ଭୁବନେଶ୍ବର: ଭଦ୍ରକ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି। ଉତୁକୁଡ଼ା ଗ୍ରାମ ପଞ୍ଚାୟତର ବୁରୁଜାଲ ଗ୍ରାମର କିଛି ମହିଳାଙ୍କ ଉପରେ ହିଂସାତ୍ମକ ଆକ୍ରମଣ କରାଯାଇଛି। ଏହି ଅଞ୍ଚଳରେ କିଛି ଅସାମାଜିକ ଯୁବକ ଉନ୍ମତକାଣ୍ଡରେ ଲୋକେ ଅତିଷ୍ଠ ହୋଇଗଲେଣି। ସବୁ ସୀମା ଉଲ୍ଲଙ୍ଘନ କରି ସ୍ଥାନୀୟ ଅଞ୍ଚଳରେ ଉନ୍ମତକାଣ୍ଡ ଭିଆଉଥିବା ଏହି ଅସାମାଜିକ ଯୁବକମାନେ ଜଣେ ଗର୍ଭବତୀ ମହିଳାଙ୍କ ପେଟକୁ ଗୋଇଠା ମାରିବା ଦ୍ୱାରା ତାଙ୍କର ପ୍ରିମାଚ୍ୟୁର ଡେଲିଭରୀ ହୋଇଯାଇଛି। ଖାଲି ସେତିକି ନୁହେଁ ମହିଳାମାନେ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଯୁବକମାନେ ବିଭିନ୍ନ ଧାରୁଆ ଅସ୍ତ୍ରରେ କବାଟ ଝରକା ଭାଙ୍ଗି ଜୋର ଜବରଦସ୍ତି ତାଙ୍କ ଘରେ ପଶି ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମଧ୍ୟ ମାରୁଛନ୍ତି। ସେମାନେ କାହାର ପାଇଖାନା ଭାଙ୍ଗିଛନ୍ତି ତ କାହାର ଚାଳ ଛପର ଘର ଭାଙ୍ଗିଛନ୍ତି। ଜୋର ଜବରଦସ୍ତ ଜଣେ ମହିଳାଙ୍କ କାନ ଛିଣ୍ଡାଇ ତାଙ୍କ କାନଫୁଲ ନେଇଯାଇଛନ୍ତି ଓ ପୁଣି କେଉଁ ମହିଳାଙ୍କୁ କ୍ଷତ ବିକ୍ଷତ କରି ବେକରୁ ଚେନ୍ ଛିଣ୍ଡାଇ ନେଇଛନ୍ତି। ସଂଧ୍ୟା ହେଲେ ଡରରେ ମହିଳାମାନେ ଘରର ତାଟି କବାଟ ପକାଇ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଗ୍ରାମରେ ଉକ୍ତ ଅସାମାଜିକ ଯୁବକମାନଙ୍କ ପ୍ରାର୍ଦୁଭାବ ଏତେ ବଢିଗଲାଣି ଯେ, ସେହି ଅଞ୍ଚଳରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି। ଗ୍ରାମର ଝିଅ ବୋହୁମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଅଭିଯୋଗ କରିଛନ୍ତି।
ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ ଜଣେ ୬୦ ବର୍ଷୀୟା ମହିଳାଙ୍କୁ ବାଡ଼େଇ ତାଙ୍କ ହାତ ଭାଙ୍ଗିଦେଇଛନ୍ତି ଯାହାଫଳରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ଅନ୍ୟ ଜଣେ ମହିଳାଙ୍କୁ ଗାଁ ରାସ୍ତାରେ ଗୋଡାଇ ଗୋଡାଇ ମାରିବା ସହିତ ତାଙ୍କ ଆଖି ନଷ୍ଟ କରିଛନ୍ତି ଏବଂ ଅାଉ ଜଣେ ଅତ୍ୟନ୍ତ ଗରିବ ମହିଳାଙ୍କ ଘର ଭାଙ୍ଗି ତାଙ୍କୁ ବେଘର କରିଛନ୍ତି। ଜଣେ ମହିଳା ରାସନ ସାମଗ୍ରୀ ଆଣିବାକୁ ଯାଉଥିବାବେଳେ ତାଙ୍କୁ ବାଡେଇ ଲହୁ ଲୁହାଣ କରିଛନ୍ତି। ମହିଳା ଅସାମାଜିକ ଯୁବକଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ଜଣେ ମହିଳାଙ୍କ ଏତଲା ଚାନ୍ଦବାଲି ଥାନା ଆଇଆଇସି ଗ୍ରହଣ ନକରି ଓଲଟା ତାଙ୍କ ସ୍ୱାମୀ ଓ ପୁଅଙ୍କୁ ମିଛ ମାମଲାରେ ଗିରଫ କରିଛନ୍ତି।
ଏହି ଘଟଣାରେ ଚାନ୍ଦବାଲି ଥାନା ଆଇଆଇସି ଶାସକ ଦଳ ଇଙ୍ଗିତରେ ଅପରାଧୀମାନଙ୍କୁ ଘଣ୍ଟ ଘୋଡାଇ ଚାଲିଛନ୍ତି। ସମ୍ବିଧାନର ଧାରା ୨୧କୁ ଆଇଆଇସି ଖୋଲା ଖୋଲି ଭାବରେ ଉଲ୍ଲଘଂନ କରି ଆଇନକୁ ଅସମ୍ମାନ କରିବା ସହିତ ସମ୍ବିଧାନକୁ ମଧ୍ୟ ଅବମାନନା କରିଛନ୍ତି। ଏ ସମ୍ପର୍କିତ ସମସ୍ତ ଘଟଣା ସମ୍ପର୍କରେ ଗତ ଜୁଲାଇ ୪ ତାରିଖରେ ଜିଲ୍ଲା ଏସ୍ପିଙ୍କୁ ଦଳୀୟ ନେତୃବୃନ୍ଦଙ୍କ ଦ୍ୱାରା ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏସ୍ପିଙ୍କ ସ୍ଥାଣୁତା ଓ ନିଷ୍କ୍ରିୟତା ଆଇନ ପ୍ରତି ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ସେ କହିଛଡ଼୍ତି।
ଏହାର ପ୍ରତିବାଦରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବାଧିକାର କମିଶନଙ୍କୁ ସାକ୍ଷାତ କରି ଏସ୍ପି, ଚାନ୍ଦବାଲି ଥାନା ଆଇଆଇସି ଏବଂ ମହିଳାଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପ୍ରତିନିଧୀ ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଏବଂ ମହିଳା ମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ସାମିଲ ଥିଲେ।



