www.samajalive.in
Monday, December 8, 2025
13.1 C
Bhubaneswar

ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇନି କାମ, ଅଶା ଓ ଆଶଙ୍କାରେ ଚାଷୀ

ବରଗଡ଼: ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ନେଇ ବରଗଡ଼ ଜିଲାର ଉତ୍ସାହିତ ଚାଷୀ ଏହାର ଉଦ୍‌ଘାଟନକୁ ଚାତକ ପରି ଅପେକ୍ଷା କରିଥିବା ବେଳେ ଘୋଷଣାର ଦୀର୍ଘ ଦିନ ବିତିଯିବା ପରେ ମଧ୍ୟ କାମ ଆରମ୍ଭ ହୋଇପାରି ନାହିଁ। ଫଳରେ ଚାଷୀ ମହଲରେ ନିରାଶା ଦାନା ବାନ୍ଧୁଥିବା ଲକ୍ଷ୍ୟ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଅଣସେଚିତ ଜମିକୁ ସବୁ ଦିନିଆ ଜଳ ଯୋଗାଣ ଲକ୍ଷ୍ୟରେ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପକୁ ରାଜ୍ୟ କ୍ୟୋବିନେଟରେ ଦୁଇ ଥର ମଂଜୁରି ମିଳି ସାରିଛି। ଏଥି ପାଇଁ ତିନିଟି ପର୍ଯ୍ୟାୟରେ ପାଖପାଖି ୧୫ଶହ କୋଟି ଟଙ୍କାର ବ୍ୟୟ ଅଟକଳ ବି କରାଯାଇଛି। ପ୍ରଥମେ ୨୦୧୭ ଡିସେମ୍ବର ୮ତାରିଖରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ବିଜେପୁରଠାରେ ମନ୍ତ୍ରୀ ସୁଶାନ୍ତ ସିଂ ଏହାର ଶିଳାନ୍ୟାସ କରିଥିଲେ। କ୍ୟାବିନେଟ ଅନୁମୋଦନ ମିଳିଥିଲା ଗତ ଅଗଷ୍ଟ ୧୨ ତାରିଖରେ। ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୧୩୮.୬୩ କୋଟି ଟଙ୍କା ମଂଜୁର କରିଥିଲେ। ବିଜେପୁର ପ୍ରଥମ ଉପନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଅଂଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା ବିଳମ୍ବତ ହୋଇଥିଲା। ତିନିଟି ନିର୍ବାଚନ ସରିଯିବା ପରେ ରାଜ୍ୟ ସରକାର ଏହାର ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରି ଟଙ୍କା ମଞ୍ଜୁର କରିଥିଲେ।

- Advertisement -

ଗଙ୍ଗାଧର ପ୍ରକଳ୍ପର ପୂର୍ବ ନମୁନାକୁ ପରିବର୍ତ୍ତନ କରାଯାଇ ଏବେ ନୂତନ ନକ୍ସା ପ୍ରସ୍ତୁତ କରାଯାଇଛି। ପୂର୍ବରୁ ହୀରାକୁଦ ଜଳଭଣ୍ଡାରରୁ ଜିରୋ ପଏଣ୍ଟରୁ ୩୪ .୧ କିମି ଯାଏ ମୁଖ୍ୟ କେନାଲରେ ପାଣି ଆସିବା ସହିତ ସେଠାରୁ ଏକ ଇନଟେକ୍‌ ୱେଲରୁ ଜଳ ଉତ୍ତୋଳନ କରାଯାଇ ଜଳସେଚନ କରିବାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ସ୍ଥାନୀୟ ଚାଷୀ ଏହି ପ୍ରସ୍ତାବକୁ ବିରୋଧ କରିବା ସହିତ କେନାଲ ତଳ ଅଂଚଳର ଚାଷୀ ପାଣି ସମସ୍ୟା ଭୋଗିବାର ଆଶଙ୍କା ପ୍ରକଟ କରିବାରୁ ସରକାର ଏହାର ନକ୍ସାରେ ପରିବର୍ତ୍ତନ କରି ହୀରାକୁଦ ଜଳଭଣ୍ଡାରରୁ ପାଇପଯୋଗେ ୩୪ .୧କିମି ପର୍ଯ୍ୟନ୍ତ ପାଣି ଆଣି ସେଠାରୁ ଇନଟେକ୍‌ ୱେଲରୁ ଜଳ ଉତ୍ତୋଳନ କରିବାର ବ୍ୟବସ୍ଥା କରିଛନ୍ତି।

ପ୍ରକଳ୍ପ ନିର୍ମାଣ ପାଇଁ ଏଲଆଣ୍ଡଟି ଓ ମେଘା ଇଞ୍ଜିନିୟରିଂ ଟେଣ୍ଡର ପକାଇଥିଲେ। ଏଥିରେ କମ୍‌ ବିଡିଂ କରିଥିବା ମେଘା ଇଞ୍ଜିନିୟରିଂକୁ ନିର୍ମାଣ ଦାୟିତ୍ଵ ଦିଆଯାଇଛି। ପ୍ରକଳ୍ପ କାମକୁ ୩୦ ମାସ ମଧ୍ୟରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସୋହେଲା ବ୍ଲକର ୨୩ଟି ଗ୍ରାମର ୮ହଜାର ହେକ୍ଟର, ବିଜେପୁର ବ୍ଲକର ୭୭ଟି ଗ୍ରାମର ୧୯ହଜାର ହେକ୍ଟର, ବରପାଲିର ୧୯ଟି ଗ୍ରାମର ୪୮୦୦ହେକ୍ଟର ଓ ସୋନପୁର ଜିଲା ଡୁଙ୍ଗୁରିପାଲି ବ୍ଲକର ୫ଟି ଗ୍ରାମର ୨୦୦ହେକ୍ଟର ଜମିକୁ ପାଣିି ପହଞ୍ଚିପାରିବ ବୋଲି ହିସାବ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୪୪ଟି ଗ୍ରାମର ୩୨ହଜାର ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ହୀରାକୁଦ କମାଣ୍ଡ ଏରିଆକୁ ଛାଡ଼ି ୨୫ ହଜାର ୬୦୦ ହେକ୍ଟର ଜମି ନିଶ୍ଚିତ ଭାବେ ଜଳସେଚିତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଗଙ୍ଗାଧର ମେହେର ଜଳ ପ୍ରକଳ୍ପ ପାଇଁ ଗତ ୯ ତାରିଖରେ ରାଜ୍ୟ କ୍ୟାବିନେଟରେ ୪୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ହୀରାକୁଦର ଜିରୋ ପଏଣ୍ଟରୁ ୩୪ କିମି ସୟାଁ ଯାଏ ପାଇପ ଯୋଗେ ପାଣି ଆଣିବା ପାଇଁ ଏହି ବ୍ୟୟବରାଦ କରାଯାଇଛି। ମାତ୍ର ଗ୍ରାଉଣ୍ଡ ଜିରୋର ବାସ୍ତବତା ହେଲା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। ବିଜେପୁର ଠାରେ ଥିବା ପ୍ରକଳ୍ପ କାର୍ଯ୍ୟାଳୟରେ କର୍ମଚାରୀ ନାହାନ୍ତି କି ଏହା ନିୟମିତ ଖୋଲୁ ନାହିଁ। ଫଳରେ ସରକାରଙ୍କ ଆଭିମୁଖ୍ୟ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଲାଣି।

ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରକଳ୍ପ ପାଇଁ ୨୦୧୮ ଅକ୍ଟୋବର ୨୫ ତାରିଖରେ ଟିଏସି ରିପୋର୍ଟ ଦିଆଯିବା ପରେ ୨୦୧୯ ଜାନୁଆରୀ ୨୯ତାରିଖରେ ପ୍ରଶାସନିକ ଅନୁମୋଦନ ମିଳିଥିଲା। ସେହିପରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା ୨୦୧୯ ମାର୍ଚ୍ଚ ପହିଲାରେ। ହୀରାକୁଦ କମାଣ୍ଡ ଏରିଆରେ ଥିବା କେନାଲ ଉପରେ ହାଇଡ୍ରୋ ପାୱାର ଜେନେରେସନ ପ୍ରୋଜେକ୍ଟ ନିର୍ମାଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଯୋଜନା ରହିଛି। ଏହାଦ୍ୱାରା ୯ ମେଗାୱାଟ ବିଜୁଳି ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ମହାନଦୀରେ ମୌସୁମୀ ବା ଅଣମୌସୁମୀ ସମୟରେ ଜଳପ୍ରବାହ କମ୍‌ ବେଶୀ ହେଲେ ମଧ୍ୟ ଉକ୍ତ ପ୍ରକଳ୍ପ ପାଇଁ ଜଳର ଅଭାବ ରହିବ ନାହିଁ ବୋଲି କୁହାଯାଉଛି। ବୈଷୟିକ ବିଶେଷଜ୍ଞମାନଙ୍କ ଦ୍ୱାରା ସର୍ଭେ କରାଯାଇ ବରଗଡ଼ ଜିଲାର ଅଣଜଳସେଚିତ ଅଞ୍ଚଳ ପାଇଁ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିବାରୁ ସବୁ ଦିଗକୁ ଦୃଷ୍ଟିରେ ରଖି ସବୁଦିନିଆ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କୁହାଯାଇଛି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories