ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ସମ୍ପୂର୍ଣ୍ଣ, ଭାଙ୍ଗିଲା ଗତବର୍ଷର ରେକର୍ଡ଼

ଚଳିତ ବର୍ଷ ୨୦ଟି ନୂତନ ପ୍ରଜାତିର ପକ୍ଷୀ

ବୁର୍ଲା: ହୀରାକୁଦ ଜଳଭଣ୍ଡାରର ଅସୁମାରୀ ଜଳରାଶି ଉପଭୋଗ ପାଇଁ ଚଳିତ ଶୀତ ଋତୁରେ ଏଥର ୧୧୩ ପ୍ରଜାତିର ରେକର୍ଡ ସଂଖ୍ୟକ ୩,୪୨,୩୪୫ ପରିଭ୍ରାଜକ ପକ୍ଷୀଙ୍କ ଆଗମନ ହୋଇଛି। ନିକଟରେ ୫୦୦ ବର୍ଗ କିଲୋମିଟର ପରିମିତ ଏହି ଜଳଭଣ୍ଡାର, ଏହାର ପାୱାର କେନାଲ କୂଳରେ ଥିବା ବିଭିନ୍ନ ଜଙ୍ଗଲରେ ପରିଭ୍ରାଜକ ପକ୍ଷୀମାନଙ୍କ ଗଣନା କରାଯାଇଥିଲା ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌‌ଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି।

ଏଥର ୨୦ ନୂତନ ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଗୋଲ୍‌‌ସି ଲିବ୍‌‌ସ, ବ୍ଲେକ ବିଟର୍ଣ୍ଣ, ଗ୍ରୀନ୍‌‌ ସେଂଟପାଇପର୍‌‌, କମନ୍‌‌ ସ୍ନାଇପ୍‌‌, ରେଡ ରମ୍ପଡ଼୍‌‌, ସୁଆଲୋ, ହ୍ୱାଇଟ୍‌‌ ୱାକ୍‌‌ଟେଲ, ସାଇବେରିଏନ୍‌‌ ଷ୍ଟୋନ୍‌‌ ଚାର୍ଟ, ପାମ୍‌‌, ସ୍ୱିଇଫ୍ଟ, କମନ୍‌‌ କେଷ୍ଟ୍ରେଲ, ଚେଷ୍ଟ ନଟ ବିଟର୍ଣ୍ଣ, ବ୍ରାଉନ୍‌‌ କ୍ରେକ୍‌‌, ୱାଟର କକ୍‌‌ ଗେଲି କ୍ରେସ୍‌‌, ବ୍ଲିଥ୍‌‌ ରିଡ଼, ୱାର୍କ ବ୍ଲର, ଇଣ୍ଡିଏନ୍‌‌ ଥିକ୍‌‌ନି, ସର୍ଟଥୋଡ଼୍‌‌ ସ୍ନେକ୍‌‌ ଇଗଲ, ଇଣ୍ଡିଏନ୍‌‌ ବୁଶ୍‌‌ ଲାର୍କ, ନକ୍‌‌ବିଲ୍‌‌ଡ ଡକ୍‌‌, କମନ୍‌‌ ଗ୍ରୀନ୍‌‌ ସାଙ୍କ, ଜିିଟି ତିଷ୍ଟିକୋଲା ରହିଛନ୍ତି। ଏଥର ସର୍ବାଧିକ ଟ‘ଟେଡ଼୍‌‌ ଡକ୍‌‌ ୫୨ ହଜାର, ଲେସର୍‌‌ ହ୍ୱିସିଲିଂ ଡକ୍‌‌ ୪୯ ହଜାର ଏବଂ ରେଡ କ୍ରିଏଟେଡ ପୋଚାର ୩୩ ହଜାର ସଂଖ୍ୟାରେ ଆସିଛନ୍ତି। ଚଳିତ ବର୍ଷ ଟଫ୍ଟେଡ ଡକ ୫୨ ହଜାର ୫୧୬, ଲେସର ହ୍ୱିସଲିଙ୍ଗ ଡକ ୪୯ ହଜାର ୨୫୯ ଏବଂ ରେଡ କ୍ରିଏଟେଡ ପୋଚାର୍ଡ଼ ୩୩ ହଜାର ୪୩୪ଟି ସର୍ବାଧିକ ରହିଥିବା ସୂଚନା ହସ୍ତଗତ ହୋଇଛି। ସର୍ବାଧିକ ପକ୍ଷୀ ଗଣନା ପ୍ରଥମରେ ୭ ନମ୍ବର ସେକ୍ଟର ଓଡ଼ିଶା ଛତିଶଗଡ଼ ସୀମା ବରଗଡ଼ ଜିଲ୍ଲାର ଲନସରାରେ ୬୫ ପ୍ରଜାତିର ୪୮ହଜାର ୩୬ ପକ୍ଷୀ, ଦ୍ୱିତୀୟ ସ୍ଥାନରେ ୮ ନମ୍ବର ସେକ୍ଟରରେ ୬୧ ପ୍ରଜାତିର ୪୪ହଜାର୮୧୮ଟି ପକ୍ଷୀ ଏବଂ ତୃତୀୟ ସ୍ଥାନରେ ୯ ନମ୍ବର ସେକ୍ଟର ଝାରପଡ଼ା ଝାରସଗୁଡ଼ାରେ ୬୮ ପ୍ରଜାତିର ୩୪ହଜାର୨୫୧ ସଂଖ୍ୟକ ପକ୍ଷୀ ରେକର୍ଡ଼ଭୁକ୍ତ ହୋଇଛି।

prayash

ପକ୍ଷୀଗଣନାରେ ୩୨ଟି ଦଳରେ ୭୮ ଜଣ ଅଂଶଗ୍ରହଣ କରିଥିଲେ। ଏଥିରେ ପକ୍ଷୀ ବିଶେଷଜ୍ଞଙ୍କ ସହିତ ୩୨ ଟି ନୌକା ବ୍ୟବହାର କରାଯାଇଥିଲା। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଜିଲ୍ଲା ସହିତ ମହାନଦୀର ଛତିଶଗଡ଼ ସୀମା ପର୍ଯ୍ୟନ୍ତ ୨୧ଟି ସେକ୍ଟର କରାଯାଇ ପକ୍ଷୀମାନଙ୍କ ଗଣନା କରାଯାଇଛି। ଗଣନାକାରୀମାନଙ୍କୁ ଜୀବନରକ୍ଷାକାରୀ ଜାକେଟ, ଗଣନା ପାଇଁ କିଟ ବାଇନାକୁଲର ପ୍ରଭୃତି ଉପକରଣ ଦିଆଯାଇଥିଲା। ଏଥର ବିଳମ୍ବରେ ହେଲେ ମଧ୍ୟ ଜଳବାୟୁ ଅନୁକୂଳ ଥିବାରୁ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସାଧାରଣତଃ ନଭେମ୍ବର ଓ ଡିସେମ୍ବର ମାସ ବେଳକୁ ସାଇବେରିଆ, ମଙ୍ଗୋଲିଆ, ହିମାଳୟ ପର୍ବତମାଳା, ଆମେରିକା, ୟୁରୋପ, ୟୁକେ, ଅଷ୍ଟ୍ରେଲିଆ, ରଷିଆ ଏବଂ ମଧ୍ୟପ୍ରଚ୍ୟ ଅଞ୍ଚଳ ଏସିଆର ଅନ୍ୟାନ୍ୟ ସ୍ତାନରୁ ପକ୍ଷୀମାନେ ହୀରାକୁଦକୁ ଆସିଛନ୍ତି। ଗ୍ରୀଷ୍ମ ଆଗମନ ସହିତ ଫେବ୍ରୁଆରୀ ମାସ ଶେଷ କିମ୍ବା ମାର୍ଚ୍ଚ ମାସର ପ୍ରଥମାର୍ଦ୍ଧରେ ଏହି ପରିବ୍ରାଜକ ପକ୍ଷୀମାନେ ହଜାର ହଜାର କିଲୋମିଟର ଆକାଶପଥ ଅତିକ୍ରମ କରି ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରନ୍ତି। ବର୍ଷକୁ ବର୍ଷ ଏହି କୃତ୍ରିମ ହ୍ରଦ ବା ହୀରାକୁଦ ଜଳଭଣ୍ଡାର ଏବଂ ପରିପାର୍ଶ୍ବରେ ଥିବା ଜଙ୍ଗଲ ଓ ପାହାଡ଼କୁ ବିଦେଶାଗତ ପକ୍ଷୀମାନଙ୍କ ସଂଖ୍ୟା ବଢ଼ିଛି। ଅର୍ନ୍ତଜାତୀୟ ସଂସ୍ଥା ଦ୍ୱାରା ରାମସର ଆର୍ଦ୍ର ଭୂମି ମାନ୍ୟତା ପାଇଥିବା ହୀରାକୁଦ ଜଳଭଣ୍ଡାରରେ ଏଥର ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀମାନେ ସାମିଲ ହୋଇଛନ୍ତି। ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ହୀରାକୁଦର ଉପରମୁଣ୍ଡ ଛତିଶଗଡ଼ ସୀମାରେ ଥିବା ଗୋବିନ୍ଦପୁର ଗ୍ରାମକୁ ପକ୍ଷୀଗ୍ରାମ ଘୋଷଣା କରାଯାଇଛି। ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ଜନସଚେତନତା କାର୍ଯ୍ୟକ୍ରମରେ ଗ୍ରାମବାସୀମାନଙ୍କୁ ସାମିଲ୍‌‌ କରାଯାଇଛି। ଏଥର ଗତ ବର୍ଷ ଅପେକ୍ଷା ଅଧିକ ୨୦ ପ୍ରଜାତିର ନୂଆଁ ପକ୍ଷୀ ହୀରାକୁଦରେ ଦୃଷ୍ଟିଗୋଚର ହୋଇଛନ୍ତି।

ଗତ ବର୍ଷ ହୀରାକୁଦକୁ ରେକର୍ଡ଼ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ୬୭୬ ପରିବ୍ରାଜକ ପକ୍ଷୀ ଆସିଥିଲେ। ୨୦୨୨ରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର ୬୩୪ ପକ୍ଷୀ ଏବଂ ୨୦୨୧ ମସିହାରେ ୯୮ ପ୍ରଜାତିର ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ଏବଂ ୨୦୨୦ ମସିହାରେ ୯୩ ପ୍ରଜାତିର ୯୭ ହଜାର୮୯୯ଟି ପକ୍ଷୀ ଆସିଥିବା ରେକର୍ଡ଼ଭୁକ୍ତ ହୋଇଥିଲା।

Comments are closed.