www.samajalive.in
Wednesday, December 10, 2025
26.1 C
Bhubaneswar

ପେଟ୍‌-ସିଟି ମେସିନ୍‌ ସେବା : କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଏମ୍‌ସ ଭୁବନେଶ୍ବରର ଆଉ ଏକ ସଫଳତା

ଭୁବନେଶ୍ବର :  କର୍କଟ ରୋଗୀଙ୍କ ପାଇଁ ଖୁସି ଖବର । ଏମ୍‌ସ ଭୁବନେଶ୍ବରରେ ଏବେ ସ୍ବଳ୍ପ ମୂଲ୍ୟରେ ମିଳିପାରିବ କର୍କଟ ରୋଗର ଚିକିତ୍ସା ସୁବିଧା । ଆଜି ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳୀ ପେଟ୍‌-ସିଟି ସ୍କାନ ମେସିନ୍‌ ସେବାର ଉଦ୍‌ଘାଟନ କରିଛନ୍ତି । ସମଗ୍ର ପୂର୍ବ ଭାରତରେ ଏମ୍‌ସ ଭୁବନେଶ୍ବର ହେଉଛି ପ୍ରଥମ ଅନୁଷ୍ଠାନ ଯେଉଁଠାରେ ଏପରି ଅତ୍ୟାଧୁନିକ ମେସିନ୍‌ ସ୍ଥାପିତ ହୋଇଛି । ଅନୁଷ୍ଠାନର ନ୍ୟୁକ୍ଳିୟାର ମେଡିସିନ୍‌ ବିଭାଗ‌ରେ ଏହି ସେବାର ଉଦ୍‌ଘାଟନ କରିବା ଅବସରରେ ଓଡ଼ିଶାବାସୀଙ୍କୁ ଏହି ସେବା ଯୋଗାଇବାକୁ ଏମ୍‌ସ ଭୁବନେଶ୍ବର ସଫଳ ହୋଇଛି । ସ୍ବଳ୍ପ ମୂଲ୍ୟରେ ଏହି ସେବା ସାଧାରଣ ଜନତାଙ୍କ ପାଇଁ ବିଶେଷ ସ‌ହାୟକ ହେବ ବୋଲି ଡ. ଗୀତାଞ୍ଜଳି ପ୍ରକାଶ କରିଛନ୍ତି । ଏହି ଅବସରରେ ନ୍ୟୁକ୍ଳିୟାର୍‌ ମେଡିସିନ୍‌ ବିଭାଗ ସମେତ ଏହି ସେବା କାର୍ଯ୍ୟକ୍ଷମ କରିବାରେ ସଂପୃକ୍ତ ଥିବା ସମସ୍ତଙ୍କୁ ଡ. ଗୀତାଞ୍ଜଳୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏମ୍‌ସ ଭୁବନେଶ୍ବରରେ ଉଦ୍‌ଘାଟିତ ହୋଇଥିବା ଏହି ଅତ୍ୟାଧୁନିକ ପେଟ୍‌-ସିଟି ମେସିନ୍‌ ୧୨୮-ସ୍ଲାଇସ୍‌ ସିଟି ଏବଂ ଏଲ୍‌ଏସଓ କ୍ରିଷ୍ଟାଲ୍‌ ବିଶିଷ୍ଟ ହୋଇଥିବାବେଳେ ଜ୍ଞାନକୌଶଳ ଦୃଷ୍ଟିରୁ ରାଜ୍ୟ ତଥା ପୂର୍ବ ଭାରତରେ ପ୍ରଥମ ବୋଲି ନ୍ୟୁକ୍ଲିୟାର୍‌ ମେଡିସିନ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର୍‌ ଡ. କହ୍ନେୟା ଅଗରୱାଲା ସୂଚନା ଦେଇଛନ୍ତି ।

- Advertisement -

ଏହି ପେଟ୍‌-ସିଟି ସ୍କାନ ମେସିନ ଜରିଆରେ କ୍ଷୁଦ୍ରରୁ କ୍ଷୁଦ୍ରତମ ଅବସ୍ଥାରେ ଥିବା କର୍କଟ ରୋଗର ଚିହ୍ନଟ ହୋଇପାରିବ । ଯାହାକି ପୂର୍ବରୁ ପ୍ରଚଳିତ ମେସିନ୍‌ କରିବାରେ ସକ୍ଷମ ନଥିଲା । ସେହିପରି ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଏହି ମେସିନ୍‌ ସ୍କାନ୍‌ କରିବା ସହିତ ଶରୀରର ଯେଉଁଠି ମଧ୍ୟ କର୍କଟ ରୋଗର ସାମାନ୍ୟ ଲକ୍ଷଣ ଥିବ ତା’କୁ ଚିହ୍ନଟ କରିପାରିବ । ଏଥିସହିତ କର୍କଟ ରୋଗ ଉପରେ ଚିକିତ୍ସା ପ୍ରଭାବ ଏବଂ କେଉଁ ଷ୍ଟେଜ୍‌ରେ ରହିଛି, ଏହା ମଧ୍ୟ ଜଣାପଡ଼ିବ। ରୋଗୀ ଉପରେ ଏହି ମେସିନ୍‌ର ବିକିରଣ (ରେଡିଏସନ୍‌) ପ୍ରଭାବ କମ ରହୁଥିବାବେଳେ ସଠିକ୍‌ ଚିହ୍ନଟ କରିଥାଏ । କ୍ୟାନ୍‌ସର ଅପରେସନ୍‌ ପରେ ପୁନର୍ବାର ଏହି ବ୍ୟାଧି ମଣିଷ ଶରୀରକୁ ଫେରିଛି କି ନାହିଁ ତାହା ମଧ୍ୟ ଚିହ୍ନଟ କରିଥାଏ ଏହି ପେଟ୍‌-ସିଟି ମେସିନ୍‌ । ସେହିପରି ହୃଦୟ ଉପରେ ହୃଦ୍‌ଘାତ୍‌ର ପ୍ରଭାବ, ହୃଦୟର କେଉଁ ଅଂଶରେ ଆଞ୍ଜିଓପ୍ଲାଷ୍ଟି ସୁଫଳ ଦେଉଛି ତାହା ମଧ୍ୟ ଏହି ମେସିନ୍‌ ଜରିଆରେ ଜଣାପଡ଼ିଥାଏ । ସାଧାରଣ ମଣିଷର ମସ୍ତଷ୍କ ଏବଂ ହୃଦୟକୁ ସଠିକ୍‌ ଢଙ୍ଗରେ ମାପିବା ସହିତ କେନ୍ଦ୍ରୀୟ ସ୍ନାୟୁବିକ ବ୍ୟବସ୍ଥାରେ ଥିବା ତ୍ରୁଟି, ସ୍ମୃତିଶକ୍ତି ହ୍ରାସ ଆଦିକୁ ଚିହ୍ନଟ କରିବାରେ ଏହି ପେଟ୍‌-ସିଟି ମେସିନ୍‌ ବିଶେଷ ସହାୟକ ହେଉଥିବା ଡ. ଅଗ୍ରୱାଲା ପ୍ରକାଶ କରିଛନ୍ତି।

 ଓଡ଼ିଶାରେ ପୂର୍ବରୁ କେବଳ କିଛି ଘରୋଇ ହସ୍‌ପିଟାଲରେ ଏପରି ମେସିନ୍‌ ରହିଛି । ଯାହାକି ବେଶ୍‌ ବ୍ୟୟସାକ୍ଷେପ । ଏହି ସ୍କାନ୍‌ କରିବାକୁ ଯେକୌଣସି ଘରୋଇ ହସ୍‌ପିଟାଲରେ ପ୍ରାୟ ୨୫ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବାବେଳେ ଏମ୍‌ସ ଭୁବନେଶ୍ବରରେ ଏହା ମାତ୍ର ୭,୫୦୦ ଟଙ୍କାରେ ହୋଇପାରିବ ବୋଲି ପ୍ରକାଶ । ରାଜ୍ୟରେ ବର୍ଷକୁ ବର୍ଷ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିଚାଲୁଥିବା ବେଳେ ଏହାର ଚିହ୍ନଟ ଏବଂ ନିରାକରଣ କ୍ଷେତ୍ରରେ ଏହି ମେସିନ୍‌ ବିଶେଷ ସହାୟକ ହେବ ବୋଲି ଏମ୍‌ସ ଭୁବନେଶ୍ବର ନିର୍ଦ୍ଦେଶିକା ଡ. ଗୀତାଞ୍ଜଳୀ ମତବ୍ୟକ୍ତ କରିଛନ୍ତି । ଏହି ଅବସରରେ ଏମ୍‌ସ ଭୁବନେଶ୍ବର ଅଧୀକ୍ଷକ ପ୍ରଫେସର ଡ. ଏସ ଏନ ମହାନ୍ତି, ଡିନ୍‌ ଡ. ଦେବାଶିଷ ହୋତା, ଡିଡିଏ ପି କେ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories