www.samajalive.in
Sunday, December 14, 2025
23.1 C
Bhubaneswar

ବିନା ପଞ୍ଜୀକରଣରେ ଗ୍ରାହକଙ୍କୁ ମିଳିବନି ଗାଡ଼ି

ଭୁବନେଶ୍ୱର: ଗାଡ଼ିଟିଏ କିଣି ଆଣିବାର ମାସ ମାସ ପର୍ୟ୍ୟନ୍ତ ଗ୍ରାହକ ତାହାର ରେଜିଷ୍ଟ୍ରେସନ୍‌ ନମ୍ବର ପାଉ ନାହାନ୍ତି। ଗାଡ଼ିର କାଗଜପତ୍ର ପାଇବା ପାଇଁ ବିଚରା ଗ୍ରାହକ ଗାଡ଼ି କିଣିଥିବା ଶୋରୁମ୍‌ ଏବଂ ଆରଟିଓ କାର୍ୟ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି। କିନ୍ତୁ ଆଗକୁ ଏପରି ହେବ ନାହିଁ। ଏଣିକି କୌଣସି ଶୋରୁମ୍‌ ଗ୍ରାହକଙ୍କୁ ରେଜିଷ୍ଟ୍ରେସନ୍‌ ନମ୍ବର ବିନା ଗାଡି ଦେଇ ପାରିବେ ନାହିଁ। ଯଦି ବିନା ପଞ୍ଜୀକରଣରେ ଗ୍ରାହକଙ୍କୁ ଗାଡ଼ି ଦିଆଯାଉ ଥିବା ନଜରକୁ ଆସେ ତେବେ ସମ୍ପୃକ୍ତ ଡିଲର୍‌ଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବହନ କମିଶନରଙ୍କ କାର୍ୟ୍ୟାଳୟ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ପରିବହନ ବିଭାଗ ସୂତ୍ରରୁ ହସ୍ତଗତ ସୂଚନାନୁସାରେ କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ଧାରା ୪୨ ଅନୁସାରେ କୌଣସି ଡିଲର୍‌ ପଞ୍ଜିକୃତ ହୋଇ ନଥିବା ଗାଡି ଗ୍ରାହକଙ୍କୁ ଦେଇ ପାରିବେ ନାହିଁ। କିନ୍ତୁ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ଏହି ଆଇନ୍‌ର ଉଲ୍ଲଘଂନ କରାଯାଉଛି। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଗ୍ରାହକ ଶୋରୁମ୍‌ରେ ଟଙ୍କା ପୈଠ କରିବା ପରେ ଘରକୁ ଗାଡ଼ି ନେଇ ଆସୁଛନ୍ତି। ଦୁଇ ସପ୍ତାହ ଭିତରେ ରେଜିଷ୍ଟ୍ରେସନ୍‌ କାର୍ଡ ଓ ଅନ୍ୟ ପ୍ରମାଣପତ୍ର ଡ଼ାକଯୋଗେ ଘରେ ପହଞ୍ଚି ଯିବ ବୋଲି ଗ୍ରାହକଙ୍କୁ କୁହାଯାଉଛି। ଏପରି ହେଉଛି ମଧ୍ୟ। ପରିବହନ କମିଶନରଙ୍କ ସର୍କୁଲାର କହୁଛି ଯେ ଅନେକ ଡିଲର୍‌ ପଞ୍ଜୀକରଣ ଓ ଟିକସ ବାବଦ ଅର୍ଥ ଗ୍ରାହକଙ୍କ ଠାରୁ ଆଦାୟ କରୁଥିଲେ ମାସ ମାସ ପର୍ୟ୍ୟନ୍ତ ତାହା ଆରଟିଓଙ୍କ କାର୍ୟ୍ୟାଳୟରେ ଦାଖଲ କରାଯାଉ ନାହିଁ। ଅର୍ଥାତ୍‌ ସରକାରୀ ଅର୍ଥକୁ ସମ୍ପୃକ୍ତ ଡିଲର୍‌ ମାସ ମାସ ପର୍ୟ୍ୟନ୍ତ ନିଜ ପାଖରେ ରଖୁଛନ୍ତି, ଯାହା ସରକାରଙ୍କୁ କ୍ଷତି ପହଞ୍ଚାଉଛି। ଅପରପକ୍ଷେ କାଗଜପତ୍ର ପାଇବା ପାଇଁ ଗ୍ରାହକ ବେଶ୍‌ ସମସ୍ୟା ଭୋଗୁଛନ୍ତି। ତେଣୁ ଆଗକୁ ବିନା ପଞ୍ଜୀକରଣରେ କୌଣସି ଗାଡି ଗ୍ରାହକଙ୍କୁ ନଦେବା ପାଇଁ କମିଶନରଙ୍କ ପକ୍ଷରୁ ସମସ୍ତ ଡିଲର୍‌ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories