www.samajalive.in
Thursday, December 11, 2025
18.1 C
Bhubaneswar

ସୂଚନା ଅଧିକାର ଆଇନ ଅଧୀନରେ ଆସିବ ବିସିସିଆଇ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟ ବୁଧବାର ଲୋକସଭାରେ ଜାତୀୟ କ୍ରୀଡ଼ା ବିଧେୟକ ଆଗତ କରିଛନ୍ତି। ଏହି ବିଧେୟକ ସଂସଦର ଉଭୟ ଗୃହରେ ପାରିତ ହେବା ପରେ ଆଇନ୍‌ରେ ପରିଣତ ହେବ। ଏହି ବିଧେୟକର ଅନ୍ୟତମ ମୁଖ୍ୟାଂଶ ହେଉଛି ବିଶ୍ବର ସବୁଠାରୁ ଧନଶାଳୀ ଓ ପ୍ରଭାବଶାଳୀ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଏଣିକି ଏକ ଜାତୀୟ କ୍ରୀଡ଼ା ମହାସଂଘ ଭାବେ ପରିଗଣିତ ହେବ। ଫଳରେ ଏହା ସୂଚନା ଅଧିକାର ଆଇନ୍‌ ଅଧୀନକୁ ଆସିପାରିବ। ୨୦୧୧ରୁ କେନ୍ଦ୍ର ସରକାର ବିସିସିଆଇକୁ ସୂଚନା ଅଧିକାର ଆଇନ୍‌ ଅଧୀନକୁ ଆଣିବାର ପ୍ରୟାସ କରି ଆସୁଥିଲେ। ତେବେ ବିସିସିଆଇ ଏହାକୁ ବିରୋଧ କରିଆସୁଛି। ବିସିସିଆଇ ଯୁକ୍ତି ବାଢ଼ିଆସିଛି ଯେ, ଏହା ଏକ ସ୍ବୟଂଶାସିତ କ୍ରୀଡ଼ା ସଂଘ। ଏହା ଆଇସିିସି ଅଧୀନରେ ରହିଛି। ବିସିସିଆଇର ନିଜସ୍ବ ସମ୍ବିଧାନ ରହିଛି; ଯାହା ଆଇସିସି ଦ୍ବାରା ଅନୁମୋଦିତ। ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ଏହା ସରକାରଙ୍କଠାରୁ ବାର୍ଷିକ ଅନୁଦାନ ନିଏନାହିଁ। ଏହା ନିଜେ ରାଜସ୍ବ ଆୟ କରିଥାଏ ଏବଂ ଏଥିରେ ଦେଶରେ କ୍ରିକେଟ୍‌ ପରିଚାଳନା କରିଥାଏ। ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ମଧ୍ୟ ବିସିସିଆଇ ପ୍ରଦତ୍ତ ଅର୍ଥରେ କ୍ରିକେଟ୍‌ ଚଳାଇଥାଆନ୍ତି। ତେଣୁ ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ ହେବନାହିଁ ବୋଲି ବିସିସିଆଇ ଜିଦ୍ ଧରିଥିଲା। ହେଲେ କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ଜାତୀୟ କ୍ରୀଡ଼ା ବିଧେୟକ ଆଇନ୍‌ରେ ପରିଣତ ହେଲେ ବିସିସିଆଇ ସୂଚନା ଅଧିକାର ଆଇନ୍ ଅଧୀନକୁ ଆସିବା ବାଧ୍ୟତାମୂଳକ ହୋଇଯିବ।

ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ବିସିସିଆଇ ବାର୍ଷିକ ସ୍ବୀକୃତି ପାଇଁ ଆବେଦନ କରିବ ଏବଂ ଏବେ ଚାଲିଥିବା ଓ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ଆଇନ୍‌ଗତ ମାମଲା ଜାତୀୟ କ୍ରୀଡ଼ା ଟ୍ରାଇବୁନାଲ ଜରିଆରେ ସମାଧାନ ହେବ। କୌଣସି ବିବାଦ ହେଲେ ବିସିସିଆଇ କିମ୍ବା ଏହାର ଅନୁବନ୍ଧିତ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ସିଧାସଳଖ କୌଣସି ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ ନାହିଁ। ସେପ୍ଟେମ୍ବରରେ ବିସିସିଆଇର ନିର୍ବାଚନ ହେବା ପରେ ଏହାକୁ ଜାତୀୟ କ୍ରୀଡ଼ା ବୋର୍ଡଠାରୁ ସ୍ବୀକୃତି ପାଇଁ ଆବେଦନ କରିବାକୁ ପଡ଼ିବ। ଜାତୀୟ କ୍ରୀଡ଼ା ବିଧେୟକ ଆଇନ୍‌ରେ ପରିଣତ ହେଲେ ଏହାକୁ ଦେଶର ସମସ୍ତ ଆଇନ୍ ମାନିବାକୁ ପଡ଼ିବ। ସରକାରଙ୍କଠାରୁ ଏହା ଟଙ୍କାଟିଏ ନେଉ ନ ଥିଲେ ମଧ୍ୟ ଜାତୀୟ କ୍ରୀଡ଼ା ଆଇନ୍‌କୁ ଏହାକୁ ମାନିବାକୁ ପଡ଼ିବ। ତେବେ ଅନ୍ୟ ଜାତୀୟ କ୍ରୀଡ଼ା ମହାସଂଘ ପରି ବିସିସିଆଇ ମଧ୍ୟ ଏକ ସ୍ବୟଂଶାସିତ ସଂସ୍ଥା ଭାବେ ପରିଗଣିତ ହେବ ବୋଲି ନୂତନ ବିଧେୟକର ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories