ଭୁବନେଶ୍ବର : ପୁଲିସ ସବ୍ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଅନିୟମିତତା ଘଟଣାରେ କ୍ରାଇମ୍ବ୍ରାଞ୍ଚ ତଦନ୍ତକୁ ଜୋରଦାର କରୁଛି। ନୂଆପଲ୍ଲୀ ଥାନା ସିଆର୍ପି ଛକ ଅଞ୍ଚଳରେ ଥିବା ବଣିକ କୋଚିଂ ସେଣ୍ଟରରେ କ୍ରାଇମ୍ବ୍ରାଞ୍ଚ ଚଢ଼ଉ କରି ତନାଘନା କରିଛି। କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ୩ଜଣିଆ ଦଳ ପ୍ରାୟ ୩ ଘଣ୍ଟା ଧରି କୋଚିଂ ସେଣ୍ଟରରେ ଯାଞ୍ଚ କରିଛି। କୋଚିଂ ସେଣ୍ଟରରେ ଚଢ଼ଉ କରିବା ସହ ପ୍ରତିଷ୍ଠାତା ଓ କିଛି କର୍ମଚାରୀଙ୍କୁ ପଚରାଉଚରା କରିଛି। ଗତ ୫ବର୍ଷର ପିଲାଙ୍କ ତଥ୍ୟ ଓ ଗୋଟିଏ ବର୍ଷର ଆକାଉଣ୍ଟ ତଥ୍ୟ ନେଇଛି ତଦନ୍ତକାରୀ ଦଳ। ଏଥିସହ କୋଚିଂ ସେଣ୍ଟରର ଏଚ୍ଆର ଆଡ଼ମିନ୍, ଆକାଉଣ୍ଟ ମ୍ୟାନେଜର, ମାର୍କେଟିଂ ମ୍ୟାନେଜରଙ୍କୁ ଆଜି କଟକ ସ୍ଥିତ କ୍ରାଇମ୍ବ୍ରାଞ୍ଚ ମୁଖ୍ୟାଳୟରେ ହାଜର ହୋଇ ତଥ୍ୟ ରଖିବାକୁ ନିର୍ଦେଶ ଦିଆଯାଇଛି।
କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଶ୍ରୀ ବେହେରା କହିଛନ୍ତି, ଗିରଫ ହୋଇଥିବା ପରୀକ୍ଷାର୍ଥୀଙ୍କୁ ପଚରାଉଚରା କରାଯାଇଥିଲା। ବଣିକ କୋଚିଂ ସେଣ୍ଟର ଜରିଆରେ କିଛି ପିଲା ବିଜୟନଗରମ୍କୁ ଏସ୍ଆଇ ପରୀକ୍ଷା ଦେବା ଲାଗି ଯାଉଥିଲେ ବୋଲି ସ୍ବୀକାର କରିଥିଲେ। ଏହି ତଥ୍ୟ ଆଧାରରେ ବଣିକ ଉପରେ ଚଢ଼ଉ କରାଯାଇଛି। ଭୁବନେଶ୍ବର ସମେତ ସାରା ଓଡ଼ିଶାରେ ଥିବା ବଣିକର ବିଭିନ୍ନ କୋଚିଂ ସେଣ୍ଟରରେ ଗତ ୫ବର୍ଷରେ କେତେ ପିଲା ନାମ ଲେଖାଇଛନ୍ତି ଓ ପାଠ ପଢ଼ିଛନ୍ତି, ତା’ର ତଥ୍ୟ ନିଆଯାଇଛି। କେଉଁ ବର୍ଷ କେତେ ପିଲା କୋଚିଂ ନେଉଥିଲେ, ତା’ର ତଥ୍ୟ ମଧ୍ୟ ହାସଲ କରିଛୁ। ପରୀକ୍ଷାର୍ଥୀଙ୍କୁ ଜେରା ସମୟରେ ଦେଇଥିବା ତଥ୍ୟ ଓ କୋଚିଂ ସେଣ୍ଟରରୁ ମିଳିଥିବା ତଥ୍ୟକୁ ମେଳ କରାଯାଇ ତର୍ଜମା କରାଯିବ।
ଅନ୍ୟପକ୍ଷରେ ଏ ନେଇ ବଣିକର ପ୍ରତିଷ୍ଠାତା ସୁବ୍ରତ ଛାଟୋଇ କହିଛନ୍ତି, ୧୧୪ ପିଲାଙ୍କୁ ଆନ୍ଧ୍ରପ୍ରଦେଶ ନିଆଯାଉଥିବାବେଳେ ସେମାନଙ୍କୁ ଆନ୍ଧ୍ର ପୁଲିସ ଗିରଫ କରି ଓଡ଼ିଶା ପୁଲିସକୁ ହସ୍ତାନ୍ତର କରିଥିଲା। ସେମାନଙ୍କୁ ବ୍ରହ୍ମପୁରରେ ରଖାଯାଇ ପଚରାଉଚରା କରାଯାଇଥିଲା। ଓଡ଼ିଶା ପୁଲିସ ପଚରାଉଚରା ପରେ ଏକ ତାଲିକା ଜାରି କଲା ଓ ସେଥିରେ କାହାର ଦସ୍ତଖତ ନଥିବାରୁ ତାହା ଅଫିସିଆଲ୍ ବୋଲି କୁହାଯିବନି। ପରୀକ୍ଷାର୍ଥୀଙ୍କୁ ପାଠ ପଢ଼ୁଥିବା କୋଚିଂ ସେଣ୍ଟର ନାଁ ଓ କିଏ ଯୋଗାଯୋଗ କରାଯାଇଥିଲା ବୋଲି ପଚରାଯାଇଛି। ସେଥିରେ ଦଲାଲ ଓ ସେମାନଙ୍କ ଫୋନ୍ ନମ୍ବର ଲେଖାଯାଇଛି। ତନ୍ମଧ୍ୟରୁ ୧୨ଜଣ ପିଲାଙ୍କ ବଣିକ ବୋଲି ଲେଖାଯାଇଛି। ବଣିକ ବୃହତ ଅନୁଷ୍ଠାନ ଓ ଗୁଣାତ୍ମକ ଶିକ୍ଷାରେ ବିଶ୍ବାସ କରେ। ବିଗତ ୧୨ବର୍ଷ ହେଲାଣି ଆମେ ନିରନ୍ତର କୋଚିଂ ଯୋଗାଇ ଆସୁଛୁ। ଯେଉଁଥିରେ ହଜାର ହଜାର ଛାତ୍ରଛାତ୍ରୀ ପାଠ ପଢ଼ି ସରକାରୀ ଚାକିରି ପାଇଛନ୍ତି। ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ବଣିକ ପକ୍ଷରୁ ଯିଏ ଯୋଗାଯୋଗ କରିଥିବ ତା’ ନାମ ଓ ଫୋନ୍ ନମ୍ବର ରହିଥାନ୍ତା, କିନ୍ତୁ ତାଲିକାରେ ସେମିତି କିଛି ଲେଖାଯାଇନି। ପୁଲିସ ବିଭାଗ କିମ୍ବା କ୍ରାଇମ୍ବ୍ରାଞ୍ଚ ଦେଇଥିବା ତାଲିକା ଭ୍ରମିତ କରୁଛି। ଗିରଫ ହୋଇଥିବା ଅନ୍ୟମାନେ ବି ତ କେଉଁ କୋଚିଂ ସେଣ୍ଟର ନାଁ କହିଛନ୍ତି। କାହିଁକି ସେ ନାଁ ଉଠାଉନାହାନ୍ତି କି ଆଲୋଚନା କରାଯାଉନି ବୋଲି ଶ୍ରୀ ଛାଟୋଇ ପ୍ରଶ୍ନ କରିଛନ୍ତି।
ସେହିପରି ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି) ପକ୍ଷରୁ ସମସ୍ତ ଆଶାୟୀ ପ୍ରାର୍ଥୀଙ୍କୁ ଅବଗତ କରାଯାଉଛି ଯେ, କ୍ରାଇମବ୍ରାଞ୍ଚ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଓ ଏହି ମାମଲାରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ପ୍ରାର୍ଥୀଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଅନୁରୋଧ କରାଯାଉଛି। ଖୁବ୍ଶୀଘ୍ର ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ଓପିଆର୍ବି ଅଧ୍ୟକ୍ଷ ସୁଶାନ୍ତ କୁମାର ନାଥ କହିଛନ୍ତି। ଓପିଆର୍ବି ପକ୍ଷରୁ ଗୁରୁବାର ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏହାକୁ ଅନିବାର୍ଯ୍ୟ କାରଣବଶତଃ ସ୍ଥଗିତ ରଖାଯାଇଥିବା ସେ ସୂଚନା ଦିଆଯାଇଛି।
ଅନୁରୂପ ଭାବେ ବିଭିନ୍ନ ଜିଲାରେ ଥିବା କୋଚିଂ ସେଣ୍ଟର ଓ ନକଲି ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିଶାଣ କରିଛି ତଦନ୍ତକାରୀ ଦଳ। ମୋଷ୍ଟୱାଣ୍ଟେଡ୍ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିସ ପ୍ରା. ଲି.ର ମୁଖ୍ୟ ଶଙ୍କର ପୃଷ୍ଟି ଖୋଲିଥିବା କିଛି ନକଲି ପରୀକ୍ଷା କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଛି। ଶଙ୍କର ଓ ତାଙ୍କ ସହଯୋଗୀ ମୁନା ମହାନ୍ତିଙ୍କ ସମେତ ୪ରୁ ଅଧିକ ମୁଖିଆ ଏବଂ ଦଲାଲଙ୍କୁ ଖୋଜୁଛି ତଦନ୍ତକାରୀ ଦଳ। ସେମାନେ ଫେରାର ଥିବାରୁ ତଦନ୍ତରେ ବାଧା ଉପୁଜୁଛି।
ବଣିକ୍ ର ୩ ଅଧିକାରୀଙ୍କୁ ନୋଟିସ୍
Popular Categories



