ବାସୁଦେବପୁର : ନିଅଣ୍ଟିଆ ବୃଷ୍ଟିପାତକୁ ନେଇ ଆର୍ତ୍ତୁଂ ଗ୍ରାମରେ ଧାନଚାଷ ହୋଇ ପାରିନାହିଁ। ମରୁଡି ଘୋଷଣା ପାଇଁ ଚାଷୀମାନଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଛି । ଧାନ ଚାଷୀମାନଙ୍କ ଆବଶ୍ୟକତାକୁ ନେଇ ଆର୍ତ୍ତୁଂ ସମବାୟ ସମିତିକୁ ଆସିଥିବା ୟୁରିଆ ରସାୟନିକ ସାରକୁ କଳାବଜାରରେ ବିକିବାକୁ ବାଧ୍ୟ ହୋଇଛି ସମବାୟ ସମିତି। ମିଳିଥିବା ସୂଚନାମୁତାବକ, ଆର୍ତ୍ତୁଂ ସମବାୟ ସମିତିକୁ ଧାନ ଚାଷୀମାନଙ୍କ ୟୁରିଆ ରସାୟନିକ ସାର ମଧ୍ୟରୁ ଷାଠିଏ ବସ୍ତା ୟୁରିଆ ପିକଅପ ଭ୍ୟାନରେ ବୋଝେଇ ହୋଇ କଳାବଜାରକୁ ଚାଲାଣ କରାଯାଇଥିବା ସଂପର୍କରେ ସରପଞ୍ଚ ସୁବାଷଚନ୍ଦ୍ର ସନ୍ଧିବିଗ୍ରହ ଅଭିଯୋଗ କରିଛନ୍ତି। ଏନେଇ ସମବାୟ ସମିତିର ସଭାପତି କୈଳାଶଚନ୍ଦ୍ର ପଣ୍ଡା କୁହନ୍ତି, ଗତବର୍ଷ ୟୁରିଆ ସାରର ଅଭାବକୁ ନେଇ ଚଳିତବର୍ଷ ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମେ ପ୍ରଥମେ ୟୁରିଆସାର ଆଣିଥିଲୁ। ମାତ୍ର ମରୁଡି ପରିସ୍ଥିତି ଦେଖା ଦେଇଥିବାରୁ ଧାନଚାଷୀ ୟୁରିଆସାର କିଣି ନଥିଲେ। ସେହି କାରଣରୁ ଆମେ ମୂଳଦରରେ ଷାଠିଏ ବସ୍ତା ସାର ବିକ୍ରି କରିବାକୁ ବାଧ୍ୟ ହେଲୁ।
Popular Categories



