ସମ୍ବଲପୁର : ସମ୍ବଲପୁର ପୁଲିସ ଦ୍ୱାରା ବିଗତ ୨ ବର୍ଷ ହେବ ନିୟମିତ ବାଇକ ଚୋରି କରି ଆସୁଥିବା ଏକ ବଡ ଦଳକୁ ଧରିବାରେ ସଫଳ ହୋଇଛି। ସମ୍ବଲପୁର ପୁଲିସର ସୂଚନାନୁଯାୟୀ, ଜିଲାରେ ସକ୍ରିୟ ବାଇକ ଚୋର ସର୍ମ୍ପକରେ ସୂଚନା ପାଇବା ପରେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନାଧିକାରୀ ପ୍ରକାଶ କୁମାର କର୍ଣ୍ଣ, ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନ ଓ ରେଙ୍ଗାଲି ଥାନାଧିକାରୀ ଧବଳେଶ୍ୱର ସାହୁ ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଯାଞ୍ଚ ଦଳ ଗଠନ କରାଯାଇଥିଲା। ଏହି ଦଳ ଏକ ସପ୍ତାହରୁ ଉର୍ଦ୍ଧ ପରିଶ୍ରମ କରି ୨୦ଟି ମୋଟର ବାଇକ ଓ ଗୋଟିଏ ବୋଲେରୋ ଜିପ୍ ଜବତ କରିଛନ୍ତି। ଏ ସର୍ମ୍ପକରେ ୨ ଜଣ ଚୋରି ଗାଡି କ୍ରେତା ଙ୍କ ସମେତ ୧୦ ଜଣ ଚୋର ଓ ୩ ଜଣ ନାବାଳକଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି। ଜବତ ହୋଇଥିବା ଗାଡି ଗୁଡିକର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ।

ପୁଲିସର ସୂଚନାନୁଯାୟୀ, ଏହି ଗ୍ୟାଙ୍ଗ ପ୍ରାୟ ୨ ବର୍ଷ ହେବ ଅଞ୍ଚଳରେ ଗାଡି ଚୋରି କରିବା ପରେ ସେଗୁଡିକର ଚେଚିସ ସଂଖ୍ୟା ଓ ପଞ୍ଜିକରଣ ସଂଖ୍ୟା ବଦଳ କରି ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟକ୍ତିଙ୍କୁ ବିକ୍ରି କରୁଥିଲେ । ବାଇକ ଚୋରି ଗ୍ୟାଙ୍ଗ ସର୍ମ୍ପକରେ ଜଣା ପଡିବା ପରେ ବୈଦ୍ୟୁତିକ ଓ ପାରମ୍ପରିକ ସର୍ଭିଲାନ୍ସ କରାଯିବା ପରେ ଗ୍ୟାଙ୍ଗର ସଦସ୍ୟ ମାନଙ୍କୁ ପୁଲିସ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗ ଶତାଧିକ ଗାଡି ଚୋରି କରିଥିବାର ତଦନ୍ତ ସମୟରେ ଜଣାପଡିଥିବା ବେଳେ ଅନ୍ୟ ଗାଡି ଗୁଡିକ ବିଷୟରେ ସୂଚନା ସଂଗ୍ରହ କରାଯିବା ସହିତ ତଦନ୍ତ ଜାରି ରହିଛି । ଚୋରି ଗାଡି ତଦନ୍ତ ସମୟରେ ଟାଉନ ଥାନା ପକ୍ଷରୁ ୫ଟି ଗାଡି, ଧନୁପାଲି ଥାନା ପକ୍ଷରୁ ୧୦ଟି ଗାଡି ଏବଂ ରେଙ୍ଗାଲି ଥାନା ପକ୍ଷରୁ ଗୋଟିଏ ବୋଲେରୋ ଓ ୫ଟି ଗାଡି ଜବତ କରାଯାଇଛି। ଏ ସର୍ମ୍ପକରେ ଟାଉନ ଥାନା ପକ୍ଷରୁ ୨ ଅଭିଯୁକ୍ତ ବୌଦ୍ଧ ଜିଲା ବ୍ରାହ୍ମଣିପାଲି ନିବାସୀ ଲକ୍ଷ୍ମୀ ନନ୍ଦନ ନାୟକ (୨୫), ବଡଗୋଛାପଡା ନିବାସୀ ସୁବାଷ ମହାନନ୍ଦିଆ (୨୧) ଙ୍କୁ ଗିରଫ କରାଯାଇଛି। ସେହିଭଳି ଧନୁପାଲି ପୁଲିସ ପକ୍ଷରୁ ୮ ଅଭିଯୁକ୍ତ ସମ୍ବଲପୁର ଜିଲାର ସୁଣ୍ଢିମାଳ ନିବାସୀ ନିମାଁଇ ଚରଣ ନାୟକ (୨୫), ଚାରମାଳର ଟୁନା ଭୋଇ (୨୦), କମିଶନର କଲୋନୀର ଅଜୟ ଦେହୁରୀ (୨୨), କାୟକୁଦର କ୍ରିଷ୍ଣା ଓରଫ କୃଷ୍ଣଚନ୍ଦ୍ର ସାହୁ (୨୨), ବିଶ୍ୱନାଥପୁରର ବାବୁଲାଲ ପ୍ରଧାନ, ପିଟାମହୁଲର ଶ୍ରୀରାମ କର୍ମୀ (୨୭), ମାଧପୁରର ସୁନୀଲ ମହାନନ୍ଦ ଓରଫ କିନ୍ନୁ (୨୩) ଓ ମାଧପୁରର ଇନ୍ଦ୍ରମଣି ପୋଢ଼ ଓରଫ ଠେଲୁ (୨୩) ଙ୍କୁ ଗିରଫ କରିଛି। ସେହିପରି ରେଙ୍ଗାଲି ପୁଲିସ ପକ୍ଷରୁ ଗାଡି ଚୋରି ମାମଲାରେ ୩ ଜଣ ନାବାଳକ ଙ୍କ ସମେତ ସମ୍ବଲପୁର ଜିଲାର ମେନକାପଡାର ମଦନ ସୁନ୍ଦର ଖଡିଆ (୨୯) ଓ ବ୍ଲକ ପଡାର ଜିତୁ ମାଝୀ ଓରଫ ଭେକଲ (୨୭) ଙ୍କୁ ଗିରଫ କରିଛି। ଗାଡି ଚୋରି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ନାବାଳକ ମାନଙ୍କୁ କିଶୋର ନ୍ୟାୟାଳୟ ସମ୍ମୁଖରେ ପ୍ରସ୍ତୁତ କରାଯାଇଛି। ଏହି ଗ୍ୟାଙ୍ଗ ଚୋରି ଗାଡି ଗୁଡିକୁ ମୁଖ୍ୟତଃ ସମ୍ବଲପୁର, ବୌଦ୍ଧ, କନ୍ଧମାଳ, ସୋନପୁର ଆଦି ଜିଲାରେ ରହିଥିବା ଚୋରା ଗଞ୍ଜେଇ ଚାଲାଣକାରୀ ଙ୍କୁ ଅତି କମ ଦରରେ ବିକ୍ରି କରୁଥିବାର ଜଣାପଡିଛି।



