ଖୁଣ୍ଟା : ବାସିପିଠା ଲ୍ୟାମ୍ପ୍ସକୁ ବିବାଦ ପିଛା ଛାଡୁନି। ନିଜର ଧାନ ବିକ୍ରି କରିନପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହିତ ସେମାନେ ବୁଧବାର ମଧ୍ୟାହ୍ନରେ ଲ୍ୟାମ୍ପ୍ସ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ। ଦୁଇ ଦିନ ଧରି ଚାଷୀମାନେ ମଣ୍ଡିରେ ଧାନରଖି ଜଗି ବସିଥିବା ବେଳେ ସେମାନଙ୍କ ଧାନ ବିକ୍ରି ହୋଇପାରୁନଥିବା ଅଭିଯୋଗ କରିଥିଲେ। ଖୁଣ୍ଟା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଘଟଣା ସମ୍ପର୍କରେ ସୂଚନା ପାଇଁ କାଳିଆ ଟ୍ରେନିଂରେ ଯାଇଥିବା ଲ୍ୟାମ୍ପ୍ସର ଭାରପ୍ରାପ୍ତ ଏମଡି ମଧ୍ୟ ପହଞ୍ଚି ଥିଲେ। ଚାଷୀମାନଙ୍କ କହିବା ଅନୁସାରେ ବାସିପିଠା ଲ୍ୟାମ୍ପ୍ସରେ ମଙ୍ଗଳବାର ଓ ଶୁକ୍ରବାର ଧାନ କିଣା ଯାଇଥାଏ। ମଙ୍ଗଳବାର ଧାନ ବିକ୍ରି କରିବାକୁ ଥିବା ୨୪ ଜଣ ଚାଷୀଙ୍କୁ ଧାନ କିଣା ଦାୟୀତ୍ୱରେ ଥିବା କର୍ମଚାରୀ ସୋମବାର ଦିନ ଟୋକନ ପ୍ରଦାନ କରିଥିଲେ। ଟୋକନ ପାଇଥିବା ଚାଷୀମାନେ ମଙ୍ଗଳବାର ମଣ୍ଡିକୁ ଧାନ ନେଇଥିଲେ। ତେବେ ମଙ୍ଗଳାବାର ନିଜର ଧାନ ବିକ୍ରି କରିନପାରି ଚାଷୀମାନେ ରାତି ସାରା ଧାନକୁ ଜଗି ରହିଥିଲେ। ବୁଧବାର ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହେବା ପରେ ସେମାନେ ବାଧ୍ୟ ହୋଇ ଲ୍ୟାମ୍ପ୍ସ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ସେତେବେଳେ ଦୁଇଜଣ କର୍ମଚାରୀ ଲ୍ୟାମ୍ପ୍ସ କାର୍ଯ୍ୟାଳୟ ମଧ୍ୟରେ ରହିଥିଲେ। ଅପରପକ୍ଷେ ମଙ୍ଗଳବାର ଓ ବୁଧବାର ଭାରତ ବନ୍ଦ ଡାକରା ପାଇଁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବୁଧବାର ସୁଦ୍ଧା ମିଲର ଧାନ ଉଠାଇ ନପାରିବା ବାବଦରେ ଚାଷୀ ମାନେ ନିଶ୍ଚିତ ହୋଇଯିବା ପରେ ଅସନ୍ତୋଷ ତେଜି ଥିଲା। ଭାରପ୍ରାପ୍ତ ଏମଡି ସିଲି ପୁଥାଳଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁବାରୁ ଭାରତ ବନ୍ଦ ପାଇଁ ଚାଷୀଙ୍କୁ ଟୋକନ ଦେବାକୁ ସେ ମନା କରିଥିବା ବେଳେ ଧାନ କିଣା ଦାୟିତ୍ୱରେ ଥିବା କର୍ମଚାରୀ କୁଞ୍ଜବନ ମହାପାତ୍ର ଚାଷୀମାନଙ୍କୁ ସୋମବାର ଟୋକନ ପ୍ରଦାନ କରିଦେଇଥିଲେ ବୋଲି କହିଥିଲେ। ଫଳ ସ୍ୱରୂପ ଟୋକନ ପାଇଥିବା ଚାଷୀ ନିଜର ଧାନ ବିକ୍ରି ପାଇଁ ମଣ୍ଡିକୁ ନେଇଥିଲେ। ସେହିପରି କ୍ରୟ କମିଟିର ଅସ୍ଥାୟୀ ସଭାପତି ବଡଫେଣି ସରପଞ୍ଚ ଶ୍ରୀନୀବାସ ନାଏକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇନଥିବା ଶ୍ରୀ ନାଏକ କହିଛନ୍ତି। ପୁଲିସ, ଭାରପ୍ରାପ୍ତ ଏମଡି, କ୍ରୟ କମିଟର ଅସ୍ଥାୟୀ ସଭାପତି ଶ୍ରୀ ନାଏକଙ୍କ ଉପସ୍ଥିତିରେ କୁଞ୍ଜବନ ମହାପାତ୍ର ଧାରଣାରତ ଚାଷୀଙ୍କ ସହିତ ଆଲୋଚନା କରି ମିଲରଙ୍କୁ ଯୋଗାଯୋଗ କରିଥିଲେ। ଆଲୋଚନା ପରେ ଗୁରୁବାର ଚାଷୀମାନଙ୍କ ଠାରୁ ଧାନ କିଣା ଯିବ ବୋଲି ସ୍ଥିର କରାଯିବା ପରେ ଚାଷୀମାନେ ଧାରଣା ପ୍ରତ୍ୟାହାର କରି ତାଲା ଫିଟାଇ ଦେବାରୁ ଦୀର୍ଘ ୪ ଘଣ୍ଟା କାଳ ଭିତରେ ଥିବା ଦୁଇ କର୍ମଚାରୀ ମୁକୁଳିଥିଲେ। ତେବେ ଏମଡିଙ୍କ ମନା କରିବା ସତ୍ତ୍ବେ ଶ୍ରୀ ମାହପାତ୍ର କେଉଁ ପରିସ୍ଥିତିରେ ସୋମବାର ଟୋକନ ପ୍ରଦାନ କରିଥିଲେ ତାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ।
Popular Categories



