ବ୍ୟାଟେରୀ ଚାଳିତ ଓ ବାୟୋ ଡିଜେଲ୍ ଗାଡି ପାଇଁ ଦରକାର ହେବ ନାହିଁ ପରମିଟ୍
ନୂଆଦିଲ୍ଲୀ . – ବ୍ୟାଟେରୀ ଓ ବାୟୋଡିଜେଲ୍ରେ ଚାଲୁଥିବା ଗାଡି ପାଇଁ ଆଉ ପରମିଟ୍ ଆବଶ୍ୟକ ହେବ ନାହିଁ । ଖୁବ ଶୀଘ୍ର ଏଥିପାଇଁ ଆଗରୁ ଥିବା ନିୟମରେ ପରିବର୍ତ୍ତନ କରାଯିବାର ଅଛି ବୋଲି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ସୂଚନା ଦେଇଛନ୍ତି । ସମସ୍ତ ରାଜ୍ୟ ଏଥିପାଇଁ ରାଜି ହୋଇଛନ୍ତି । ଓଲା ଓ ଉବେର୍ ବ୍ୟାଟେରୀ ଓ ବାୟୋ ଡିଜେଲ୍ ଚାଳିତ ଗାଡି ସାମିଲ୍ କରିବା ପାଇଁ ନିର୍ଦଶ ଦିଆଯାଇଛି ଏବଂ ଏଥିପାଇଁ ପ୍ରାବଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ବିଦ୍ୟୁତ୍ ଚାଳିତ ଗାଡି, ଇଥାନଲ୍, ବାୟୋ ଡିଜେଲ୍, ସିଏନ୍ଜି , ମିଥାନଲ୍ ,ବାୟୋ ଫୁଏଲ୍ ରେ ଚାଲୁଥିବା ବସ୍, ଅଟୋରିକ୍ସା, କାର୍କୁ ପରିମଟ୍ ମୁକ୍ତ କରାଯିବ । ମାତ୍ର ଏପରି ଗାଡି ନିର୍ମାତାଙ୍କୁ କୌଣସି ଆର୍ଥିକ ପ୍ରୋତ୍ସାହନ ଦିଆଯିବ ନାହିଁ । ବିଦ୍ୟୁତ୍ ଚାଳିତ ଗାଡିରୁ ୧୨ ପ୍ରତିଶତ ଜିଏସ୍ଟି ଆଦାୟ କରାଯାଉଥିବାରୁ ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଗଡକରୀ ସୂଚନା ଦେଇଛନ୍ତି । ପରିବେଶକୁ ସୁରକ୍ଷା ଦେବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।