www.samajalive.in
Saturday, December 6, 2025
19.1 C
Bhubaneswar

ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ଜନ ଆନ୍ଦୋଳନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣକୁ ବିରୋଧ କରି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନସ ପକ୍ଷରୁ ବୁଧବାର ଏଠାରେ ବ୍ୟାଙ୍କ ଶାଖା ସମ୍ମୁଖରେ ଧାରଣା ଦିଆଯାଇଥିଲା । ବିଭିନ୍ନ ବ୍ୟାଙ୍କ କର୍ମଚାରୀ ସଂଘର ନେତୃବୃନ୍ଦ କହିଛନ୍ତି ଯେ ବ୍ୟାଙ୍କଗୁଡିକର ଜାତୀୟକରଣ କରାଯିବାପରେ ଗତ ପାଞ୍ଚଦଶନ୍ଧି ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଦେଶର ଅର୍ଥନୀତିର ବିକାଶ ଓ ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ଜନସାଧାରଣଙ୍କର ସଞ୍ଚିତ ଅର୍ଥକୁ ସୁରକ୍ଷିତ ରଖିବା, କୃଷି, ଶିଳ୍ପ, ଭିତ୍ତିଭୂମିର ବିସ୍ତାର ଏବଂ ବିଶେଷକରି ସରକାରଙ୍କର ବିଭିନ୍ନ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ବଳିଷ୍ଠ ଯୋଗଦାନ ରହିଛି । ଦେଶର ଅର୍ଥନୈତିକ ଅବସ୍ଥା ଏବେ ଦୁର୍ବଳ ଓ ନିମ୍ନଗାମୀ ହେବା ସହିତ ଅଭିବୃଦ୍ଧି ହାର ମନ୍ଥର ଓ ବିଯୁକ୍ତାତ୍ମକ ହୋଇଛି । ଏଭଳି ପରିସ୍ଥିତିରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରୁ ବିପୁଳ ଋଣ ନେଇ ପରିଶୋଧ କରୁନଥିବା କର୍ପୋରେଟଗୁଡିକ ହାତରେ ବ୍ୟାଙ୍କଗୁଡିକୁ ଟେକି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାର ଅଧିକ କର୍ମନିଯୁକ୍ତି କଥା କହୁଥିବାବେଳେ ବ୍ୟାଙ୍କଗୁଡିକର ଘରୋଇକରଣ କରି ସ୍ଥାୟୀ ନିଯୁକ୍ତି ହ୍ରାସ କରିବା, ବ୍ୟାଙ୍କରେ ବ୍ୟାପକ ଠିକାକରଣ କରାଯାଇ ସ୍ୱଳ୍ପ ମଜୁରୀରେ ଅଳ୍ପ ଲୋକଙ୍କୁ ନିଯୁକ୍ତି ଦିଆଯିବା, ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ସେବାନିବୃତ ସୈନିକ, ଦିବ୍ୟାଙ୍ଗଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ କରିଦେବା, କର୍ମଚାରୀଙ୍କ ଚାକିରି ନିରାପତ୍ତା ବିପନ୍ନ ହେବାଭଳି ସଙ୍କଟ ସୃଷ୍ଟି ହୋଇଛି । ସରକାରଙ୍କୁ ନିରନ୍ତର ଲାଭାଂଶ ପ୍ରଦାନ କରୁଥିବା ସଂସ୍ଥାଗୁଡିକର ଘରୋଇକରଣ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେମାନେ କହିଛନ୍ତି ।
ବ୍ୟାଙ୍କ ୟୁନିୟନର ନେତୃବୃନ୍ଦ କହିଛନ୍ତି ଯେ ଘରୋଇ ମାଲିକାନା ଅଧୀନରେ ବ୍ୟାଙ୍କଗୁଡିକ ପରିଚାଳିତ ହେଉଥିବା ସମୟରେ ଦେଶର ଅର୍ଥନୀତି ପ୍ରତି ସେଗୁଡିକର କୌଣସି ଅବଦାନ ନଥିଲା । ୧୯୫୫ରେ ଭାରତୀୟ ଷ୍ଟେଟବ୍ୟାଙ୍କ, ୧୯୬୯ରେ ୧୪ଟି, ୧୯୮୦ରେ ୬ଟି ଏବଂ ୧୯୭୬ରେ ଗ୍ରାମ୍ୟବ୍ୟାଙ୍କ ପ୍ରତିଷ୍ଠା ପରେ ୯୩ ଭାଗ ବ୍ୟବସ୍ଥା ସରକାରୀ ମାଲିକାନାକୁ ଆସିଥିଲା ଏବଂ ଭାରତର ବ୍ୟାଙ୍କ ବ୍ୟବସ୍ଥା ଗଣବ୍ୟାଙ୍କରେ ପରିଣତ ହୋଇଥିଲା । ବହୁଚର୍ଚ୍ଚିତ ବିମୁଦ୍ରାୟନ ସମୟରେ ବ୍ୟାଙ୍କଗଡିକ ଦିନରାତି କାର୍ଯ୍ୟକରି ତାହାକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଇଥିଲେ । ବ୍ୟାଙ୍କଗୁଡିକ ଜାତୀୟକରଣ ହେବାପରେ ତାହା ସାଧାରଣ ଜନତା, ଅବହେଳିତ ସମାଜ ପାଖରେ ସହଜରେ ପହଞ୍ଚିପାରିଥିଲା । ଏଭଳି ପରିସ୍ଥିତିରେ ସରକାର ଆବଶ୍ୟକ ପୁଞ୍ଜି ଓ ମାନବସମ୍ବଳର ସରଞ୍ଚନା କରିବା ପରିବର୍ତ୍ତେ ବିନିବେଶ ମାଧ୍ୟମରେ ବ୍ୟାଙ୍କଗୁଡିକର ଘରୋଇକରଣ କରିବା ଦୁଃଖଦାୟକ ହୋଇଛି । ଏହା ଜନ ବିରୋଧୀ ଏବଂ ଆତ୍ମଘାତୀ ପଦକ୍ଷେପ ବୋଲି ସେମାନେ କହିଛନ୍ତି । ଏହାକୁ ବିରୋଧ କରି ବ୍ୟାଙ୍କ କମର୍ଚାରୀ ଓ ଅଧିକାରୀମାନଙ୍କର ସମସ୍ତ ସଂଗଠନକୁ ନେଇ ଗଠିତ ମିଳିତ ମଞ୍ଚ ୟୁଏଫବିୟୁ ବିଭିନ୍ନ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରିଛି । ଏହି ସଂଗଠନ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ରାଜଧାନୀରେ ଧାରଣା ଦିଆଯାଉଛି । ଚଳିତ ମାସ ୧୬ ଓ ୧୭ ତାରିଖରେ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଆହ୍ୱାନ ଦିଆଯାଇଛି । ଜନସାଧାରଣ ଏହାକୁ ସମର୍ଥନ କରିବାକୁ ୟୁଏଢ଼ବିୟୁ ପକ୍ଷରୁ ନିବେଦନ କରାଯାଇଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories