www.samajalive.in
Monday, December 8, 2025
16.1 C
Bhubaneswar

ପଶ୍ଚିମ ଓ ଦକ୍ଷିଣ ଓଡିଶାର ରତ୍ନଖଣି ଉପରେ ଜାତୀୟ ଓ ଆନ୍ତର୍ଜାତୀୟ ଚୋରା ବେପାରିଙ୍କ ଲୋଲୁପ ଦୃଷ୍ଟି

ଭବାନୀପାଟଣା : ମାଟିର ମଣିଷ ମାଟିରୁ ହିଁ ଜନ୍ମେ ମାଟିରେ ହିଁ ମରିଯାଏ, ଜନ୍ମଠାରୁ ମୃତ୍ୟୁର ଦୂରତାକୁ ମାପି ମାପି ଚାଲେ ମାଟିର ରାସ୍ତାରେ ଆଉ ମାଟି ସହ ଯୁଝି ଯୁଝି ବଞ୍ଚେ। ମାଟି ଚିରି ସୀତା ଆବିଷ୍କାର ଦୃଶ୍ୟରୁ ଆରମ୍ଭ କରି ଆଜିର ଏ ରତ୍ନ ଇଲାକାର ମାଫିଆ କଥାଯାଏ। କେତେବେଳେ ମାଟି କାମୁଡି ଅନାହାର ମୃତ୍ୟୁ ଲାଗି ଅପେକ୍ଷା କରୁଥିବା ଅସହାୟତା ତ କେତେବେଳେ ରତ୍ନପଥରର ତଲାସରେ ମାଟି ତଳେ ଅକାଳ ମୃତ୍ୟୁର ଦୃଶ୍ୟ ଓ କେତେବେଳେ ରତ୍ନପଥର ତଲାସରେ ମାଇଲ ଗର୍ତ୍ତ ସୃଷ୍ଟି ହେଉଥିବାର ଅଭିଯାନ। ସବୁଠି କିନ୍ତୁ ମାଟି ମୁକସାକ୍ଷୀ, ଆଉ ମାଟିର ଆଶ୍ରିତ ମଣିଷଙ୍କ ନିର୍ବାହ ଅଭିଯାନ। ଓଡିଶା ରତ୍ନଗର୍ଭା, ଯାହାର ପଞ୍ଜରା ତଳେ ଭର୍ତ୍ତି ବିଭବର ଭଣ୍ଡାର। ଯେଉଁଠି ଓଳେଇ ଦେଲେ ରତ୍ନ ଆଉ ରତ୍ନ। ସମୃଦ୍ଧିର ସୀମାନ୍ତ ଛୁଇଁବାକୁ ଚିରଈପ୍‍ସୁ ସେଇ ରଙ୍କମାନଙ୍କ ପାଇଁ ଏ ମାଟି କିନ୍ତୁ ଏକ ରଙ୍ଗଶାଳା, ଲୁଟେରା ଦସ୍ୟୁ ଆଉ ଲାଞ୍ଚୁଆ କଟୁଆଳମାନଙ୍କ ଚକ୍ରବ୍ୟୁହରେ ଆଜି ରତ୍ନ ଇଲାକାର ଅଧିବାସୀଙ୍କ ଦୁଃଖର ଦଧିମନ୍ଥନ କରୁଚି ଦୁଃସ୍ୱପ୍ନଗ୍ରସ୍ତ ଚିତ୍ତବୃତ୍ତି। ହେଲେ ମସ୍ତିଷ୍କ କିନ୍ତୁ ଗୋଲାମି କରୁଚି ମାଂସପେଶୀର ଖଦଡ ପିନ୍ଧା ରକ୍ଷକଠୁ ଫାଇଲ ଚଷୁଥିବା ଭାଗ୍ୟ ବିଧାତା ଯାଏ ରତ୍ନ ପଛରେ ଚିତ୍ରାର୍ପିତ। ପୂର୍ବରୁ କଳାହାଣ୍ଡି ସମେତ ପଶ୍ଚିମ ଓ ଦକ୍ଷିଣ ଓଡିଶାର ମୂଲ୍ୟବାନ ରତ୍ନପଥର ଖଣି ଥିବା ସଂପର୍କରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଖ୍ୟାତ ଭୂତତ୍ତ୍ୱବିତ୍‍ ଓ ବିଶେଷଜ୍ଞ ଶ୍ରୀ ବିଶ୍ୱନାଥନ୍‍ଙ୍କ ଦ୍ୱାରା ରାଜ୍ୟର ମୂଲ୍ୟବାନ ରତ୍ନପଥର ସମ୍ପର୍କରେ ଏକ ଗୁପ୍ତ ଅନୁଧ୍ୟାନ ଦଲିଲ ଏବଂ ମ୍ୟାପ ରତ୍ନପଥି ଚୋରା ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିବା ସମ୍ପର୍କରେ ପୂର୍ବରୁ “ସମାଜ” ରେ ତଥ୍ୟ ମୂଳକ ସମ୍ବାଦ ପ୍ରକାଶିତ ହୋଇଥିଲା। ଯାହାର ପ୍ରମାଣ ଗତ କିଛି ଦନ ତଳେ କ୍ରାଇମ ବ୍ରାଞ୍ଚର ଏସ୍‍ଟିଏଫ୍‍ ଟିମ୍‍ ଜୁନାଗଡ ଅଞ୍ଚଳର ପଲାସ ଗ୍ରାମର ସୁଜିତ ମେହେର ଘର ଉପରେ ଚଢାଉ କରି ୩ କ୍ୱିଣ୍ଟାଲ ୨ କେଜି ୧୮ ଗ୍ରାମ ରୁବି ଓ ପନ୍ନା ନାମକ ମୂଲ୍ୟବାନ ରତ୍ନପଥର ଜବତ୍‍ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଗତ କିଛି ଦିନ ତଳେ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରୁ ୨ ଜଣ ଚୋରା ବ୍ୟାପାରି ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ ରତ୍ନ ପଥର ରାଜ୍ୟ ବାହାରକୁ ଯାଉଥିବା ବେଳେ ଛତିଶଗଡ ରାଜ୍ୟର ଗରିଆବନ୍ଧ ପୋଲିସ ଦ୍ୱାରା ଜବତ୍‍ ହୋଇଥିଲା। ଏଥିରୁ ପ୍ରମାଣ ମୁଳୁଛି ଯେ, ପୋଲିସ, ଖଣି ବିଭାଗ, ଓଏମ୍‍ସି ପ୍ରମୁଖ ବିଭାଗର ନାକତଳେ ଆନ୍ତର୍ଜାତୀୟ ଓ ଆନ୍ତରାଜ୍ୟ ରତ୍ନ ଚୋରା ବ୍ୟାପାରି ମାନେ କଳାହାଣ୍ଡି ସମେତ ପଶ୍ଚିମ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳରେ ଥିବା ବିଭିନ୍ନ ରତ୍ନ ଖଣି ଅଞ୍ଚଳରୁ ନିୟମିତ କୋଟି କୋଟି ଟଙ୍କାର ରତ୍ନ ପଥର ଚୋରା ଚାଲାଣ କରିଚାଲିଛନ୍ତି।
କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ନୂଆପଡା, ବଲାଙ୍ଗିର, ସୋନପୁର, ଫୁଲବାଣି (କନ୍ଧମାଳ), ବୌଦ, ଝାରସୁଗୁଡା, ଦେବଗଡ, ଅନୁଗୁଳ ଏବଂ ସମ୍ବଲପୁର ଆଦି ଜିଲ୍ଲାର ପୋଲିସ, ଖଣି ବିଭାଗ, ଜଙ୍ଗଲ ବିଭାଗ, ଓଏମ୍‍ସି, ରାଜସ୍ୱ ବିଭାଗ କର୍ମଚାରୀ ମାନଙ୍କ ନାକତଳେ ନିୟମିତ ଭାବେ ଦୁର୍ଲଭ ବିଭିନ୍ନ ପ୍ରକାର ରତ୍ନପଥର ନିୟମିତ ଜାତୀୟ ଓ ଆନ୍ତର୍ଜାତିୟ ରତ୍ନପଥର ଚୋରା ବେପାରିଙ୍କ ଦ୍ୱାରା ଚତୁରତା ସହିତ ଚୋରା ଚାଲାଣ ହେବାରେ ଲାଗିଛି। ଗତ ୨୦ ବର୍ଷ ଭିତରେ ଏହି ସବୁ ଜିଲ୍ଲାରୁ ପ୍ରାୟ ୪୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟବାନ ରତ୍ନପଥର ରାଜ୍ୟ ବାହାରକୁ ଅନାୟସରେ ଚୋରା ଚାଲାଣ କରାଯାଇଥିବା ବିଶେଷ ସୂତ୍ରରୁ ଜଣାଯାଏ। ଓଡିଶା ସରକାରଙ୍କ ଖଣି ବିଭାଗ, ପୋଲିସ ଜଙ୍ଗଲ ବିଭାଗ ରାଜସ୍ୱ ବିଭାଗର କେତେକ ଦୁର୍ନିତିଗସ୍ତ ଓ ଅର୍ଥଲୋଭୀ କର୍ମଚାରୀଙ୍କ ସହଯୋଗରେ ଏହି ଚୋରା କାରବାର ୧୯୯୦ ରୁ ଅଦ୍ୟାବଧି ଜାତୀୟ ଓ ଆନ୍ତର୍ଜାତୀୟ ଚୋରା ରତ୍ନପଥର ବ୍ୟବସାୟୀଙ୍କ ଦ୍ୱାରା ନିୟମିତ ଚୋରା କାରବାର ହୋଇ ଆସୁଛି। ନବିନ ପଟ୍ଟନାୟକଙ୍କ ପ୍ରଥମ ମୁଖ୍ୟମନ୍ତ୍ରୀ ସମୟରେ (୨୦୦୦-୨୦୦୪) ତତ୍‍କାଳିନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ରାଜ୍ୟ ସରକାରଙ୍କୁ ଏହି ରତ୍ନପଥର ସୁରକ୍ଷା, ତାର ବ୍ୟବସାୟୀକ ଆଦି ଉପରେ ଏକ ବିସ୍ତୃତ ରିପୋର୍ଟ ସରକାରଙ୍କୁ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ରିପୋର୍ଟ ଉପରେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଇନାହାନ୍ତି। ସେହିପରି ରତ୍ନପଥରରେ କେତେଜଣ କୁଖ୍ୟାତ ଚୋରା ବ୍ୟବସାୟୀଙ୍କ ଠାରୁ ଜଣାଯାଏ ଯେ, ମଧ୍ୟପ୍ରଦେଶର ଜଣେ ପ୍ରତିଷ୍ଠିତ ରତ୍ନପଥର ବ୍ୟବସାୟୀ, ଓଡିଶାର ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିର ଜନୈକ ରତ୍ନପଥର ବ୍ୟବସାୟୀ (ବର୍ତ୍ତମାନ ସେ ମୃତ, କିନ୍ତୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ତାଙ୍କର ସାନ ଭାଇ ଏବେ ରତ୍ନପଥର ବ୍ୟବସାୟର ଏକ ବାଦ୍‍ସା) ଓ ଓଡିଶାରେ ଅବସ୍ଥାପିତ ଅନ୍ୟ ଜଣେ ଅଣଓଡିଆ ଶିଳ୍ପପତିଙ୍କ ମାଧ୍ୟମରେ ୧୯୭୮ ରୁ ୧୯୮୧ ମସିହା ମଧ୍ୟରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଖ୍ୟାତ ଭୂତତ୍ତ୍ୱବିତ୍‍ ଓ ବିଶେଷଜ୍ଞ ଶ୍ରୀ ବିଶ୍ୱନାଥନ୍‍ଙ୍କ ଦ୍ୱାରା ରାଜ୍ୟର ମୂଲ୍ୟବାନ ରତ୍ନପଥର ସମ୍ପର୍କରେ ଏକ ଗୁପ୍ତ ଅନୁଧ୍ୟାନ ଦଲିଲ ଏବଂ ମ୍ୟାପ ରତ୍ନପଥି ଚୋରା ବ୍ୟବସାୟୀଙ୍କ ହାତକୁ ଚାଲିଯାଇଛି। ବିଦେଶୀ ରତ୍ନପଥର ବ୍ୟବସାୟୀ ଯଥା ନେପାଳସ୍ଥ କାଠମାଣ୍ଡୁର କୁଖ୍ୟାତ ଚୋରା ରତ୍ନପଥର ବ୍ୟବସାୟୀମାନେ ଉକ୍ତ ଦଲିଲ ଏବଂ ମ୍ୟାପକୁ ଏହି ଓଡିଶାର ଚୋରା ବ୍ୟବସାୟୀଙ୍କ ଠାରୁ ଲକ୍ଷ୍ୟାଧିକ ଟଙ୍କାରେ କିଣି ରାଜ୍ୟ ଜିଓଲାଜିକାଲ ମ୍ୟାପ ଏବଂ ସାଟେଲାଇଟ୍‍ ଫଟୋ ସହ ମିଳାଇ ଖଣିଗୁଡିକର ସ୍ଥାନ ନିରୂପଣ କରୁଥିବା ଜଣାଯାଏ। ରାଜ୍ୟ ସରକାରଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଶ୍ରୀ ବିଶ୍ୱନାଥଙ୍କ ଅନୁଧ୍ୟାନ ବିବରଣୀକୁ ସମ୍ପ୍ରତି ଗୁପ୍ତ ରଖାଯାଇଥିବା କୁହାଯାଉଥିଲେ ମଧ୍ୟ ସମ୍ଭାବ୍ୟ ପଥର ଖଣି ଗୁଡିକର ସ୍ଥିତି ମଧ୍ୟପ୍ରଦେଶର ରାୟପୁର ଓ ବସ୍ତର ଜିଲ୍ଲାରୁ ଆରମ୍ଭ କରି ଓଡିଶାର ବିଭକ୍ତ କଳହାଣ୍ଡି, ନୂଆପଡା, କୋରାପୁଟ, ମାଲକାନଗିରି, ନରବଙ୍ଗପୁର, ରାୟଗଡା, ବଲାଙ୍ଗିର, ସୋନପୁର, ବୌଦ, ଫୁଲବାଣୀ, ବରଗଡ, ସମ୍ବଲପୁର ଏବଂ ଢେଙ୍କାନାଳ ଜିଲ୍ଲାର କିଛି ଅଂଶ ଦୀର୍ଘ ୧୫୦୦ କିମି ବ୍ୟାପି ମହାନଦୀ ଶର୍ଯ୍ୟା ଏବଂ ମହାନଦୀ ଅବବାହିକା ଅଞ୍ଚଳ ତଥା ଏହି ଜିଲ୍ଲାର ଅଧିକାଂଶ ପାହାଡ ଓ ଜଙ୍ଗଲ ଏବଂ ଆନ୍ଧ୍ରପ୍ରଦେଶର ଅରକୁ, ପାଡେଲୁ, ଚିସ୍ତାପକା, ବୈରାଗଡ, ଗୋଲକୁଣ୍ଡା, ନାନ୍ଦିଆଲ, ଇଲାରୁ, କୌଲୁର ଆଦି ଅଞ୍ଚଳରେ ବିଭିନ୍ନ ପ୍ରକାର ମୂଲ୍ୟବାନ ରତ୍ନପଥର ରୁବି, ପାନ୍ନା, ନୀଲାମ, କାକାନିଲମ, ଗାର୍ନେଟ, କ୍ୟାଟସଆଇ, (ବୈଦୁର୍ଯ୍ୟ), ମରକତ ମଣି (କ୍ୱାର୍ଟଜ) (ମୁନଷ୍ଟୋନ୍‍), ମୋଗନେ ଲାଇଟ୍‍, ଷିରା, ଇଲନେନାଇଟ, ଆଲେକଜାଣ୍ଡାର ଆଦି ମାଟିତଳେ ଗଚ୍ଛିତ ଥିବା ଜଣାଯାଏ। ଭୂତତ୍ତ୍ୱବିତ ଶ୍ରୀ ବିଶ୍ୱନାଥନ୍‍ ନିଜର ଅନୁଧ୍ୟାନ ବିବରଣୀରେ ରାଜ୍ୟରେ ମୂଲ୍ୟବାନ ରତ୍ନ ପଥର ଖଣି ଅଞ୍ଚଳଗୁଡିକୁ ମୁଖ୍ୟତଃ ୧୩ ଟି ଜୋନ୍‍ରେ ବିଭକ୍ତ କରିଥିବା, ରାଜ୍ୟରେ ମୂଲ୍ୟବାନ ରତ୍ନ ପଥର ସମ୍ପଦର ବିଧିବଦ୍ଧ ଉତ୍ତୋଳନ ପାଇଁ ଅନ୍ୟୂନ୍‍ ଏକଶହ ବର୍ଷ ପର୍ଯ୍ୟନ୍ତ ଏହାର କ୍ରମାଗତ ଖନନ ଚାହିଦା ରହିଥିବା ଏବଂ ଏହି ଜୋନରେ ପୃଥିବୀର ସବୁଠାରୁ ଉତ୍କୃଷ୍ଟ ଧରଣର ଓ ବିଭିନ୍ନ ପ୍ରକାର ରତ୍ନପଥର ରହିଥିବା ବିଷୟ ଶ୍ରୀ ବିଶ୍ୱନାଥନ ଦର୍ଶାଇଥିବା ବିଶେଷସୂତ୍ରରୁ ଜଣାଯାଏ। ପୁଣି ରାଜ୍ୟ ସରକାର ଚୁକ୍ତି କ୍ରମେ ଜାତିସଂଘର ୟୁଏନ୍‍ଡିପି ସଂସ୍ଥା ସାହାର୍ଯ୍ୟରେ ଅତ୍ୟାଧୁନିକ ଯନ୍ତ୍ରପାତିର ଉପଯୋଗରେ ଫିଲିପାଇନ୍‍ ଏବଂ ଅଷ୍ଟ୍ରେଲିଆ ଦେଶର ଦଳେ ରତ୍ନ ବିଶେଷଜ୍ଞ ଏହିସବୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆକାଶ ମାର୍ଗରୁ ବିଶ୍ଲେଷଣକାରୀ ଚୁମ୍ବକୀୟ ପଦ୍ଧତିରେ ଅନୁସନ୍ଧାନ କରିଚନ୍ତି। ପଶ୍ଚିମ ଓଡିଶାର ପ୍ରାୟ ୭୫୦୦୦ ବର୍ଗ କିଲୋମିଟର ପିରିମିତ କଠିନ ଶିଳାସ୍ତର ମଧ୍ୟରେ ବହୁ ମୂଲ୍ୟବାନ ରତ୍ନପଥର ଗଚ୍ଛିତ ଅଛି। ଯାହାର ରିପୋର୍ଟ ମଧ୍ୟ ଇତିମଧ୍ୟରେ କୁଖ୍ୟାତ ରତ୍ନପଥର ଚୋରା ବେପାରୀଙ୍କ ହାତରେ ପଡିସାରିଥିବା ଅନୁସନ୍ଧାନରୁ ଜଣାଯାଏ। ଯାହାର ପ୍ରମାଣ ଗତ କିଛି ଦନ ତଳେ କ୍ରାଇମ ବ୍ରାଞ୍ଚର ଏସ୍‍ଟିଏଫ୍‍ ଟିମ୍‍ ଜୁନାଗଡ ଅଞ୍ଚଳର ପଲାସ ଗ୍ରାମର ସୁଜିତ ମେହେର ଘର ଉପରେ ଚଢାଉ କରି ୩ କ୍ୱିଣ୍ଟାଲ ୨ କେଜି ୧୮ ଗ୍ରାମ ରୁବି ଓ ପନ୍ନା ନାମକ ମୂଲ୍ୟବାନ ରତ୍ନପଥର ଜବତ୍‍ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ଗତ କିଛି ଦିନ ତଳେ ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରୁ ୨ ଜଣ ଚୋରା ବ୍ୟାପାରି ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ ରତ୍ନ ପଥର ରାଜ୍ୟ ବାହାରକୁ ଯାଉଥିବା ବେଳେ ଛତିଶଗଡ ରାଜ୍ୟର ଗରିଆବନ୍ଧ ପୋଲିସ ଦ୍ୱାରା ଜବତ୍‍ ହୋଇଥିଲା।
କଳାହାଣ୍ଡି ଜିଲ୍ଲା ସମେତ ପଶ୍ଚିମ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଲା ସମେତ ସୋନପୁର ଦେଇ ବୌଦ ପର୍ଯ୍ୟନ୍ତ ମହାନଦୀ ଅବବାହିକାର ଦୁଇପାର୍ଶ୍ବରେ ରୁବି, ହୀରା, ନିଲମ୍‍, ପାନ୍ନା, କ୍ୟାଟସ୍‍ ଆଇ, ଗୋମେଜ ଏବଂ ଗାରନେଟ ଆଦି ବହୁ ପରିମାଣରେ ବିଭିନ୍ନ ପ୍ରକାର ରତ୍ନପଥର ବାହାରିବା ପରେ ରାଜ୍ୟ ସରକାରଙ୍କର ଖଣି ନିଗମ ଓ ଜେମସ କର୍ପୋରେସନ୍‍ ଅଫ ଓଡିଶାଙ୍କ ମିଳିତ ଉଦ୍ୟମରେ ଓଡିଶାରେ ପ୍ରଥମ କରି ଭବାନୀପାଟଣା ଠାରେ ଏକ ରତ୍ନପଥି ସଂଗ୍ରହ ଓ କଟିଙ୍ଗ ଶିଳ୍ପ ଆରମ୍ଭ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାହା ବନ୍ଦ ହୋଇଯାଇଥିଲା। ପୁଣି ପରବର୍ତ୍ତୀ ସମୟରେ ତତ୍‍କାଳିନ ରାଜ୍ୟ ସରକାର ୧୯୮୯ ମସିହାରେ ରାଜ୍ୟ ଖଣିନିଗମ ଏବଂ ରାଜ୍ୟ ବାହାରର କେତେଜଣ ଘରୋଇ ରତ୍ନପଥର ବ୍ୟବସାୟୀଙ୍କ ମିଳିତ ଉଦ୍ୟମରେ ଓଡିଶା ଜେମସ କର୍ପୋରେସନ ଗଠନ କରାଯାଇଥିଲା। ଏହାର କାର୍ଯ୍ୟ ଥିଲା ମୂଲ୍ୟବାନ ରତ୍ନପଥର କଟିଙ୍ଗ, ପାଲିସ କରିବା ସଙ୍ଗେ ସଙ୍ଗେ ବିକ୍ରିର ବ୍ୟବସ୍ଥା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅବସ୍ଥାପିତ ଲିପିଡାରୀ ୟୁନିଟ। ଭବାନୀପାଟଣା ଠାରେ ଜେମସ କରପୋରେସନର ପରିଚାଳନା ଦାୟିତ୍ୱରେ ଥିବା ଖଣିନିଗମର ଉଚ୍ଚ ଅଫିସର, ଘରୋଇ ଉଦ୍ୟୋଗୀ ଏବଂ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଏହି ୟୁନିଟ ମଧ୍ୟ ବନ୍ଦହୋଇ ଯାଇଛି।
ପଶ୍ଚିମ ଓଡିଶା ଏବଂ ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରେ ମିଳୁଥିବା ଓ ବହୁ ପରିମାଣରେ ଗଚ୍ଛିତ ଥିବା ରତ୍ନପଥର ଇଲାକା ଏବଂ ଗଚ୍ଛିତଥିବା ଓ ମିଳୁଥିବା ରତ୍ନପଥରର ନାମ – ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲ୍ଲାର ଜିଲିଙ୍ଗ ଦର, ହିଜିଲିବାହାଲ, ଚାରବାଟି, ଝିଙ୍କପଡା, ଗୋଲାମୁଣ୍ଡା, ଶଗଡା, ବ୍ୟାମେରା, ସିନାପାଲି, ଲାଞ୍ଜିଗଡ, ଦାମଜୋର, ମିନିକପଦର, ମାଙ୍କଡଚୁଆ, ପୋଇଗୁଡା, ନେହେନା, ମାଙ୍କଡ ମୋର, ଅଲମା, କିରିଙ୍ଗକଳା, ଦାରବସେଲ, ଗୋଲଗୁଡା, ଲାଞ୍ଜିଗଡ ରୋଡ, ବିଶ୍ୱନାଥପୁର, ବେନଗାଁ, ମାଲିଜୁବାଙ୍ଗ, ଥୁଆମୁଲ ରାମପୁର, ଗୁଣୁପୁର, ଘାଟପଡା, ତୁଣ୍ଡୁଲା, ସିର୍ଜାପାଲି, ବନ୍ଧାପଡା, କୁରୁପଡା, ପୋଖରୀଘାଟ, ଉଲ୍ଲାଦାନୀ ସମେତ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ପ୍ରକାର ଦୁର୍ଲ୍ଲଭ ବହୁମୂଲ୍ୟବାନ ରତ୍ନପଥର ରୁବି, ନୀଲମ, ପାନ କ୍ୟାଟସଆଇ (ବୈଦୁର୍ଯ୍ୟ), ମରକତମଣି, ଗାର୍ନେଟ, କାଳୀନୀଲମ, କ୍ୱାର୍ଜ (ମୁନଷ୍ଟୋନ), ମେଗନେଲାଇଟ, ଇଲମେନାଇଟ ସେଣ୍ଡ (କଳା ବର୍ଣ୍ଣ), ୱେଥ୍ରେଡ, ଆଲେକଜାଣ୍ଡାର ଆଦି ବହୁ ମୂଲ୍ୟବାନ ରତ୍ନପଥି ମିଳୁଥିବା ଓ ବହୁ ପରିମାଣରେ ଗଚ୍ଛିତ ଥିବା ଜଣାଯାଇଛି। ଅନ୍ୟପକ୍ଷରେ ବଲାଙ୍ଗିର ଜିଲ୍ଲାରେ ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ସୋନପୁର, ବିନିକା, ସଇଁତଳା, ଟିକରପଡା, ଖପରାଖୋଲ, ଲା୍େୟାର, ପାଟଣାଗଡ, ବେଲପଡା, ବିଡିଘାଟ, ଲତରକୋନା, ଡୁଙ୍ଗୁରୀପାଲି, ଲୋଇସିଂଘା, ତରଭା, ବୀର ମହାରାଜ ପୁର, ଅମରପାଲି, ସମେତ ଅନ୍ୟ ବିଭିନ୍ନ ଅଞ୍ଚଳ ଏବଂ ମହାନଦୀର ଦୁଇପାର୍ଶ୍ବରେ ଥିବା ବହୁ ସ୍ଥାନରେ ରତ୍ନପଥର ଗଚ୍ଛିତ ହୋଇଛି। କେବଳ ମହାନଦୀ ଅବବାହିକା ଅଞ୍ଚଳରୁ ହୀରା ଓ ପାନ୍ନା ଏବଂ ରୁବୀ ଆଦି ରତ୍ନପଥର ଗତ ୨୦ ବର୍ଷ ଭିତରେ ଚୋରା ବେପାରୀମାନେ ପ୍ରାୟ ୧ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ରତ୍ନପଥର ରାଜ୍ୟ ବାହାରକୁ ଚୋରାରେ ଚାଲାଣ କରିଥିବା ବିଶେଷ ସୂତ୍ରରୁ ଜଣାଯାଏ। ସେହିପରି କୋରାପୁଟ ଜିଲ୍ଲାର ତୁରିଆ ରତ୍ନପଥର ଖଣିରେ ବହୁ ପରିମାଣର ଦୁର୍ଲ୍ଲଭ କ୍ୟାଟସସାଇ (ବୈଦୁର୍ଯ୍ୟ) ଗଚ୍ଛିତ ଅଛି। ଏହି ଖଣିଭିତରେ ଏତେ ପରିମାଣରେ ରତ୍ନ ପଥର ଗଚ୍ଛିତ ଅଛି ଯେ ଯଦି ଅତ୍ୟାଧୁନିକ ଓ ବୈଜ୍ଞାନିକ କୌଶଳ ଓ ଯନ୍ତ୍ରପାତି ଦ୍ୱାରା ଉତ୍ତୋଳନ କରାଯାଏ ତେବେ ପ୍ରତିଦିନ ପ୍ରାୟ ୫୦ ଲକ୍ଷରୁ ୧ କୋଟି ଟଙ୍କାର ରତ୍ନ ପଥର ବାହାରିବ ବୋଲି ଜଣେ କୁଖ୍ୟାତ ରତ୍ନପଥି ବ୍ୟବସାୟୀଙ୍କ ଠାରୁ ପ୍ରକାଶ। ସେହିପରି ଏହି ଜିଲ୍ଲାର ନାରାୟଣପାଟଣା ଅନ୍ତର୍ଗତ ଗୁଡସିଲ ଗ୍ରାମ ଏବଂ ଆମ୍ପ୍ରୋବେଲି ଗୁକାଲି, ସାରିଆପୁଟ, କାକିରିଗୁମ୍ମା ନିକଟସ୍ଥ ଗଉଡଗୁଡା, ଦଶମନ୍ତପୁର ବ୍ଲକର ମରିଚମାଳ, ଲୁଲା, ସେମିଳିଗୁଡା ବ୍ଲକର ତୁରିଆ ଆଦି ଅଞ୍ଚଳ ଏବଂ ରାୟଗଡା ଜିଲ୍ଲାର ଚନ୍ଦନପୁର, ଅମ୍ବାଦୋଲା, ଦହିଖାନା, ହନୁମନ୍ତପୁର ଜାକେଲଗୁଡା, ମୁନିଗୁଡା, ମାଲକାନଗିରି ଜିଲ୍ଲାର ମାଥିଲି, ତାମୁରପାଲି, ଆଲୁର, ପତିଆ, ମୋଟୁ, କାଲିମେଳା, କୋରୁକୁଣ୍ଡା, ଖଇରପୁଟ ଏବଂ ନବରଙ୍ଗପୁର ଜିଲ୍ଲାର କଳାହାଣ୍ଡି, ଡାବୁଗାଁ, ମଝିଗୁଡା, ଝରିଗାଁ, ବୋରିଗୁମା, ସିଲିଟି, ଲିମୁଗୁଡା, ଆଦି ଅଞ୍ଚଳରେ କ୍ୟାଟସାଇ, ମୁନ୍‍ଷ୍ଟେନ୍‍, ନୀଲମ୍‍, ହୀରା, କାକାନେଳି ଓ ସିଲଭାନିଆ କ୍ୟାଟସ୍‍ ଆଦି ଦୁର୍ଲଭ ଓ ମୂଲ୍ୟବାନ ରତ୍ନପଥର ଗଚ୍ଛିତ ରହିଛି। ସେହିପରି ଫୁଲବାଣି ଜିଲ୍ଲାର ଫିରିଙ୍ଗା, ଖଜୁରିପଡା, ଟିକା ବାଲି, ମେଡିଗୁଡା, ଦଞ୍ଜମେଦି, ନୂଆପାଲି, କାଟିଙ୍ଗି, କିରିକୋଟି, ଝିରିପାଣି, ବୌଦ ଜିଲ୍ଲାର ଝରଣା ମୁଣ୍ଡା, ବାଗିଆ ବାହାଲ, ବୌଦ, ଝରମୁଣ୍ଡା, ଘଣ୍ଟା ପଡା ସମରତ ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାର ବହୁ ସ୍ଥାନରେ ପାନା, ରୁବି, କେଟ୍‍ସାଇ, ହୀରା ଏବଂ ଅନ୍ୟାନ୍ୟ ରତ୍ନପଥର ଗଚ୍ଛିତ ରହିଛି। ଏହିସବୁ ରତ୍ନ ଇଲାକାରେ ଜାତୀୟ ଓ ଆନ୍ତର୍ଜାତୀୟ ଚୋରା ବେପାରି ମାନେ ବିଶେଷ କରି ମୁମ୍ବାଇ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଚେନ୍ନାଇ ଏବଂ କଲିକତା ଆଦି ଅଞ୍ଚଲର ମୁଖ୍ୟତହ ଚୋରା ବେପାରି ମାନେ ସ୍ଥାନୀୟ ଦଲାଲ ଓ ନିରିହ ଲୋକଙ୍କ ସହାୟତାରେ ଆଧୁନିକ ଓ ବହୁ ମୂଲ୍ୟବାନ ଯନ୍ତ୍ରପାତି ମେଟାଲ ଡିଟେକ୍ଟର ଟେଲିଲେନ୍ସ ଓ ଡାଇକ୍ରୋସ୍କୋପ ମେଟାଲ ଆଦି ଯନ୍ତ୍ର ବ୍ୟବହାର କରି ରତ୍ନ ପଥର ସବୁ ଖୋଳି ନେଉଥିବା ଜଣାଯାଏ। ଏଣୁ ରାଜ୍ୟ ସରକାର ତୁରନ୍ତ ଏହି ଚୋରା କାରବାର ରୋକିବା ପାଇଁ କଠୋର ପଦକ୍ଷେପ ନେବା ପାଇଁ ଦାବୀ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories