ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଆଇନକୁ ଅଧ୍ୟାଦେଶ ଆକାରରେ ଲାଗୁ କରିବା ନିମନ୍ତେ ରବିବାର ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ ବୈଠକ ଉନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ।

ବିଧାନସଭା ଏବେ ମୁଲତବୀ କାରଣରୁ ଅଧ୍ୟାଦେଶ ଜରିଆରେ ଲିଙ୍ଗରାଜ ମନ୍ଦିର ଆଇନର ବ୍ୟବସ୍ଥା କରାଯାଇଛି। ଶ୍ରଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟପାରଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧ୍ୟାଦେଶକୁ ଆଜି କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବେ ବ୍ୟବସ୍ଥା ହୋଇଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ପରିଚାଳନା, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିର ପାଣ୍ଠିର ଗଠନ ଓ ପରିଚାଳନା ଇତ୍ୟାଦି ସାମିଲ ଅଛି।



