www.samajalive.in
Saturday, December 13, 2025
14.1 C
Bhubaneswar

ଅଧ୍ୟାପକବିହୀନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାମ୍ବାଦିକତା ବିଭାଗ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଗଠନ ହେବାର ଇତିମଧ୍ୟରେ ୫୩ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ହେଲେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ପଦ ଖାଲି ରହିଥିବାରୁ କେତେକ ବିଭାଗ ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ଏହି ବିଶ୍ବବିଦ୍ୟାଳୟରେ ରହିଥିବା ୨୧ଟି ବିଭିନ୍ନ ସ୍ମାତକୋତ୍ତର‌ ବିଭାଗରେ ପ୍ରଫେସର, ସହଯୋଗୀ ଓ ସହକାରୀ ପ୍ରଫେସର ଆଦି ୭୮ ଟି ପଦ ଖାଲି ପଡିଛି। କେତକେ ବିଭାଗରେ ଗତ ୪ ବର୍ଷ ହେବ ଜଣେ ବି ଅଧ୍ୟାପକ ନାହାଁନ୍ତି। ଅତିଥି ଅଧ୍ୟାପକ ନିଯୁକ୍ତି ଦିଆଯାଇ କାମଚଳାରେ ବିଭାଗ ଚାଲିଛି। ଏଭଳି ସ୍ଥିତିରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଅଧ୍ୟାପକବିହୀନ ରହିଛି।

ଓଡ଼ିଶାର ପୁରାତନ ତଥା ପ୍ରଥମ ୟୁଜିସି ସ୍ବୀକୃତିପ୍ରାପ୍ତ ବିଭାଗ ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ୧୯୭୪ ମସିହାରେ ଡିପ୍ଲୋମା ଇନ ଜର୍ଣ୍ଣାଲିଜିମ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ପ୍ରଥମବର୍ଷ କେବଳ‌ ୮ ଜଣ ବିଦ୍ୟାର୍ଥୀଙ୍କୁ ନାମ ଲେଖାଇବାର ସୁଯୋଗ ଦିଆଯିବା ସହ ୨ ଜଣ ରିଡରଙ୍କୁ ନିଯୁକ୍ତି ଦିଆଯାଇଥିଲା ‌। ୧୯୭୯ରେ ସିଟ୍ ସଂଖ୍ୟା ୧୬କୁ ବୃଦ୍ଧି ସହ ରିଡର୍ ସଂଖ୍ୟା ୪କୁ ବୃଦ୍ଧି ଘଟିଥିଲା। ୧୯୮୬ ରେ ଏହି କୋର୍ସର ନାମ ପରିବର୍ତ୍ତନ କରାଯାଇ ଏକ ବର୍ଷିୟା କୋର୍ସର ମାନ୍ୟତା ଦିଆଯାଇ ମାଷ୍ଟର ଇନ୍ ଜର୍ଣ୍ଣାଲିଜିମ ଭାବେ ନାମ କରଣ କରାଯାଇ ବିଦ୍ୟାର୍ଥୀଙ୍କ ସଂଖ୍ୟା ୨୦ କୁ ବୃଦ୍ଧି କରାଯାଇଥିଲା। ୧୯୯୬ରେ ୟୁଜିସି ନିୟମ ଅନୁସାରେ କୋର୍ସର ନାମକୁ ପରିବର୍ତ୍ତନ କରାଯାଇ ଏହାକୁ ୨ ବର୍ଷିୟା ପାଠ୍ୟକ୍ରମ କରାଯିବା ସହ ମାଷ୍ଟର ଇନ୍ ଜର୍ଣ୍ଣାଲିଜିମ ଏଣ୍ଡ ମାସ କମ୍ୟୁନିକେସନ ତଥା ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ କରାଗଲା। ବିଦ୍ୟାର୍ଥୀ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ଜଣେ ପ୍ରଫେସର, ଜଣେ ରିଡର୍ ଓ ୪ ଜଣ ଅଧ୍ୟାପକ ସମେତ ଜଣେ କିରାଣି ଓ ଜଣେ ପିଅନଙ୍କୁ ବିଭାଗରେ ନିଯୁକ୍ତି ଦିଆଯାଇଥିଲା।

- Advertisement -

ଦୁଇହଜାର ମସିହାରେ ଦଶମ ଅର୍ଥ କମିଶନ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ବିଦ୍ୟାର୍ଥୀଙ୍କ ନିମନ୍ତେ ଅତ୍ୟାଧୁନିକ ପ୍ରୟୋଗ ଶାଳା ନିର୍ମାଣ କରାଯାଇଥିଲା। ପ୍ରୟୋଗଶାଳା ପରିଚାଳନା ନିମନ୍ତେ ଜଣେ ଟେକ୍ନିସିଆନ ଓ ୨ ପ୍ରଡକ୍ସନ ସହକାରୀ ନିଯୁକ୍ତି ନିମନ୍ତେ ସରକାରଙ୍କୁ ଅନୁମତି ମଗାଯାଇଥିଲା । କିନ୍ତୁ ଆଜିଯାଏଁ ଏହି ପଦ ପୂରଣ ହୋଇନି। ଏହି ପ୍ରୟୋଗଶାଳାରେ ଦାମିକା କ୍ୟାମେରା ସହ ଉଚ୍ଚ ରିଜୋଲେସନ ସମ୍ପନ୍ନ ଦୁଇଟି କମ୍ପ୍ୟୁଟର ବ୍ୟବସ୍ଥା ରହିଛି। ଏବେ ସେଗୁଡିକ ଅବ୍ୟବହୃତ ହୋଇ ଅଚଳାବସ୍ଥାକୁ ଚାଲି ଆସିଛି। ୨୦୦୧ ମସିହାରେ ବିଭାଗ ପକ୍ଷରୁ ନ୍ୟୁଜ ବୁଲେଟିନ ତଥା ଭଞ୍ଜବାଣୀର ପ୍ରସାରଣ ଆରମ୍ଭ କରାଯାଇଥିଲା। ପ୍ରତିଦିନ ବିଦ୍ୟାର୍ଥୀମାନେ ଅପରାହ୍ନ ସମୟରେ ଦୈନିକ ମୁଖ୍ୟ ଖବରକୁ ମାଇକ ଯୋଗେ ପଢ଼ିବା ସହ ନ୍ୟୁଜ ଆଙ୍କରିଂ କରିବାର କୈଶଳ ଶିକ୍ଷା ଲାଭ କରୁଥିଲେ। ୧୯୭୫ ମସିହାରେ ବିଶ୍ବବିଦ୍ୟାଳୟ ଖବରକୁ ମାସିକ ଭାବେ ଭଞ୍ଜବିହାର ରିପୋର୍ଟରସ ଭାବେ ପ୍ରକାଶିତ କରାଯାଉଥିଲା। କିନ୍ତୁ ଏବେ ଏହା କେବଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ଓ ସମାବର୍ତ୍ତନ ଦିବସ ପାଳନ ବେଳେ ପ୍ରକାଶ ପାଉଛି। ଯାହା ଚଳିତବର୍ଷ ପାଳିତ ହୋଇଥିବା ପ୍ରତିଷ୍ଠାରେ ଆଉ ସେହି ଖବର ପ୍ରକାଶିତ ହୋଇପାରିନଥିଲା।

ବିଶ୍ବବିଦ୍ୟାଳୟର ବିଭିନ୍ନ ଛପା କାର୍ୟ୍ୟ ନିମନ୍ତେ କ୍ୟାମ୍ପସ ପରିସରରେ ଏକ ପ୍ରେସ ରହିଥିବା ବେଳେ ୨୦୧୦ ମସିହାରେ ଦ୍ବାଦଶ ଅର୍ଥ କମିଶନ ପାଣ୍ଠିରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଅଫସେଟ ମୁଦ୍ରଣ ୟୁନିଟ ସ୍ଥାପନ କରାଯାଇଥିଲେ ମଧ୍ୟ ତାହା ଆଜି ଯାଏଁ କାର୍ୟ୍ୟକ୍ଷମ ନହୋଇ ଖତ ଖାଉଛି। ଗଣ ଯୋଗାଯୋଗ ବିଭାଗରେ ପିଏଚଡ଼ି କରୁଥିବା ବିଦ୍ୟାର୍ଥୀଙ୍କ ନିମନ୍ତେ କୌଣସି ଗାଇଡ ନଥିବାରୁ ବିଦ୍ୟାର୍ଥୀମାନେ ଅନ୍ୟ ବିଶ୍ବବିଦ୍ୟାଳୟ ଗାଇଡ ଉପରେ ନିର୍ଭର କରୁଛନ୍ତି। ବିଦ୍ୟାର୍ଥୀମାନେ ପ୍ରତିବର୍ଷ ଦୁଇଟି ଶ୍ରେଣୀ ପ୍ରାକ୍ଟିକାଲ କରିବାକୁ ସ୍ଥିର କରାଯାଇଥିଲେ ସୁଦ୍ଧା ଦୀର୍ଘ ତିନିବର୍ଷ ହେବ ଏହା ସଠିକ ଭାବେ ହୋଇ ପାରୁନି। ବିଦ୍ୟାର୍ଥୀମାନେ ଦୁଇ ବର୍ଷିୟା ପାଠ୍ୟକ୍ରମ ଶେଷ କରି ସାରିଥିଲେ ମଧ୍ୟ ଦିନ ମଧ୍ୟ ପ୍ରାକ୍ଟିକାଲ ଶ୍ରେଣୀ କରିପାରି ନାହାଁନ୍ତି। ୨୦୧୭ ମସିହାରେ ଏଠାରେ ନିଯୁକ୍ତି ପାଇଥିବା ସହକାରୀ ପ୍ରଫେସର ମନୋଜ ଦେହୁରୀ ଅନ୍ୟତ୍ର ଚାକିରି ପାଇ ଏଠାରୁ ଚାଲିଯିବା ପରେ ବିଭାଗ ସମ୍ପୁର୍ଣ୍ଣ ଅଧ୍ୟାପକବିହୀନ ହୋଇପଡିଛି।

ବିଶ୍ବବିଦ୍ୟାଳୟରେ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାଧ୍ୟାପକ ପଦ ପୂରଣ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗକୁ ଲିଖିତ ଭାବେ ଅବଗତ କରାଯାଇଥିଲା। ଏହାକୁ ଆଧାର କରି ଉଚ୍ଚ ଶିକ୍ଷା ବିଭାଗ କମିଶନର ପଦକ୍ଷେପ ନେବାକୁ ଓପିଏସସିକୁ ଚିଠି କରିଥିଲେ। କିନ୍ତୁ ଅଦ୍ୟାବଧି ଏନେଇ କୌଣସି ପଦକ୍ଷେପ ନିଆଯାଇନି। ୧୧ ତାରିଖରୁ ବିଶ୍ବବିଦ୍ୟାଳୟରେ ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କ ପାଠପଢ଼ା ଆରମ୍ଭ ହୋଇଯାଇଥିବାରୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗତ ୬ ତାରିଖରେ ଏହି ବିଭାଗ ନିମନ୍ତେ କମଳିକା ଦାସ ଓ ଡ଼ ହରିଶ୍ଚନ୍ଦ୍ର ବେହେରାଙ୍କୁ ଆସନ୍ତା ମେ’ ମାସ ପର୍ୟ୍ୟନ୍ତ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏହି ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଅବଲମ୍ବନ କରାଯାଇନଥିବା ଅଭିଯୋଗ ଉଠିଛି। ଜନୈକ ଅତିଥି ଅଧ୍ୟାପକ ବର୍ତ୍ତମାନ ଅନ୍ୟ ଏକ ମହାବିଦ୍ୟାଳୟରେ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଛି। ଏହା ୟୁଜିସି ଗାଇଡ ଲାଇନର ବିରୋଧାଚରଣ ବୋଲି କୁହାଯାଇଛି।

ବିଶ୍ବବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ପଦ ପୂରଣ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଚଳିତବର୍ଷର ପାଠପଢ଼ା ନିମନ୍ତେ ବିଶ୍ବବିଦ୍ୟାଳୟ ପକ୍ଷରୁ ମେରାଇନ ସାଇନ୍ସ, ଆଇନ ଓ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ନିମନ୍ତେ ୫ ଜଣଙ୍କୁ ମାସିକ ୨୫ ହଜାର ଟଙ୍କା ଦରମାରେ ନିଯୁକ୍ତି ଦିଆଯାଇଛି। ଏହା ସହ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ନିଯୁକ୍ତି ଦିଆଯାଇଥିବା ଅତିଥି ଅଧ୍ୟାପଙ୍କଠାରୁ ଦରକାର ପଡ଼ୁଥିବା ସତ୍ୟପାଠ ମଗାଯାଇଛି। ପ୍ରଦାନ ପରେ ସେସବୁ ଯାଞ୍ଚ କରାଯିବ ବୋଲି କହିଛନ୍ତି କୁଳସଚିବ ରଞ୍ଜନ କୁମାର ବିଶ୍ବାଳ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories