ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା; ବିଜେବି କଲେଜରେ ତଦନ୍ତକାରୀ ଟିମ୍
ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ଉପରୁ ଏଯାଏ ପରଦା ହଟିପାରିନାହିଁ । ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଛାତ୍ରୀ ନିବାସରେ ବର୍ତ୍ତମାନ ସ୍ୱତନ୍ତ୍ର ତଦନ୍ତ ଅଧିକାରୀ ଟିମ୍ ପହଞ୍ଚିଛନ୍ତି । ତାହା ସହ ଆଜି ନବମ ଦିନରେ ମନସ୍ତତ୍ତ୍ୱବିତଙ୍କୁ ନେଇ ହଷ୍ଟେଲରେ ପୁଲିସ ପହଞ୍ଚିଛି । ଘଟଣାକୁ ନେଇ ବିଭିନ୍ନ ଦିଗରୁ ପୁଲିସ ଛାନଭିନ୍ ଜାରି ରଖିଥିବା ବେଳେ +୩ ପ୍ରଥମ ବର୍ଷ ଛାତ୍ରୀଙ୍କୁ ପୁଲିସ ପଚରାଉଚରା କରୁଛି ।
ପୂର୍ବରୁ ଛାତ୍ରୀ ରୁଚିକା ମହାନ୍ତିଙ୍କ ବାପାମା’ ସମେତ ଅନେକ ଛାତ୍ରଛାତ୍ରୀ ବିଜେବି କଲେଜରେ ରାଗିଂ ହେଉଥିବା ଅଭିଯୋଗ ଆଣିଥିଲେ । ରୁଚିକା ଲେଖିଥିବା ସୁଇସାଇଡ ନୋଟାରେ ସେ କିଭଳି ନିର୍ଯାତିତ ହେଉଛନ୍ତି ଏବଂ କଲେଜରେ ହେଉଥିବା ରାଗିଂ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି । ସୁଇସାଇଡ ନୋଟ ପ୍ରଘଟ ହେବା ପରେ ବିଜେବି କଲେଜରେ ଉତ୍ତେଜନା ପ୍ରକାଶ ପାଇଥିଲା ।
ବିଜେବି କଲେଜ ଫାଟକ ସମ୍ମୁଖରେ ମୃତକ ଛାତ୍ରୀଙ୍କ ବାପାମା ସମେତ ବହୁ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ରୁଚିକାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସେମାନେ ଧାରଣା ଦେଇଥିଲେ । ୩ଜଣ ଛାତ୍ରୀଙ୍କ ରାଗିଂ ପାଇଁ ରୁଚିକା ଆତ୍ମହତ୍ୟା କରିଛି ବୋଲି ବାପା-ମା’ ଅଭିଯୋଗ କରିଛନ୍ତି ।
Comments are closed.