ସମାଜ ଡିଜିଟାଲ ଡେସ୍କ: ଦେଶରୁ ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହିତ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ ଆଣିଛି ବିଜେପି। ବିଜେପି ପକ୍ଷରୁ ଏ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରାଯାଇଛି ଅଭିଯୋଗ କରାଯାଇଛି। କେବଳ ସୋନିଆ ନୁହନ୍ତି, ରାହୁଲ ଗାନ୍ଧୀ ମଧ୍ୟ ଭାରତର ଅର୍ଥନୀତିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ସଂଗଠନ ସହିତ ଜଡ଼ିତ ରହିଥିବା ବିଜେପି ଅଭିଯୋଗ କରିଛି।
ବିଜେପି ଅଭିଯୋଗ କରିଛି ଯେ, କରେନ୍ସି ସ୍ପେକୁଲେଟର ତଥା ହେଜ ଫଣ୍ଡ ଅପରେଟର ଜର୍ଜ ସୋରସଙ୍କ ସହିତ ସୋନିଆ ଗାନ୍ଧୀଙ୍କ ଯୋଗସୂତ୍ର ରହିଛି। କାରଣ ସୋନିଆ ଗାନ୍ଧୀ ଫୋରମ ଅଫ ଡେମୋକ୍ରାଟିକ ଲିଡର୍ସ ଇନ ଏସିଆ ପାସିଫିକ(ଏଫଡିଏଲ-ଏପି) ସଂଗଠନର ସହସଭାପତି ରହିଛନ୍ତି। ଏହି ସଂସ୍ଥାକୁ ଜର୍ଜ ସୋରସ ଫାଉଣ୍ଡେସନ ପାଣ୍ଠି ଯୋଗାଇଥାଏ। ଜର୍ଜ ସୋରସ ହେଉଛନ୍ତି ଶେୟାର ବଜାରରେ ଜଣେ କରେନ୍ସି ସ୍ପେକୁଲେଟର ଏବଂ ହେଜ ଫଣ୍ଡ ଅପରେଟର। ଜାମ୍ମୁ-କାଶ୍ମୀରକୁ ଭାରତରୁ ବିଚ୍ଛିନ୍ନ କରିବା ହେଉଛି ଜର୍ଜ ସୋରସ ଫାଉଣ୍ଡେସନ ଏବଂ ଏପଡିଏଲ-ଏପିର ଏଜେଣ୍ଡା। ଏଭଳି ଉଦ୍ଦେଶ୍ୟ ରଖୁଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହିତ ସୋନିଆଙ୍କ ସମ୍ପର୍କ ଥିବା ଦଳ ଅଭିଯୋଗ କରିଛି।
ସେହିପରି ବିଜେପି ଆହୁରି ଅଭିଯୋଗ କରିଛି ଯେ, ସୋରସ ପାଣ୍ଠିରେ ଚାଲିଥିବା ଓପନ ସୋସାଇଟି ଫାଉଣ୍ଡେସନ ଉପସଭାପତି ସଲିଲ ସେଟ୍ଟିଙ୍କର ମଧ୍ୟ ସମ୍ପୃକ୍ତି ରହିଛି। ସଲିଲ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିଲେ। ଅଦାନୀ ଗ୍ରୁପ ବିରୋଧରେ ରାହୁଲ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୋରସ ପାଣ୍ଠିରେ ପରିଚାଳିତ ଅର୍ଗାନାଇଜ୍ଡ କ୍ରାଇମ ଆଣ୍ଡ କରପସନ ରିପୋର୍ଟିଂ ପ୍ରୋଜେକ୍ଟ(ଓସିସିଆରପି) ତଥ୍ୟକୁ ଉପସ୍ଥାପନ କରିଥିଲେ। ଭାରତ ବିରୋଧୀ ଶକ୍ତି ବଳରେ ରାହୁଲ ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବାକୁ ଉଦ୍ୟମ କରିଛନ୍ତି। ଅଦାନୀ ପ୍ରସଙ୍ଗରେ ମୋଦୀ ସରକାରକୁ ଭାଙ୍ଗିବାକୁ ରାହୁଲ ଏବଂ ସୋରସ ଚେଷ୍ଟା କରିଥିଲେ। ତେବେ ବିଜେପିର ଏହି ଅଭିଯୋଗ ସମ୍ପର୍କରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।



