www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶାର ନବନିର୍ମାଣର ବିଶ୍ୱକର୍ମା ଥିଲେ ବିଜୁବାବୁ

୨୭ ଜାନୁଆରୀ ୨୦୧୮ରେ ଭୁବନେଶ୍ୱରର ଉତ୍କଳ ମଣ୍ଡପରେ ‘ଦି ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକର ଲୋକାର୍ପଣ ଉତ୍ସବରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଫେସର ପ୍ରଣବ ମୁଖାର୍ଜୀ ବିଜୁ ପଟ୍ଟନାୟକଙ୍କ ଦେଶଭକ୍ତିର ପଟାନ୍ତର ନାହିଁ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ‘ସେ ରାଜନେତା ନଥିଲେ, ଥିଲେ ଜଣେ ରାଷ୍ଟ୍ରନେତା। ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି ସେ ଦେଶ ଆଉ ସମାଜକୁ ନୂତନ ଭାବେ ଗଢ଼ି ତୋଳିବାକୁ ଅହରହ ଚେଷ୍ଟିତ ଥିଲେ। ଓଡ଼ିଶାକୁ ସେ ହୃଦୟ ଦେଇ ଭଲ ପାଉଥିଲେ ଏବଂ ଓଡ଼ିଶାର ବିକାଶ ପାଇଁ ତାଙ୍କ ଆଖିରେ ଥିଲା ଅଜସ୍ର ସ୍ୱପ୍ନ। ସେ ନିଜେ ସ୍ୱପ୍ନ ଦେଖୁଥିଲେ ଆଉ ଓଡ଼ିଶାବାସୀଙ୍କୁ ସ୍ୱପ୍ନ ଦେଖାଇଥିଲେ, ଯେଉଁ ସ୍ୱପ୍ନ ଓଡ଼ିଶାବାସୀଙ୍କୁ ବିଭୋର କରାଇଥିଲା।’

ବିଜୁ ପଟ୍ଟନାୟକ ଓଡ଼ିଶାର ପ୍ରାକୃତିକ ସମ୍ପଦର ବିନିଯୋଗ ଜରିଆରେ ଓଡ଼ିଶାବାସୀଙ୍କୁ ଦାରିଦ୍ର୍ୟର ଅଭିଶାପରୁ ମୁକ୍ତ କରି ସମୃଦ୍ଧି ପଥରେ ଅଗ୍ରସର କରାଇବା ପାଇଁ କିଭଳି ସ୍ବପ୍ନ ଦେଖୁଥିଲେ ଏବଂ ଓଡ଼ିଶାକୁ କିଭଳି ଭାବରେ ଗଢ଼ିବାକୁ ସ୍ବପ୍ନ ଦେଖୁଥିଲେ ​ସେ ବିଷୟରେ ଓଡ଼ିଶାର ଦୁଇଥର ରାଜ୍ୟପାଳ ଥିବା ଡକ୍ଟର ଅଯୋଧ୍ୟା ନାଥ ଖୋସଲା ତାଙ୍କ ପୁସ୍ତକ ‘ଡିକେଡ୍ ଅଫ୍ ଡେଷ୍ଟିନୀ’ରେ ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକଟି ପଢ଼ିଲେ ବିଜୁବାବୁଙ୍କ ଦୂରଦୃଷ୍ଟି ଯେକୌଣସି ଲୋକକୁ ସ୍ତମ୍ଭୀଭୂତ କରିବ। ପ୍ରଫେସର ରାଜକିଶୋର ରାୟ ଏକ ପ୍ରବନ୍ଧରେ ବିଜୁବାବୁଙ୍କ ସ୍ୱପ୍ନ ସମ୍ବନ୍ଧରେ ଲେଖିଛନ୍ତି, ‘ବିଜୁ ଓଡ଼ିଶାର ଶିଳ୍ପ ବିପ୍ଳବର ପ୍ରଥମ ନିୟାମକ, ଚିନ୍ତକ ଓ ଅଗ୍ରଦୂତ। ଉତ୍କଳ ଗୌରବ ମଧୁସୂଦନଙ୍କ ଅନ୍ତେ ବିଜୁ ହିଁ ଚିନ୍ତାକଲେ ଏ ଜାତିର ମୋକ୍ଷ ରହିଛି ଶିଳ୍ପାୟନରେ। ସେ ହିଁ ଓଡ଼ିଶାର ପ୍ରଥମ ଶିଳ୍ପପତି। ସେ ଦେଖୁଥିଲେ ଉତ୍କଳ ଜନନୀ ମଣି-ମାଣିକ୍ୟରେ ପରିପୂର୍ଣ୍ଣ। କି ଖଣି, କି ଶଇଳ, ଅରଣ୍ୟ, ସାଗର, ନଦୀ ସବୁଥିରେ ବିଭବ ଏ ରାଜ୍ୟ।’

- Advertisement -

ଓଡ଼ିଶାର ନବନିର୍ମାଣର ବିଶ୍ୱକର୍ମା ଥିଲେ ବିଜୁବାବୁ। ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସେ ପ୍ରତିଜ୍ଞାବଦ୍ଧ ଥିଲେ। ବିଜୁବାବୁ ସବୁବେଳେ କହୁଥିଲେ ଗ୍ରାମଗୁଡ଼ିକ ହେଉଛି ଭାରତର ଆତ୍ମା। ଗ୍ରାମର ଉନ୍ନତି ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା, ଦଳିତ ଓ ଆଦିବାସୀମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ସବୁ ବର୍ଗର ଲୋକଙ୍କୁ ଶାସନରେ ସାମିଲ କରିବାକୁ ଆଇନ୍ ପ୍ରଣୟନ କରିଥିଲେ। ସେ ମୁଖ୍ୟମନ୍ତ୍ରୀ ଥିଲାବେଳେ ସରପଞ୍ଚମାନଙ୍କୁ ‘ପଞ୍ଚାୟତର ମୁଖ୍ୟମନ୍ତ୍ରୀ’ କହି ସେମାନଙ୍କର ମନୋବଳ ସୁଦୃଢ଼ କରିଥିଲେ। ଦିନ ମଜୁରିଆମାନଙ୍କର ଦୈନିକ ମଜୁରି ୧୧ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି କରି ସେ ଶ୍ରମଜୀବୀମାନଙ୍କର ଅଶେଷ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ। ବିଜୁବାବୁ ମହିଳାମାନଙ୍କର ଉନ୍ନତି ନିମନ୍ତେ ସବୁ କ୍ଷେତ୍ରରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରିଥିଲେ। ସେ ହିଁ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ମହିଳା ବିକାଶ ନିଗମ ଗଠନ କରି ସବୁ କ୍ଷେତ୍ରରେ ମହିଳାମାନଙ୍କୁ ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରିଥିଲେ ଏବଂ ନିଯୁକ୍ତି କ୍ଷେତ୍ରରେ ୩୦% ସ୍ଥାନ ସଂରକ୍ଷଣ କରି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଥିଲେ।
ବିଜୁବାବୁ ନିଜେ ଚୌଦ୍ୱାରରେ ଓଡ଼ିଶା ଟେକ୍ସଟାଇଲ୍ ମିଲ୍ସ, କଳିଙ୍ଗ ଟ୍ୟୁବ୍ସ ଓ ଟାଇଲ୍ କାରଖାନା ଏବଂ କଟକରେ କଳିଙ୍ଗ ରେଫ୍ରିଜେରେଟର କାରଖାନା ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ ବାଲିମେଳାରେ ଜଳବିଦ୍ୟୁତ ପ୍ରକଳ୍ପ ଓ ଜଳସେଚନ ଯୋଜନା, ସୁନାବେଡ଼ାରେ ମିଗ୍ ବିମାନ କାରଖାନା, ରାୟଗଡ଼ାରେ କାଗଜ କଳ, ଥିରୁବାଲିରେ ଫେରୋକ୍ରୋମ୍ କାରଖାନା ପ୍ରତିଷ୍ଠା କରିଥିଲେ। ଶାସନ କରୁଥିବା ଅଧିକାରୀମାନେ ଲୋକଙ୍କର କିଭଳି ନିକଟତର ହେବେ ସେଥିପାଇଁ ସେ ଓଡ଼ିଶାର ୧୩ଟି ଜିଲାକୁ ୩୦ଟି ଜିଲା ପରିଣତ କରି ଓଡ଼ିଶାର ଜନସାଧାରଣଙ୍କର ଶ୍ରଦ୍ଧା ଭାଜନ ହୋଇପାରିଥିଲେ।

ବିଜୁବାବୁ ଥିଲେ ଜଣେ ସ୍ଥିତପ୍ରଜ୍ଞ ରାଷ୍ଟ୍ରନାୟକ। ଜୀବନ ସଂଗ୍ରାମରେ ବିଜୟ ତାଙ୍କୁ କେବେ ଉଲ୍ଲସିତ କରିନାହିଁ କିମ୍ବା ପରାଜୟର ଗ୍ଲାନି ତାଙ୍କ ମନରେ ଦୁଃଖ ଦେଇନି। ତାଙ୍କର ସାରାଜୀବନ ଓଡିଶାର ଉନ୍ନତି ପାଇଁ ଅବିରତ ସଂଗ୍ରାମରେ କଟିଛି। ବିଜୁବାବୁଙ୍କ ଭଳି ଦୁଃସାହସିକ ଓ ଦୁର୍ବାର ବ୍ୟକ୍ତି କେବଳ କଟକ ସହରର ଓଡ଼ିଆ ବଜାରରେ ଜନ୍ମିତ ସୁଭାଷ ବୋଷଙ୍କ ସହିତ ତୁଳନୀୟ। ତାଙ୍କର ସାହସିକତା ଓ ବ୍ୟକ୍ତିତ୍ୱକୁ ବହୁ ବୁଦ୍ଧିଜୀବୀ ନେପୋଲିୟନ, ଷ୍ଟାଲିନଙ୍କ ସହିତ ତୁଳନା କରିଥାନ୍ତି। ସେ ନିଜକୁ ଖାରବେଳଙ୍କ ଦାୟାଦ ବୋଲି ଗର୍ବ ଅନୁଭବ କରୁଥିଲେ। ଓଡ଼ିଶାବାସୀ ମଧ୍ୟ ଅତି ଶ୍ରଦ୍ଧା ଓ ସମ୍ମାନର ସହିତ ତାଙ୍କୁ ଦ୍ୱିତୀୟ ଖାରବେଳ ବୋଲି ସମ୍ବୋଧିତ କରନ୍ତି।

ବିରାଟ ସ୍ୱପ୍ନ ଦେଖିବାର ସାମର୍ଥ୍ୟ ବିଜୁ ପଟ୍ଟନାୟକଙ୍କର ଥିଲା। ସେ ହୃଦୟଙ୍ଗମ କରିଥିଲେ ବାଣିଜ୍ୟରେ ଅଗ୍ରଗତି କଲେ ହିଁ ଓଡ଼ିଶା ଏକ ସମୃଦ୍ଧିଶାଳୀ ରାଜ୍ୟରେ ପରିଣତ ହୋଇପାରିବ। ଏଥିପାଇଁ ବନ୍ଦର ଯେ ନିହାତି ଆବଶ୍ୟକ ଏହା ବିଜୁବାବୁ ଉପଲବ୍ଧି କରୁଥିଲେ। ବଙ୍ଗୋପସାଗର ଓ ମହାନଦୀର ସଙ୍ଗମସ୍ଥଳରେ ପାରାଦ୍ବୀପଠାରେ ଏକ ସୁଗଭୀର ବନ୍ଦର ନିର୍ମାଣ କରିବାର ସ୍ୱପ୍ନ ବିଜୁବାବୁ ଦେଖିଥିଲେ। ତାଙ୍କ ଉଦ୍ୟମର ଫଳ ସ୍ୱରୂପ ୧୯୬୨ ମସିହା ଜାନୁଆରୀ ୩ ତାରିଖ ଦିନ ପାରାଦ୍ବୀପ ବନ୍ଦରର ଶିଳାନ୍ୟାସ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଦ୍ୱାରା ହୋଇଥିଲା, କିନ୍ତୁ କେନ୍ଦ୍ରୀୟ ଯୋଜନାରେ ପାରାଦ୍ବୀପ ବନ୍ଦର ପାଇଁ ଆର୍ଥିକ ସାହାଯ୍ୟ ନ ମିଳିବାରୁ ବିଜୁ ପଟ୍ଟନାୟକ ରାଜ୍ୟ ପାଣ୍ଠିରୁ ୧୯ କୋଟି ଟଙ୍କା ଖର୍ଚ୍ଚ କରିବାର ନିଷ୍ପତ୍ତି ନେଇ ସେହିବର୍ଷ ନଭେମ୍ବର ୧୫ ତାରିଖରୁ ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ। ପାରାଦ୍ବୀପ ବନ୍ଦର ଖନନ ସହ ଦୈତାରୀ ଲୁହାଖଣିରୁ ଲୁହାପଥର ରପ୍ତାନି ପାଇଁ ଦୈତାରୀଠାରୁ ପାରାଦ୍ବୀପ ବନ୍ଦର ପର୍ଯ୍ୟନ୍ତ ୧୪୭ କିଲୋମିଟର ଲମ୍ବ ଏକ୍ସପ୍ରେସ ହାଇୱେ ନିର୍ମାଣ କରିଥିଲେ। ବିଜୁବାବୁ ଏହିପରି କ୍ଷିପ୍ରଗତିରେ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଲେ ଯେ ଭାରତ ସରକାର ବାଧ୍ୟ ହୋଇ ୧୯୬୫ ଜୁନ୍ ୧ ରେ ଏହି ବନ୍ଦରକୁ ହାତକୁ ନେଲେ ଏବଂ ୪୦ କୋଟି ଟଙ୍କାର ଅନୁଦାନ ଦେବେ ବୋଲି ପ୍ରତିଶ୍ରୁତି ଦେଲେ। ୧୨ ମାର୍ଚ୍ଚ ୧୯୬୬ରେ ଇନଭେଷ୍ଟିଗେଟର ନାମକ ଜାହାଜର ପ୍ରବେଶ ସହିତ ପାରାଦୀପ ବନ୍ଦରରେ ବାଣିଜ୍ୟ କାରବାର ଆରମ୍ଭ ହେଲା। ୧୮ ଏପ୍ରିଲ ୧୯୬୬ରେ ଭାରତ ସରକାର ଏହାକୁ ବୃହତ ବନ୍ଦର ଭାବରେ ଘୋଷଣା କଲେ। ବିଜୁ ପଟ୍ଟନାୟକ କ୍ଷମତାରେ ଥାଆନ୍ତୁ ବା ନ ଥାଆନ୍ତୁ ସବୁବେଳେ ପାରାଦ୍ବୀପ ବନ୍ଦରର ଉନ୍ନତି ପାଇଁ ଚେଷ୍ଟିତ ଥିଲେ।

ବିଜୁବାବୁଙ୍କ ବ୍ୟକ୍ତିତ୍ୱର ସବୁଦିଗକୁ ମୂଲ୍ୟାୟନ କରି ୱିଲିୟମ୍ ହଙ୍ଗେନ୍ ତାଙ୍କ ରଚିତ ‘ଆଫ୍ଟର ନେହେରୁ ହୁ(ନେହେରୁଙ୍କ ପରେ କିଏ)’ ପୁସ୍ତକରେ ବିଜୁ ପଟ୍ଟନାୟକଙ୍କୁ ନେହରୁଙ୍କ ପରେ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ଅନ୍ୟତମ ଯୋଗ୍ୟ ବ୍ୟକ୍ତି ରୂପେ ବର୍ଣ୍ଣନା କରିଛନ୍ତି। ଓଡ଼ିଆ ଜାତି ଆଜି ଯଦି ବିଶ୍ୱରେ ମାନ୍ୟତା ପାଇଛି ତାହା ସମ୍ଭବ ହୋଇଛି ବିଜୁ ପଟ୍ଟନାୟକଙ୍କ ଯୋଗୁଁ। ଆଜି ତାଙ୍କ ଜନ୍ମଦିବସରେ ଓଡ଼ିଆ ଜାତି ତାଙ୍କୁ ଶତ ପ୍ରଣାମ ଜଣାଉଛି।

ବିମଳେନ୍ଦୁ ମହାନ୍ତି (ପୂର୍ବତନ କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ)

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories