ ମଧ୍ୟ ସରିଲାଣି। କିନ୍ତୁ ହଠାତ୍ ମୌସୁମୀ ଉଭାନ ହୋଇଯିବା ଏବେ ଚାଷୀ ପରିବାରମାନଙ୍କୁ ଚିନ୍ତାରେ ପକାଇଦେଇଛି। ଦିନେ ଦୁଇଦିନ ସ୍ୱଳ୍ପ ବର୍ଷାରେ ଚାଷୀ ମାନେ ତଳି ପକାଇବା ସହ ବିଲରେ ଧାନ ବୁଣିଥିଲେ। ଏପଟେ ବିଲରେ ଧାନ ଗଛ ଗୁଡିକ ବଡ ହେବାକୁ ବସିଥିବାବେଳେ ତଳି ଗୁଡିକ ପାଣି ଅଭାବରୁ ମରିବାକୁ ବସିଲାଣି। ଜିଲାରେ ବର୍ଷା ଠିକ ଭାବେ ହୋଇଥିଲେ , ଚାଷୀ ମାନେ ବାହୁଡା ଯାତ୍ରା ପରେ ପରେ ବିଲରେ ବିହୁଡା କରିବା ସହ ତଳି ଲଗାଇଥାନ୍ତି। କିନ୍ତୁ ବର୍ଷା ଆଦୌ ନଥିବାରୁ ଚଳିତବର୍ଷ ବିଳମ୍ବରେ ଆରମ୍ଭ ହୋଇଥିବା ଚାଷକାମ ଯୋଗୁଁ ଚାଷୀ ନିଜ ଜମିରେ ବିହୁଡା କାମ ମଧ୍ୟ ସାରିପାରିନାହିଁ। ଚାଷୀ ପରିବାରମାନେ ଚାଷ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ଓ ଘରୋଇ ସଂସ୍ଥାରୁ ଋଣ କରି ଚାଷ ଆରମ୍ଭ କରିଥିବା ବେଳେ ବର୍ଷା ନଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି। ଜିଲା କୃଷି ବିଭାଗ ର ତଥ୍ୟ ଅନୁଯାୟୀ ଜିଲାରେ ୮୫୧୮୦ ହେକ୍ଟର ଚାଷ ଜମି ରହିଛି। କିନ୍ତୁ ଜିଲାରେ ଚାଷ ଜମିକୁ ପର୍ଯ୍ୟାପ୍ତ ପରିମାଣରେ ଜଳସେଚନର ସୁବିଧା ନାହିଁ।
ସାଲୁଙ୍ଖୀ ଓ ବାଘ ଜଳସେଚନ ପ୍ରକଳ୍ପ ଉପରେ ଜିଲାର ସିଂହଭାଗ ଚାଷୀ ନିର୍ଭର କରୁଥିବାବେଳେ ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଉପର ମୁଣ୍ଡରେ ବର୍ଷା ନହେଲେ ଚାଷୀର ଜମିକୁ ଜଳ ଯୋଗାଇବାରେ ଏହି ଦୁଇ ପ୍ରକଳ୍ପ ଫେଲ ମାରୁଛି। ବର୍ଷା ନହେଲେ ଜିଲାରେ ନିଶ୍ଚିତ ଭାବେ ମରୁଡିର ଶୀକାର ହେବାକୁ ପଡୁଅଛି । ଫଳରେ ଜିଲାରେ ଚାଷୀମାନେ କ୍ଷତିଗ୍ରସ୍ତ ହେବା ସହ ଆର୍ଥିକ ଅନାଟନର ଶୀକାର ହେଉଛନ୍ତି। ବର୍ତ୍ତମାନ ସମୟରେ ଚାଷୀର ରୁଆ ,ବିହୁଡା ପାଇଁ ଫୁରୁସତ ନଥିବା ସ୍ଥଳେ , ବର୍ଷା ନଥିବାରୁ ଚାଷୀପରିବାର ଚିନ୍ତାରେ ଘରେ ବସି ରହିଛି। ଜିଲାରେ ବର୍ଷାର ଆବଶ୍ୟକତାଠାରୁ ବହୁତ କମ ଥିବା କୃଷି ବିଭାଗ ପକ୍ଷରୁ ସୁଚନା ମିଳିଛି। କିଛିସ୍ଥାନରେ ଚାଷୀମାନେ ଆଉ ଚାଷ ଆଶା ଛାଡି ବିଲକୁ ଗୋରୁ ଗାଈ ଛାଡିବା ମଧ୍ୟ ଆରମ୍ଭ କଲେଣି। ଏଣୁ ପ୍ରଶାସନ ଆଗାମୀ ଦିନରେ ଜିଲାରେ ସ୍ଥାୟୀ ଜଳସେଚନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ବୌଦ୍ଧ ଜିଲାର ଚାଷୀ ପ୍ରତିବର୍ଷ ମରୁଡିର ସମ୍ମୁଖିନ ହେଉଥିବେ।



