ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଥାନା ଆଗରେ ଲୁଗା ଦୋକାନ କରିଥିବା ଜଣେ ବ୍ୟକ୍ତି ନିଜ ଦୋକାନରେ ରଖି ତାଙ୍କୁ ଯୌନ ନିର୍ଯାତନା ଦେଇ ଗର୍ଭବତୀ କରିବା ପରେ କୌଣସି ପାରିଶ୍ରମିକ ନଦେଇ ଦୋକାନରୁ ବାହାର କରିଦେଇଛନ୍ତି। ଯୁବତୀ ଜଣକ ଆଜି ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଲଷ୍ମୀପ୍ରସାଦ ଶତପଥୀ ଏକ ମୋକଦମା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି। ବେଗୁନିଆ ନିକଟସ୍ଥ ରାଧାକାନ୍ତପୁର ପଞ୍ଚାୟତ ଅନ୍ତର୍ଗତ ଧାନଘର ନୂଆଗାଁ ଗ୍ରାମର ତ୍ରିନାଥ ପ୍ରଧାନ ବେଗୁନିଆ ଥାନା ଆଗରେ ଏକ ଲୁଗା ଦୋକାନ କରିଥିବା ବେଳେ ଭିନ୍ନକ୍ଷମ ଯୁବତୀ ଜଣକ କାମ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଯୁବତୀ ଜଣକର ଜଣେ ବିଧବା ମା ଥିବାବେଳେ ସେ ବିଭିନ୍ନ ଜାଗାରେ କାମ ଧନ୍ଦା କରି ଉପାର୍ଜିତ ଅର୍ଥରେ ମା ଝିଅ ଜୀବନ ଅତିବାହିତ କରିଥାନ୍ତି।
ଗତ ଏକ ବର୍ଷ ହେବ ଯୁବତୀ ଜଣକ ଲୁଗା ଦୋକାନୀଙ୍କ ସଂସ୍ପର୍ଶରେ ଆସିବା ପରେ ସେଠାରେ ରହି କାମ କରୁଥିଲେ। କିନ୍ତୁ ଦୋକାନୀ ଜଣକ ସେ କାମ କରିବା ଭିତରେ ତାଙ୍କ ସହିତ ଯୌନ ସମ୍ପର୍କ ରଖି ତାଙ୍କୁ ଗର୍ଭବତୀ କରିଥିବାର ସେ ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀ ଜଣକ ନିଜର ପାରିଶ୍ରମିକ ମାଗିବା ପରେ ଦୋକାନୀ ପାରିଶ୍ରମିକ ନଦେଇ ଦୋକାନରୁ ବାହାର କରିଦେଇଥିଲେ। ଫଳରେ ଯୁବତୀ ଜଣକ ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଅଭିଯୁକ୍ତକୁ ଗିରଫ କରିଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।


