ବିଜେଇଏମ ସ୍କୁଲ କେଳେଙ୍କାରୀର ତଦନ୍ତ କରିବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି – ଅଭିଭାବକ ସଂଘ

ଡେସ୍କ: ସମ୍ପ୍ରତି ଭୁବନେଶ୍ୱର ବକ୍ସି ଜଗବନ୍ଧୁ ଇଂଲିଶ ମିଡ଼ିଅମ ସ୍କୁଲ (ବିଜେଇଏମ)ରେ ଦେୟ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଜି ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଅଭଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଜେଇଏମ ସ୍କୁଲ ଅଭିଭାବକ ସଂଘ ସଭାପତି ରଂଜନ କୁମାର ଦାସଙ୍କ ନେତୃତ୍ଵରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ଅଭିଯୋଗ ଅନୁଯାୟୀ, ସ୍କୁଲ କର୍ତ୍ତୃପକ୍ଷ ଜଷ୍ଟିସ କେ ପି ମହାପାତ୍ରଙ୍କ ସବ କମିଟି ରିପୋର୍ଟକୁ ଫାଇନାଲ ରିପୋର୍ଟ ଦର୍ଶାଇ ବାର୍ଷିକ ୨୦% ହାରରେ ଫି ବୃଦ୍ଧି କରି ଚାଲିଛନ୍ତି। ଗତକାଲି ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ବେଳେ ସବ କମିଟି ରିପୋର୍ଟର ସତ୍ୟତା ଧରା ପଡିଯିବା, ଫି ବୃଦ୍ଧି ପାଇଁ କିଛି ଅଭିଭାବକ ମାନେ ଶିକ୍ଷକମାନଙ୍କୁ କହିଛନ୍ତି ବୋଲି ସ୍କୁଲ ଅଧ୍ୟକ୍ଷା ସନ୍ଧ୍ୟା ଜେନା ପୋଲିସ ଉପସ୍ଥିତିରେ କହିବା କଥା ବିଷୟ ସ୍କୁଲ ଗଣଶିକ୍ଷା ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୌଣସି ଅଭିଭାବକ ଫି ବୃଦ୍ଧି ସପକ୍ଷରେ ଦସ୍ତଖତ ଦେଇ ନାହାନ୍ତି ବୋଲି ଆଜି ସଂଘ ଜଣାଇଛି।

ବିଦ୍ୟାଳୟ କର୍ତୃପକ୍ଷ ମିଛ କହି କୋଟି କୋଟି ଟଙ୍କା ଲୁଟୁଥିବା ବିଷୟରେ ଅଭିଭାବକ ସଙ୍ଘ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଭାବକ ସଙ୍ଘ କହିଛି। ରାଜ୍ୟର ସବୁ ବେସରକାରୀ ସ୍କୁଲରେ ଏପରି ଘଟୁଥିବାରୁ ଅଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଏହାର ପ୍ରଭାବରେ ସାରା ରାଜ୍ୟର ଲକ୍ଷ ଲକ୍ଷ ଅଭିଭାବକ ନ୍ୟାୟ ପାଇପାରିବେ ବୋଲି ଓଡିଶା ଅଭିଭାବକ ମହାସଂଘ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବେ ବୋଲି ଉପସ୍ଥିତ ଅଭିଭାବକ ମାନଙ୍କୁ ପ୍ରତିଶ୍ରୁତି ଦେଇଥିବା କୁହାଯାଇଛି।

Comments are closed.