ବେଗୁନିଆ: ଧଳାପଥର ଡାକ ଘର ନିକଟରୁ ତିନି ଜଣ ଯୁବକ ଦଶପଲ୍ଲାରୁ ଆସୁଥିବା ଏକ ବାଇଗଣ ବୋଝେଇ ପିକଅପ ଭ୍ୟାନ ଅପହରଣ ଘଟଣା । ଗୋଟିଏ ଦିନ ଭିତରେ ବେଗୁନିଆ ପୋଲିସ ସମ୍ପୃକ୍ତ ଗାଡି ସହିତ ୩ ଜଣ ଡକାୟତଙ୍କୁ ଗିରଫ କରିଛି । ଗତ ୨୧ ତାରିଖ ଦିନ ବିଳମ୍ବିତ ରାତିରେ ଦଶପଲ୍ଲା ଥାନା ନାହାକପଡା ଗ୍ରାମର ବିପିନବିହାରି ବେହେରାଙ୍କର ବୋଲେରୋ ଗାଡି ଅପହରଣ ହୋଇଥିଲା । ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଚାଳକକୁ ମାଡ଼ ମାରି ତାଠାରୁ ଚାବି ଛଡାଇ ନେଇ ଆଖିପିଛୁଳାକେ ଖୋର୍ଦ୍ଧା ଅଭିମୁଖେ ପଳାଇଯାଇଥିଲେ । ଏ ସଂକ୍ରାନ୍ତରେ ଗାଡି ମାଲିକ/ଚାଳକ ବେଗୁନିଆ ଥାନାରେ ଜଣାଇଥିଲେ । ପରେ ଏସପି ରାଜକିଶୋର ଦୋରା ଏବଂ ଏସଡିପି ଓ ସୁଶୀଳକୁମାର ମିଶ୍ରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଥାନା ଅଧିକାରୀ ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ରଶ୍ମିରଞ୍ଜନ ଦାଶ , ଏ ଏସ ଆଇ ଗଜେନ୍ଦ୍ର କୁମାର ଜେନା ,ଭୁବନ ବେହେରା ,ସିଦ୍ଧେଶ୍ୱର ମହାପାତ୍ର ଏବଂ ଶ୍ରୀନିବଶ ବାରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଆଖ ପାଖର ସମସ୍ତ ଟୋଲ ଗେଟ ଯାଞ୍ଚ କରିବା ସହ ଅପରାଧୀଙ୍କ ଉପରେ କଡା ନଜର ରଖିଥିଲେ ।
ଗତକାଲି ରାତିରେ ଅପରାଧୀମାନେ ଗାଡିଟିକୁ ଜଟଣୀରେ ଲୁଚାଇ ରଖିଥିବା ସ୍ଥାନରୁ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବା ସମୟରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଏରିଆରେ ଧରାପଡିଥିଲେ ।ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର ଅବଦୁଲ ମନସୁର ,ଶେଖ ମଜ୍ଜିତ ଓ ଫାରୁଖ ଖାଁ ଙ୍କୁ ଗିରଫ କରିଥିବାବେଳେ ଗାଡିକୁ ସୁରକ୍ଷା ଦେଇ ଆସୁଥିବା ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ ।ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଚୋରି ଏବଂ ଡକାୟତି କେଶ ରହିଥିବାର ପୋଲିସ ସୂତ୍ରରୁ ପ୍ରକାଶ ।ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।



