ସମାଜ ପୋର୍ଟାଲ ଡେସ୍କ: ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନୀ ଖୁବ୍ ଶୀଘ୍ର କୋଭିଡ୍-୧୯ ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବାକୁ ଯାଉଛି। ଏହି ପ୍ରତିଷେଧକ ଟୀକା ନାଜାଲ ଡ୍ରପ୍ ଆକାରରେ ପ୍ରସ୍ତୁତ କରାଯିବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଡକ୍ଟର କ୍ରୀଷ୍ଣା ଏଲା କହିଛନ୍ତି। କମ୍ପାନୀ ତରଫରୁ ଗତ ୩ ମାସ ଧରି ଏ ସଂକ୍ରାନ୍ତରେ ଗବେଷଣା ଓ ପରୀକ୍ଷାନିରୀକ୍ଷା କରାଯାଇ ଆସୁଛି ଏବଂ ନିକଟରେ ପ୍ରାଣୀଙ୍କ ଉପରେ ଏହାର ପରୀକ୍ଷା କରାଯାଉଛି। ଭାରତରେ ଏହାର ଉପଯୋଗ ପାଇଁ ଅନ୍ୟ କମ୍ପାନୀ ସହିତ ମିଶି ଆବଶ୍ୟକ ପରିମାଣର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବା ସକାଶେ ଏହାର ସାମର୍ଥ୍ୟ ଥିବା ଏଲା କହିଛନ୍ତି।
ଭାରତୀୟ ଔଷଧ ମହାନିର୍ଦ୍ଦେଶାଳୟ ସହିତ କମ୍ପାନୀ ଏହାର ଅନୁମୋଦନ ହାସଲ କରିବା ପାଇଁ ସମ୍ପର୍କରେ ଅଛି। ଏହି ଟୀକା ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଏହାର ବ୍ୟବହାର ଅତି ସରଳ ଏପରିକି ଜଣେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ଏହାକୁ ଅତି ସହଜରେ ବ୍ୟବହାର କରି ପାରିବ।



