www.samajalive.in
Friday, December 5, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ

ଭୁବନେଶ୍ୱର:ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏଥିସହିତ ରାଜ୍ୟର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ ଆଜି ଠାରୁ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ କରାଗଲା । ଏହି ଯୋଜନାରେ ସାରା ଦେଶରେ ଆସନ୍ତା ୬ ବର୍ଷ ପାଇଁ ବର୍ଷକୁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଦେଶର ୧.୭ କୋଟି କୃଷକ ଉପକୃତ ହେବେ ।

ଆଜି ପ୍ରଧାନମନ୍ତ୍ରୀ ସମ୍ୱଲପୁରର ବସନ୍ତପୁର ଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଏବଂ ଭୁବନେଶ୍ୱରର ପାଣ୍ଡରା ଠାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟ କେବଳ ଓଡିଶାର ନୁହେଁ, ସାରା ଦେଶର ପ୍ରମୁଖ ଜୀବିକା ।  ଗତ ୧୧ ବର୍ଷ ଭିତରେ ଆମ ଦେଶ ଅନେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଛି । ଦେଶକୁ ପ୍ରମୁଖ ଖାଦ୍ୟଶସ୍ୟ, ତୈଳବୀଜ ଓ ଡାଲି ଜାତୀୟ ପଦାର୍ଥ ଦିଗରେ ଆତ୍ମନିର୍ଭର କରିବା ଆବଶ୍ୟକ । ଆଜି ବି ଆମ ଦେଶ ଡାଲି ଏବଂ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ । ଆମକୁ ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ପଡିବ। ତେଣୁ, ଆଜି ମାନ୍ୟବର ମୋଦୀଜୀଙ୍କ କର କମଳରେ ଶୁଭାରମ୍ଭ ହେଉଥିବା ଯୋଜନା ଗୁଡିକ ଆତ୍ମନିର୍ଭର କୃଷକଙ୍କ ପ୍ରତି ଉତ୍ସର୍ଗୀକୃତ। ଆମ ସରକାର ଆସିବା ମାତ୍ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଛି। ସେଥିପାଇଁ ଆମ ସରକାର ୨୦୨୫-୨୬ ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ୩୭ ହଜାର ୮୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି। ସବୁଠାରୁ ବଡ ଯୋଜନା ହେଉଛି ସମୃଦ୍ଧ କୃଷକ ଯୋଜନା ଯାହା ଫଳରେ ଓଡିଶାର ଚାଷୀମାନେ ପ୍ରତି କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ଓ ଇନ୍‌ପୁଟ ସହାୟତା ମିଶି ୩୧୦୦ ଟଙ୍କା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

- Advertisement -

ଏହି ଦୂରଦୃଷ୍ଟିସମ୍ପନ୍ନ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା’ ର ରାଜ୍ୟସ୍ତରୀୟ ଶୁଭାରମ୍ଭରେ ମୋର ଦୃଢ ବିଶ୍ବାସ, ଯେ ଏହି ଯୋଜନା ଦ୍ୱାରା ଚାଷୀ ପରିବାର ସ୍ୱଚ୍ଛଳ ହେବେ ଏବଂ ସେମାନଙ୍କ ଆୟରେ ନିଶ୍ଚିତ ଭାବେ ବୃଦ୍ଧି ହେବ । ଏହି କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ଚାରୋଟି ଜିଲ୍ଲା – କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ ଏବଂ ନୂଆପଡ଼ାକୁ ଚୟନ କରାଯାଇଥିବାରୁ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ପ୍ରତିଶୃତି ଦେଉଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେଉଥିବା ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଏହି ଯୋଜନା ଦ୍ୱାରା ଚାଷୀଭାଇମାନେ କେବଳ ଧାନ ଉପରେ ନିର୍ଭର ନ ହୋଇ ଡାଲି, ତୈଳବିଜ ଓ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ କରି ଫସଲର ବିବିଧକରଣ କରିବେ ଏବଂ ଅଧିକ ଅର୍ଥ ରୋଜଗାର କରିପାରିବେ ବୋଲି ସେ କହିଥିଲେ।

ଭୁବନେଶ୍ୱରର ପାଣ୍ଡରା ହୋଲସେଲ୍ ମାଛ ମାର୍କେଟ ପ୍ରକଳ୍ପ ଭୁବନେଶ୍ୱରର କେନ୍ଦ୍ରସ୍ଥଳରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ୫୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା  ଅଧୀନରେ ଏହା ନିର୍ମିତ ହେବ। ଏଥିରେ ୩୦ କୋଟି ଟଙ୍କା କେନ୍ଦ୍ର ସରକାର ଓ ୨୯ କୋଟି ୧୩ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ମାର୍କେଟ ସିଧାସଳଖ ଭାବରେ ୧୪୩ ବ୍ୟବସାୟୀଙ୍କୁ ଉପକୃତ କରାଇବ ଓ ୨,୦୦୦ରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ । ଭୁବନେଶ୍ୱର ଓ କଟକର ଖାଉଟିମାନଙ୍କ ଚାହିଦାକୁ ପୂରଣ କରିବ । ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ସହିତ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି ଏବଂ ପ୍ରକଳ୍ପ କାର୍ଯ୍ୟ ୨୦୨୭ ନଭେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ଇଣ୍ଟିଗ୍ରେଟେଡ୍ ଆକ୍ୱା ପାର୍କ ଏବଂ ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର- ଏହି ଦୁଇଟି ପ୍ରକଳ୍ପ ମିଶି ପ୍ରଥମେ ଉତ୍ପାଦନ ପରେ ପ୍ରସ୍ତୁତି ଓ ବିପଣନ ପର୍ଯ୍ୟନ୍ତ ଏକ ଭାଲ୍ୟୁ ଚେନ୍ ସୃଷ୍ଟି କରିବ । ଭାରତର ନୀଳ ବିପ୍ଲବ ରେ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ସ୍ଥାନ ପାଇବ ବୋଲି ସେ କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ , ସୁନ୍ଦରଗଡ଼ ବିଶ୍ରାରୁ ଆଭାସୀ ମାଧ୍ୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ଉପସ୍ଥିତ ଥିବାବେଳେ, କୃଷି ଶିକ୍ଷା ସଦନ ଠାରେ ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଓୟୁଏଟି କୁଳପତି ଡଃ ପ୍ରଭାତ କୁମାର ରାଉଳ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ବିଏମ୍‌ସି କମିଶନର ଶ୍ରୀ ଚଞ୍ଚଳ ରାଣା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ, ମହମ୍ମଦ ସାଦିକ୍ ଆଲାମ୍‍ ଧନ୍ୟବାଦ ଦେଇଥିଲେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories