ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମପୁରରେ କିନ୍ନର ମିଶି ବାପାକୁ ପୁଅ ହତ୍ୟା କରିବା ଘଟଣାର ଖୋଲାସା କରିଛନ୍ତି ଏସଡ଼ିପିଓ। ଏଟିଏମ କାର୍ଡ ପାଇଁ ପୁଅ ବାପାଙ୍କୁ ହତ୍ୟା କରିଥିବା ଏସଡିପିଓ କହିଛନ୍ତି। ଏଟିଏମ କାର୍ଡ ପୁଅ ବାପାକୁ ମାଗିବାରୁ ବାପା କିନ୍ତୁ କାର୍ଡ ଦେଇନଥିଲେ। କାର୍ଡ ନଦେବାରୁ ବାପା ମୁଣ୍ଡକୁ କାନ୍ଥରେ ପିଟିପିଟି ଗୁରୁତର କରିଥିଲା ପୁଅ। ଗୁରୁତବ ଅବସ୍ଥାରେ ବାପାକୁ ୧୬ତାରିଖ ଦିନ ମେଡିକାଲରେ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ ବ୍ରହ୍ମପୁରର ଅଯୋଧ୍ୟାନଗର ୩ୟ ଲାଇନ ନିବାସୀ ରାଜସ୍ବ ବିଭାଗର ଅବସରପ୍ରାପ୍ତ କିରାଣି ଗରିବବନ୍ଧୁ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଗରିବବନ୍ଧୁଙ୍କୁ ତାଙ୍କ ନିଜ ଇଞ୍ଜିନିୟର ପୁଅ ସନ୍ଦୀପ ପଣ୍ଡା ଓ ଘରେ ରହୁଥିବା କିନ୍ନର ଶ୍ରୀୟା ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ହତ୍ୟା କରିବା ପରେ ଉଭୟେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସମସ୍ତ ଯୋଜନା କରିଥିଲେ; ହେଲେ ସେମାନଙ୍କ ଯୋଜନା ପଣ୍ଡ ହେବା ସହ ପୁଲିସ ହାତରେ ଧରାପଡିଥିଲେ। ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି।
ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ୪ତାରିଖରେ ଭୁବନେଶ୍ୱରରେ ଆଇନ ପ୍ରଫେସର ପୁଅ ନିଜ ପିତାଙ୍କୁ ଅତି ନୃସଂଶ ଭାବେ ହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପଇସା ପାଇଁ ଉଚ୍ଚଶିକ୍ଷିତ ପୁଅ ନିଜ ବାପାକୁ ହତ୍ୟା କରିବା ଭଳି ବିଭିତ୍ସ ଘଟଣା ଏଥର ବ୍ରହ୍ମପୁରରେ ଘଟିଛି।



