୬ ଦିନ ହେବ ସାମୂହିକ ଛୁଟିରେ ଅମଲା; ଜନସାଧାରଣ ହନ୍ତସନ୍ତ

ଭବାନୀପାଟଣା: ଆଜକୁ ୬ ଦିନ ହେବ ସମୂହ ଛୁଟିରେ ରହିଛନ୍ତି ଅମଲା। ଏକ ଦଫା ଦାବି ନେଇ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ କଳାହାଣ୍ଡି ଶାଖାର ଆହ୍ୱାନକ୍ରମେ ଜୁନ ୧ ତାରିଖରୁ ସେମାନେ ଛୁଟିରେ ରହିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଉପଜିଲ୍ଲାପାଳ, ତହସିଲ ସମେତ ଜିଲ୍ଲା ସଦରମହକୁମା ଭବାନୀପାଟଣାରେ ଥିବା ସମସ୍ତ ସରକାରୀ ବିଭାଗ ଓ ଜିଲ୍ଲାର ୧୩ ବ୍ଳକ, ତହସିଲ, ଟ୍ରେଜେରୀ ଓ ଅନ୍ୟାନ୍ୟ ସରକାରୀ ବିଭାଗର କାର୍ଯ୍ୟରତ ସମସ୍ତ ଅମଲା ଅନିର୍ଦ୍ଦିଷ୍ଟକାଳ ପାଇଁ ଛୁଟିରେ ଯାଇଛନ୍ତି। ଫଳରେ ସମସ୍ତ ଅଫିସରେ କେବଳ ଅଧିକାରୀଙ୍କୁ ଛାଡି ଦେଲେ ୬ ଦିନ ହେଲା ବିଭିନ୍ନ ବିଭାଗରେ କେବଳ ଚେୟାର ଓ ଟେବୁଲ ଶୋଭା ପାଉଛି । ସବୁ ସରକାରୀ କାର୍ଯ୍ୟାଳୟ କର୍ମଚାରୀ ଶୂନ୍ୟ ହୋଇଥିବାରୁ ସରକାରୀ କାର୍ଯ୍ୟରେ ଗୁରୁତର ବାଧା ସୃଷ୍ଟି ହୋଇଛି ଓ ବିଭିନ୍ନ କାମରେ ଆସୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅମଲାମାନଙ୍କ ଅନୁପସ୍ଥିତିରେ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ବିଭିନ୍ନ ଯୋଜନା ସହିତ ସରକାରୀ କାର୍ଯ୍ୟରେ ମଧ୍ୟ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।

ଏପରିକି ଭବାନୀପାଟଣା ସମେତ ଜିଲ୍ଲାର ତହସିଲ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆଇଟିଡିଏ, ​‌ଟ୍ରେଜେରୀ, ଆରଟିଓ ଆଦି ବିଭିନ୍ନ ସରକାରୀ ଅଫିସକୁ ବିଭିନ୍ନ କାମରେ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅମଲାଙ୍କ ଏହି ଆନ୍ଦୋଳନ ଫଳରେ ଏମ୍.ଜି.ଏନ୍.ଆର୍.ଜି.ଏ.ରେ ଶତାଧିକ ଶ୍ରମିକ କାମ କରି ପାଉଣା ପାଉନଥିବା ଫଳରେ ଶ୍ରମିକମାନେ ଭୋକଶୋଷରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ଜନସାଧାରଣଙ୍କ ଏହି ସମସ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ଦାଇ ବୋଲି ଅମଲା କର୍ମକର୍ତ୍ତା ଓ ଅମଲା ନେତାମାନେ ରୋକଠୋକ ଭାବରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସରକାରୀ କାର୍ଯ୍ୟାଳୟରେ କେବଳ ଅଧିକାରୀ, ପିଅନଙ୍କୁ ଛାଡିଦେଲେ ସମ୍ପୂର୍ଣ୍ଣ ଅମଲାଶୂନ୍ୟ ହୋଇଛି । ଯେଉଁ ଅଫିସକୁ ପଶିବେ କେବଳ ଚେୟାର ଓ ଟେବୁଲ ହିଁ ଶୋଭା ପାଉଛି । କେତେକ ଅଫିସରେ ପିଅନମାନେ କାମ ନଥିବା ଯୋଗୁଁ ଚୌକିରେ ବସି ବସି ଢୋଳାଉ ଥିବା ଦେଖିବାକୁ ମିଳିଛି। ସରକାର ଶୀଘ୍ର ଅମଲାମାନଙ୍କ ଦାବି ପୂରଣ ନକଲେ ଏହି ଆନ୍ଦୋଳନକୁ ଆହୁରି ଅଧିକ ବ୍ୟାପକ କରାଯିବ ବୋଲି ମଞ୍ଚର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମୁଣ୍ଡ, ଆବାହକ ଆଶୁତୋଷ ମିଶ୍ର, ଓଡ଼ିଶା ଅମଲା ସଂଘ କଳାହାଣ୍ଡି ଜିଲ୍ଲା ସଭାପତି ସୁକାନ୍ତ ମହାପାତ୍ର, ଟ୍ରେଜେରୀ ଅମଲା ସଂଘର ଜିଲ୍ଲା ସଭାପତି ସୁରେନ୍ଦ୍ର ପଣ୍ଡା ,ସବ୍ ରେଜିଷ୍ଟ୍ରେର ଅମଲା ସଂଘର ଜିଲ୍ଲା ସଭାପତି ଅଲେଖ ନାଏକ, ଅମଲା ସଂଘର ମୁଖ୍ୟ ଉପଦେଷ୍ଟା ରୂପକେଶର ଦଳେଇ ସମେତ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା, ସମସ୍ତ ବ୍ଲକର ଚେୟାରମ୍ୟାନ ଓ ଆବାହକ ପ୍ରମୁଖ ପ୍ରକାଶ କରିଛନ୍ତି ।

Comments are closed.