ଦୋକାନ ଖୋଲିବା ଦ୍ୱନ୍ଦ୍ୱ ଦୂର କଲା ବିଏମ୍ସି
ଖୋଲା ରହିବ : ତେଜରାତି, ଫଳ, ପନିପରିବା, ଦୁଗ୍ଧଜାତ ସାମଗ୍ରୀ ଦୋକାନ, ପଶୁପକ୍ଷୀଙ୍କ ଖାଦ୍ୟ, ସାର ଓ କୀଟନାଶକ, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିସ୍, କମ୍ପ୍ୟୁଟର, ସମସ୍ତପ୍ରକାର ଗ୍ୟାରେଜ, ମୋଟର ପାର୍ଟସ, ଲୁବ୍ରିିକାଣ୍ଟ, ନିର୍ମାଣ ସାମଗ୍ରୀ, ପାଠ୍ୟ ପୁସ୍ତକ, ପାର୍ସଲ ଦେଉଥିବା ରେସ୍ତୋରାଁ, ଇ-କମର୍ସ ହୋମ୍ ଡେଲିଭରୀ, ଓମ୍ଫେଡ୍, ଓପୋଲଫେଡ୍, ଚିଲିକା ଫ୍ରେସ୍, ରିଲାଏନ୍ସ ଫ୍ରେସ୍, ଇଣ୍ଟରନେଟ ସେବା, ଟେଲି ଯୋଗାଯୋଗ, କେବୁଲ ଓ ଡିଟିଏଚ୍, ଘରୋଇ ସିକ୍ୟୁରିଟି ସଂସ୍ଥା ଓ ସେବା ଯୋଗାଣ, ହୋଟେଲ୍, ହୋମ୍ ଷ୍ଟେ ଓ ଲଜିଂ, ଅଳଙ୍କାର, ଲୁଗା ଓ ପୋଷାକ।
ବନ୍ଦ ରହିବ: ସମସ୍ତ ମାର୍କେଟ କଂପ୍ଲେକ୍ସ, ମଲ୍ଟି ଓ ସିଙ୍ଗଲ୍ ବ୍ରାଣ୍ଡ, ଜିମ୍ନାସିୟମ୍, ମଦ ଦୋକାନ, ଗେମ୍ ପାର୍ଲର, ସାଲୁନ୍, ସ୍ପା, ବିଉଟି ପାର୍ଲର, ପାନ, ଚା’, କଫି ବୁଥ୍, ଜଳଖିଆ ଦୋକାନ, ଫାଷ୍ଟଫୁଡ୍, ଫଳ ଜୁସ୍ ଦୋକାନ
ଭୁବନେଶ୍ୱରରେ ବ୍ୟବସାୟ ପାଇଁ ମଙ୍ଗଳବାର ବିଏମ୍ସି ପକ୍ଷରୁ ତାଲାବନ୍ଦ କଟକଣାରେ କୋହଳ ନେଇ ନିର୍ଦେଶନାମା ଜାରି କରାଯାଇଥିଲେ ମଧ୍ୟ ଏଥିରେ ଦ୍ୱନ୍ଦ୍ୱ ରହିଥିବା ବ୍ୟବସାୟୀ ଏବଂ ଗ୍ରାହକ ଅଭିଯୋଗ କରିଥିଲେ। ଦ୍ୱନ୍ଦ୍ୱ ଦୂର ପାଇଁ ଲୋକଙ୍କଠାରୁ ବିଏମ୍ସି ମତାମତ ଲୋଡ଼ିବା ସହିତ ବିଭିନ୍ନ ବ୍ୟବସାୟୀ ସଂସ୍ଥାଙ୍କ ସହ ବିଚାର ବିମର୍ଶ କରିଥିଲା। କେଉଁ ଦୋକାନ ଖୋଲା ହେବ, କେଉଁ ଦୋକାନ ଖୋଲିବ ନାହିଁ ? କର୍ମଚାରୀଙ୍କ ଯିବାଆସିବା ଏବଂ ଗ୍ରାହକଙ୍କ ଭିଡ଼ ନିୟନ୍ତ୍ରଣ ନେଇ ବିଏମ୍ସିକୁ ଲୋକମାନେ ୧୮ଟି ପ୍ରଶ୍ନ ପଚାରିଥିଲେ। ବୁଧବାର ଏହାର ଉତ୍ତର ବିଏମ୍ସି ପକ୍ଷରୁ ରଖାଯାଇଥିବାବେଳେ ଗୁରୁବାର କମିସନର ପ୍ରେମଚନ୍ଦ୍ର ଚୌଧାରୀ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ମଲ୍ ଏବଂ ମାର୍କେଟ କଂପ୍ଲେକ୍ସକୁ ନେଇ ବହୁ ବ୍ୟବସାୟୀଙ୍କସନ୍ଦେହ ଥିବାବେଳେ କମିସନର ଏହାର ଉତ୍ତର ରଖି କହିଛନ୍ତି, ଗୋଟିଏ ବିଲ୍ଡିଂରେ ଯଦି ୫ରୁ ଅଧିକ ଦୋକାନ ଥିବ ତାକୁ ମାର୍କେଟ କଂପ୍ଲେକ୍ସ ଏବଂ ମଲ୍ ଭାବେ ଗଣାଯିବ।
ଏଠାରେ ଥିବା ଦୋକାନଗୁଡ଼ିକ ଖୋଲାଯାଇପାରିବ ନାହିଁ, କିନ୍ତୁ ବାରଣ ଥିବା ଦୋକାନଗୁଡ଼ିକୁ ଛାଡ଼ି ଅନ୍ୟ ସ୍ଥାନରେ ଥିବା ଦୋକାନଗୁଡ଼ିକ ଖୋଲିବ। ଉଦାହରଣସ୍ୱରୂପ ୟୁନିଟ୍-୨ ମାର୍କେଟ ବିଲ୍ଡିଂ ଆଦି ମଲ୍ କିମ୍ବା ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ ଖୋଲିବ ନାହିଁ। ଅତ୍ୟାବଶ୍ୟକ ଏବଂ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ନେଇ ବ୍ୟବସାୟୀଙ୍କର ଅନେକ ପ୍ରଶ୍ନ ଥିଲା। ଏହାର ଜବାବରେ ବିଏମ୍ସି କମିସନର କହିଛନ୍ତି, ପୂର୍ବରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଯେଉଁ ସମୟରେ ଖୋଲିବାକୁ ନିର୍ଦେଶାବଳୀ ଜାରି ହୋଇଥିଲା ତାହା ସେଗୁଡ଼ିକ କ୍ଷେତ୍ରରେ ଲାଗୁ ହେବ। ହେଲେ କଟକଣା କୋହଳ ପରେ ଯେଉଁ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ ତା’ର ସମୟ ସକାଳ ୮ରୁ ସନ୍ଧ୍ୟା ୬ଟା ରଖାଯାଇଛି। ଏହି ସମୟ ବ୍ୟତୀତ ଯେଉଁମାନେ ଦୋକାନ ଖୋଲିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ୫ରୁ ଅଧିକ ଗ୍ରାହକ ଏକା ସଙ୍ଗରେ କିଣାକିଣି କରିପାରିବେ ନାହିଁ। ମାଲିକମାନେ ସେମାନଙ୍କ ୫୦% ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନରେ କାରବାର କରାଇବେ। ଯେଉଁ କର୍ମଚାରୀଙ୍କ ଥଣ୍ଡା, କାଶ, ଛିଙ୍କ ପରି ଫ୍ଲୁ ଲକ୍ଷଣ ଥିବ ସେମାନଙ୍କୁ କାମ କରିବାକୁ ଅନୁମତି ମିଳିବ ନାହିଁ।
କର୍ମଚାରୀଙ୍କ ଯିବା ଆସିବା ପାସ୍ ପାଇଁ ମାଲିକଙ୍କଠାରୁ ଟ୍ରେଡ୍ ଲାଇସେନ୍ସର ନକଲରେ ଷ୍ଟାମ୍ପ ଲଗାଇ ବ୍ୟବହାର କରିବେ। ଦୋକାନରେ କର୍ମଚାରୀଙ୍କ ପାଇଁ ସାନିଟେସନ ବ୍ୟବସ୍ଥା ସହ ସାମାଜିକ ଦୂରତ୍ୱ ରକ୍ଷା କରାଯିବ। ନଚେତ୍ ଦୋକାନ ମାଲିକ ଦଣ୍ଡିତ ହେବେ। ରାଜଧାନୀର ଏକ ନମ୍ବର ହାଟ, ସହିଦନଗର ହାଟ ଆଦି ୧୦ ପ୍ରମୁଖ ହାଟ ବ୍ୟବସାୟୀ ପୂର୍ବରୁ ଯେଭଳି ଖୋଲା ସ୍ଥାନରେ ବ୍ୟବସାୟ କରୁଥିଲେ ସେମାନେ ସେହି ସ୍ଥାନରେ ବ୍ୟବସାୟ କରିବେ। ପରବର୍ତ୍ତୀ ଆଦେଶ ନ ଆସିବା ଯାଏଁ ସେମାନେ ହାଟରେ ବ୍ୟବସାୟ କରିପାରିବେ ନାହିଁ। ସେହିପରି ଭୁବନେଶ୍ୱରରେ ଥିବା ଶିଳ୍ପ ସଂସ୍ଥାଗୁଡ଼ିକ କାର୍ଯ୍ୟ ଆରମ୍ଭ ପାଇଁ ବିଏମ୍ସିର ଅନୁମତି ନେବାକୁ ପଡ଼ିବ। ବିଭିନ୍ନ ଶିଳ୍ପ ସଂସ୍ଥାକୁ ଅନୁମତି ଦିଆଯାଇଥିବାବେଳେ ଯେଉଁମାନେ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନେ ବିଏମ୍ସିରେ ଆବେଦନ କରିପାରିବେ ବୋଲି କମିସନର କହିଛନ୍ତି।
Comments are closed.