ଭୁବନେଶ୍ବର: ବାମପନ୍ଥୀ ସରକାର ଆଣିଥିଲେ, ଏବର ସରକାର କୋଳାଇଛନ୍ତି। ବାଂଲାଦେଶୀଙ୍କ କାରଖାନା ପାଲଟିଛି ପଶ୍ଚିମବଙ୍ଗ। ସାରା ଓଡ଼ିଶାରେ ସେମାନେ ଏବେ ବିଛେଇ ହୋଇ ରହିଛନ୍ତି। ଅଧିକାଂଶଙ୍କ ହାତରେ ରହିଛି ନକଲି ଆଧାର କାର୍ଡ। ଗାଁଠୁ ସହର ସବୁଠି ମାଳ ମାଳ ବାଂଲାଦେଶୀ। କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ବାଂଲାଦେଶୀ ଥିବା ଜଣାପଡ଼ିଛି। ସେମାନଙ୍କୁ ଚିହ୍ନଟ ପାଇଁ ଆଧାର କାର୍ଡ ବାଧକ ସାଜୁଛି। ରାଜନୈତିକ ଦଳର ପ୍ରୋତ୍ସାହନରେ ସେମାନେ ସାମ୍ରାଜ୍ୟ ବିସ୍ତାର କରିଛନ୍ତି। ସେମାନଙ୍କୁ ତଡ଼ିବା ଏବର ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି।
ସୁନାର ବାଂଲା ଏବେ କାଙ୍ଗାଳ ହେବା ପଛରେ ବାଂଲାଦେଶୀ ରହିଛନ୍ତି। କାମ ଅନ୍ବେଷଣରେ ପୂର୍ବରୁ ଓଡ଼ିଆମାନେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଯାଉଥିଲେ। ଏବେ ସେଠାରୁ ଓଡ଼ିଅା ଲୋକ ମୁହଁ ଫେରାଉଛନ୍ତି। ରାଜ୍ୟର କୋଣ ଅନୁକୋଣରେ ବଙ୍ଗଳା ପରିଚୟରେ ବାଂଲାଦେଶୀ ରହୁଛନ୍ତି। ଶ୍ରମିକଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟରେ ସେମାନଙ୍କୁ ଦେଖିବାକୁ ମିଳୁଛି। ଘର ନିର୍ମାଣ କ୍ଷେତ୍ରରେ ବାଂଲାଦେଶୀ ଶ୍ରମିକଙ୍କୁ ଦେଖିବାକୁ ମିଳୁଛି। ସେମାନେ ମୁର୍ସିଦାବାଦର ବୋଲି ପରିଚୟ ଦେଉଛନ୍ତି। ଜଗତସିଂହପୁର ଘଟଣା ପରେ ରାଜ୍ୟରେ ବାଂଲାଦେଶୀ ଡେରା ପକାଇଥିବା ପ୍ରମାଣିତ ହୋଇଛି। ସେମାନଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଆଧାର କାର୍ଡ ଯାଞ୍ଚ କରିବାର ଅଧିକାର ପୁଲିସ ପାଖରେ ନାହିଁ। ସନ୍ଦିଗ୍ଧଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ଅଟକ ରଖିବା ଆଇନ ବିରୋଧୀ କାର୍ଯ୍ୟ ବୋଲି ଧରାଯାଉଛି। ପୁଲିସ ବାଂଲାଦେଶୀଙ୍କୁ ଚିହ୍ନଟ କରିବାରେ ଫଳପ୍ରଦ ହେବା ସମ୍ଭବ ହେବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି। ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ସ୍ବତନ୍ତ୍ର ଦଳ ଗଠନ କରାଯିବାର ଆବଶ୍ୟକତା ରହିଛି। ଏହି ଦଳରେ ପୁଲିସ ସହ ଜିଲା ପ୍ରଶାସନ ଯୋଡ଼ି ହେବା ମଧ୍ୟ ଜରୁରୀ।
ନଚେତ୍ ବାଂଲାଦେଶୀଙ୍କୁ ଚିହ୍ନଟ ଅଭିଯାନ କାର୍ଯ୍ୟକ୍ଷମ ନୁହେଁ, ପ୍ରହସନରେ ପରିଣତ ହେବ ବୋଲି କୁହାଯାଉଛି।
ପଶ୍ଚିମବଙ୍ଗରେ ନିଜକୁ ସୁଦୃଢ଼ କରିବା ଲାଗି ପୂର୍ବ ସରକାର ବାଂଲାଦେଶୀଙ୍କୁ ବସତି ସ୍ଥାପନ ସୁଯୋଗ ଦେଇଥିଲେ। ସେମାନଙ୍କୁ ଭୋଟ ପରିଚୟପତ୍ର ବଢ଼ାଇ ଦେଇଥିଲେ। ଏଥିରେ ସଫଳ ମଧ୍ୟ ହୋଇଥିଲେ। ଦୀର୍ଘ ବର୍ଷ ଧରି ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ଦଳ ନିଜ ଶାସନ ଚଳାଇ ଥିଲେ। ଏବର ସରକାର ବାଂଲାଦେଶୀଙ୍କୁ ଆପଣାଇ ନେଇଛନ୍ତି। ସେମାନଙ୍କୁ ଆଧାର କାର୍ଡ ଯୋଗାଇ ଦେଇଛନ୍ତି। ସେହି କାର୍ଡ ବଳରେ େସମାନେ କେବଳ ଓଡ଼ିଶା ନୁହେଁ, ସାରା ଦେଶ ବୁଲୁଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ପନ୍ଥାକୁ ରାଜ୍ୟର ପୂର୍ବ ସରକାର ମଧ୍ୟ ଆପଣାଇ ନେଇଥିଲେ। ଭୋଟ ବ୍ୟାଙ୍କ ବଢ଼ାଇବା ଲାଗି ଅନୁପ୍ରବେଶକାରୀଙ୍କ ଉପରେ କୌଣସି କଟକଣା ରଖିନଥିଲେ। କିଛି ବର୍ଷ ମଧ୍ୟରେ ସେମାନେ ନିଜ ସାମ୍ରାଜ୍ୟ ବଢ଼ାଇବାରେ ସଫଳ ହୋଇଥିଲେ। ଏବର ସରକାରଙ୍କ ପାଇଁ ଅନୁପ୍ରବେଶକାରୀ ଚିନ୍ତାର କାରଣ ସାଜିଛନ୍ତି। ରାଜ୍ୟ ପାଇଁ ବାଂଲାଦେଶୀ ବିପଦ ସାଜିଛନ୍ତି।
ଭାରତ-ବାଂଲାଦେଶ ସୀମାରେ ଥିବା ପଠାରିଆ ଜଙ୍ଗଲ ଦେଇ ସେମାନେ ଭାରତକୁ ପ୍ରବେଶ କରୁଛନ୍ତି। ଉକ୍ତ ଜଙ୍ଗଲ ଭାରତର ହୋଇଥିବା ବେଳେ ବାଂଲାଦେଶୀଙ୍କ ଦଖଲରେ ରହିଛି। ସେମାନେ ଉକ୍ତ ଜଙ୍ଗଲରେ ପାନ ଚାଷ କରି ଚଳୁଛନ୍ତି। ଭାରତ ପାସ୍ପୋର୍ଟରେ ସେମାନେ ପାକିସ୍ତାନ ବି ଯାତ୍ରା କରୁଛନ୍ତି। ସେଠାରେ ଆତଙ୍କବାଦୀ ଗୋଷ୍ଠୀ ସହ ହାତ ମିଶାଉଛନ୍ତି। ପରେ ଦେଶ ପାଇଁ ସେମାନେ ବିପଦ ଆଣୁଛନ୍ତି। ପାସ୍ପୋର୍ଟ ହାେତଇବା ପାଇଁ ସେମାନେ ଜାଲ୍ କାଗଜପତ୍ର ବ୍ୟବହାର କରୁଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ୧ ଲକ୍ଷ ୫୭ ହଜାର ୪୩୨ ବାଂଲାଦେଶୀ ରହିଛନ୍ତି। ସର୍ବାଧିକ ମାଲକାନଗିରି ଜିଲାରେ ୧ ଲକ୍ଷ ୪ ହଜାର ୨୩୩, ଅନୁଗୋଳ ଜିଲାରେ ୧୫, ବାଲେଶ୍ୱରରେ ୭୫, ଯାଜପୁରରେ ୩୭୯, କଳାହାଣ୍ଡିରେ ୯୦, କେନ୍ଦ୍ରାପଡ଼ାରେ ୪୪୧, ଖୋର୍ଦ୍ଧାରେ ୪୬୫୬, କୋରାପୁଟରେ ୧୯୪, ନବରଙ୍ଗପୁରରେ ୪୬ହଜାର ୮୪୮ ଓ ରାୟଗଡ଼ାରେ ୩୦୪ଜଣ ରହିଛନ୍ତି। ସେଥିମଧ୍ୟରୁ ୩୭୪୦ ଜଣ ଅନୁପ୍ରବେଶକାରୀ ବେଆଇନ ଭାବେ ରହୁଛନ୍ତି। ବରଗଡ଼ ଜିଲାରେ ୨, ଭଦ୍ରକରେ ୧୯୯, କେନ୍ଦ୍ରାପଡ଼ାରେ ୧୬୪୯, ଖୋର୍ଦ୍ଧା ଓ ଭୁବନେଶ୍ୱରରେ ୧୭, ଜଗତସିଂହପୁରରେ ୧୧୧୨, ମାଲକାନଗିରିରେ ୬୫୫ ଓ ନବରଙ୍ଗପୁର ଜିଲାେର ୧୦୬ ଜଣ ବାଂଲାଦେଶୀ ବେଆଇନ ଭାବେ ବାସ କରୁଥିବା ଜଣାପଡ଼ିଛି। ବେସରକାରୀ ହିସାବରେ ୨ ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ ରହୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ଆତଙ୍କୀ ଗୋଷ୍ଠୀରେ ହାତ ମିଳାଉଛନ୍ତି ବାଂଲାଦେଶୀ
ବାଂଲାଦେଶ ପାସ୍ପୋର୍ଟକୁ କେତେକ ଦେଶ ଗ୍ରହଣ କରୁନାହାନ୍ତି। ନିଜ ଦେଶ ପାସ୍ପୋର୍ଟରେ ପାକିସ୍ତାନ ପ୍ରବେଶ ସେମାନଙ୍କ ପାଇଁ କଷ୍ଟକର ହେଉଛି। ସେହିପରି ଅଧିକାଂଶ ଇସ୍ଲାମିକ ଦେଶ ବାଂଲାଦେଶ ନାଗରିକଙ୍କୁ ଗ୍ରହଣ କରୁନାହାନ୍ତି। ଭାରତର ନାଗରିକଙ୍କୁ ଅନ୍ୟ ଦେଶ ପାଛୋଟି ନେଉଛନ୍ତି। ଏହାର ଫାଇଦା ଉଠାଉଛନ୍ତି ଅନୁପ୍ରବେଶକାରୀ। ଅନୁପ୍ରବେଶ କରିବା ପରେ ସେମାନେ ପ୍ରଥମେ କଲକାତାରେ ରହୁଛନ୍ତି। ସେଠାରେ କିଛି ଦିନ ରହିବା ପରେ ଓଡ଼ିଶାକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଉଛନ୍ତି। ଏଠାକୁ ଆସି ପ୍ରଥମେ ଫେରି ବେପାର କରି ରହୁଛନ୍ତି। ପାସ୍ପୋର୍ଟ ପ୍ରସ୍ତୁତ କରି ଅନ୍ୟ ଦେଶକୁ ଯାତ୍ରା କରୁଛନ୍ତି। ଜାଲ୍ ପରିଚୟପତ୍ର ଜରିଆରେ ସେମାନେ ଭାରତରେ ଆଡ୍ଡା ଜମାଉଛନ୍ତି। ମାତ୍ର ୫୦୦୦ ଟଙ୍କାରେ ମାଫିଆମାନେ ଆତଙ୍କବାଦୀଙ୍କୁ ପଠାନକୋଟ ବାୟୁସେନା ଘାଟିକୁ ଛାଡ଼ିଥିବା ତଦନ୍ତରୁ ଜଣାପଡ଼ିଥିଲା। ପଠାନକୋଟ ଘଟଣା ସୀମାରେ ସୁରକ୍ଷା ଢିଲାକୁ ପ୍ରମାଣିତ କରିଥିଲା। ଗିରଫ ଆତଙ୍କବାଦୀଙ୍କ ବୟାନ କେବଳ ପୁଲିସ ପାଇଁ ନୁହେଁ, ସାରା ଭାରତ ପାଇଁ ଚିନ୍ତାର ବିଷୟ ହୋଇଥିଲା। ଅନୁପ୍ରେବଶ କରିବା ପରେ ଅଧିକାଂଶ ବାଂଲାଦେଶୀ ଆତଙ୍କବାଦୀ ସାଜୁଥିବା ନଜିର ରହିଛି।
ବିମାନବନ୍ଦରରେ ଜଗି ରହୁଛନ୍ତି ଆତଙ୍କୀ ସଦସ୍ୟ
କେତେକ ଇସ୍ଲାମିକ ଦେଶରେ ଆତଙ୍କବାଦୀ ଗୋଷ୍ଠୀ ସଦସ୍ୟ ସକ୍ରିୟ ରହିଛନ୍ତି। ସେମାନେ ବିମାନବନ୍ଦରକୁ ଜଗି ରହିଛନ୍ତି। ଭାରତରୁ ଯାଇଥିବା ନାଗରିକଙ୍କୁ ସେମାନେ ପଚରାଉଚରା କରୁଛନ୍ତି। ଅନୁପ୍ରବେଶକାରୀ ଜାଣିବା ମାତ୍ରେ ସେମାନେ ତାଙ୍କୁ ଆଦରି ନେଉଛନ୍ତି। ବିଭିନ୍ନ ପ୍ରଲୋଭନ ଦେଖାଇ ବାଂଲାଦେଶୀଙ୍କୁ ନିଜ ପାଖରେ ରଖୁଛନ୍ତି। ସେମାନଙ୍କ ଚିନ୍ତାଧାରା ପରିବର୍ତ୍ତନ ପାଇଁ ଲାଗି ପଡ଼ୁଛନ୍ତି। କଳେବଳେ କୌଶଳେ ସେମାନଙ୍କୁ ନିଜ ଗୋଷ୍ଠୀରେ ସାମିଲ କରୁଛନ୍ତି। ତାଲିମ ଦେବା ପରେ ପାକିସ୍ତାନକୁ ଛାଡ଼ୁଛନ୍ତି। କିଛି ଦିନ ତଳେ ବାସିର୍ ନାମକ ଯୁବକ ପାସ୍ପୋର୍ଟ କରିବାକୁ ଆସି ପୁଲିସ ହାତରେ ଧରାପଡ଼ିଥିଲା। ତାକୁ ମାରାଥନ ଜେରା ପରେ ଏପରି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଥିଲା। ଏହାର କିଛି ଦିନ ପରେ ଆଉ କିଛି ଯୁବକଙ୍କୁ ପାସ୍ପୋର୍ଟ କାର୍ଯ୍ୟାଳୟ ନିକଟରୁ କମିସନରେଟ ପୁଲିସ ଧରିଥିଲା। ଏହିପରି ଭାବେ ହଜାର ହଜାର ବାଂଲାଦେଶୀ ଭାରତକୁ ଅନୁପ୍ରବେଶ କରୁଥିବା ଜେରାରେ ଅଭିଯୁକ୍ତ ବାସିର୍ ପୁଲିସ ସମ୍ମୁଖରେ ମାନିଥିଲା।
ପୁଲିସ ପାଖରେ ନାହିଁ ଆଧାର କାର୍ଡ ଯାଞ୍ଚ କ୍ଷମତା
ଆଧାର କାର୍ଡ ଯାଞ୍ଚ କରିବା ଲାଗି ପୁଲିସକୁ କ୍ଷମତା ମିଳିନାହିଁ। ପୁଲିସ ଯାହାକୁ ଧରୁଛି, ତା’ ପାଖରେ ଭାରତୀୟ ଆଧାର କାର୍ଡ ରହିଛି। ଯାଞ୍ଚ କରାଗଲେ ବାପା ନାଁ ଅଲଗା ଓ ପୁଅ ନାଁ ଭିନ୍ନ। ହେଲେ ଏହାକୁ ଯାଞ୍ଚ କରିବ କିଏ ? ଭାରତୀୟ କି ନୁହେଁ ଆଧାର କାର୍ଡରୁ ପୁଲିସ କେବଳ ଦେଖିବା ପରେ ମୁହଁ ଫେରାଉଛି। ଆଧାର କାର୍ଡରେ ପୈତୃକ ସମ୍ପତ୍ତିର ଠିକଣା ମଧ୍ୟ ରହିବା ପାଇଁ କୌଣସି ନିୟମ ହୋଇନହିଁ। ସନ୍ଦିଗ୍ଧ ହାତରେ ଥିବା ଆଧାର କାର୍ଡ ନକଲି ନା ଅସଲି ଜାଣିବା ସହଜ ହେଉନାହିଁ। ପୂର୍ବ ବଂଶଧରଙ୍କ ସଂକ୍ରାନ୍ତରେ ତଦନ୍ତ କରାଗଲେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିବ। ହେଲେ ଏତେସବୁ ଯାଞ୍ଚ ଲାଗି ଓଡ଼ିଶା ପୁଲିସ ପାଖରେ ମାନବସମ୍ବଳର ମଧ୍ୟ ଅଭାବ ରହିଛି। କେତେକ ସ୍ଥଳରେ ଅଧିକାରୀ ଓ କର୍ମଚାରୀଙ୍କ ଇଚ୍ଛାଶକ୍ତିର ଅଭାବ ମଧ୍ୟ ଦେଖାଯାଉଛି। ସେମାନେ କେବଳ ଓଡ଼ିଶା ପୁଲିସ ନୁହେଁ, ନକଲି ପରିଚୟପତ୍ରରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଭୁଆଁ ବୁଲାଉଛନ୍ତି। ବିଭିନ୍ନ ଅପରାଧରେ ଅନୁପ୍ରବେଶକାରୀଙ୍କ ସମ୍ପୃକ୍ତି ତଦନ୍ତକାରୀ ଦଳଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି।



