www.samajalive.in
Wednesday, December 10, 2025
14.1 C
Bhubaneswar

ମହାପ୍ରଭୁଙ୍କ ବନକଲାଗି ବନ୍ଦ

ପୁରୀ : ଅଟକିଛି ମହାପ୍ରଭୁଙ୍କ ବନକଲାଗି ସେବା। ଏହି ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି। ଗୁରୁବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ଦତ୍ତ ମହାପାତ୍ର ସେବକ ଜିଦ୍‌ ଧରିଥିବାବେଳେ ମନ୍ଦିର ପ୍ରଶାସନ ବୁଧବାର ପାଇଁ ବାରମ୍ବାର ନିର୍ଦେଶନାମା ଜାରି କରୁଛି। କେହି କାହା ଜିଦ୍‌ରୁ ପଛକୁ ହଟୁ ନଥିବାରୁ ୨୭ଦିନ ଧରି ଦାରୁବ୍ରହ୍ମଙ୍କ ବନକଲାଗି ହୋଇପାରୁନାହିଁ। ତେଣୁ ଏ ସମ୍ପର୍କରେ ଆଲୋଚନା ପାଇଁ ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ ଡକାଯାଇଛି। ବୁଧବାର ବନକଲାଗି କରିବାକୁ ଦତ୍ତ ମହାପାତ୍ର ସେବକ ନିଯୋଗ ଯଦି ଲିଖିତ ପ୍ରତିଶ୍ରୁତି ଦିଅନ୍ତି ବିଚାର କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ତେବେ ଗୁରୁବାର ଶ୍ରୀଜୀଉଙ୍କ ବନକଲାଗି କରିବାକୁ ସେମାନେ ପ୍ରସ୍ତୁତ ଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଅନୁମତି ଦେଇନଥିବା ଦତ୍ତ ମହାପାତ୍ର ନିଯୋଗ ସମ୍ପାଦକ ମଦନ ମୋହନ ଦତ୍ତ ମହାପାତ୍ର କହିଛନ୍ତି। ମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ରଙ୍କ ମଧ୍ୟରେ ଏଭଳି ଜିଦ୍‌ ଯୋଗୁ ମାମଲା ଅଦାଲତକୁ ଯିବା ସମ୍ଭାବନା ରହିଛି।
ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଥିବା ବହୁ ଭକ୍ତ ଗୁରୁବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମନ୍ଦିର ପ୍ରଶାସନ ଜାରି କରିଥିବା କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରିଛି ଦତ୍ତ ମହାପାତ୍ର ନିଯୋଗ। ତେବେ ତାହା ସନ୍ତୋଷଜନକ ହୋଇନଥିବା ଦର୍ଶାଇ ମନ୍ଦିର ପ୍ରଶାସନ ଅଗ୍ରାହ୍ୟ କରିଦେଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଶୁକ୍ରବାର ନୀତି ସବ୍‌କମିଟି ବୈଠକ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ସେବକଙ୍କ ମଧ୍ୟରେ ଏଭଳି ଜିଦିବାଦ ଯୋଗୁ ଶ୍ରୀଜୀଉଙ୍କ ନୀତି ଅଟକିବା ଏହା ପ୍ରଥମ ଘଟଣା। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ଶ୍ରୀମନ୍ଦିର ସ୍ୱତ୍ୱଲିପି ଏବଂ ପରମ୍ପରା ଅନୁଯାୟୀ ପ୍ରତି ଗୁରୁବାର ବନକଲାଗି ଦାବିରେ ଦତ୍ତ ମହାପାତ୍ର ଅଡ଼ି ବସିଛନ୍ତି। ତେବେ ଗୁରୁବାର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କେତେକ ବିଶେଷ ନୀତି ଥିବାରୁ ବୁଧବାର
ବନକଲାଗି ପାଇଁ ମନ୍ଦିର ପ୍ରଶାସନ ନିର୍ଦେଶନାମା ଜାରି କରିଛି। ଗୁରୁବାର ପରିବର୍ତ୍ତେ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ନୀତି ସମ୍ପନ୍ନ କରାଯିବାକୁ ସେଥିରେ କୁହାଯାଇଛି। ଏଥିନେଇ ବିବାଦ ଦେଖାଦେବା ପରେ ଗତ ୧୮ ତାରିଖ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ କେତେକ ବରିଷ୍ଠ ସେବକ ଏବଂ ଦତ୍ତ ମହାପାତ୍ର ନିଯୋଗ କର୍ମକର୍ତ୍ତା ଉପସ୍ଥିତ ଥିଲେ। ୧୯ ତାରିଖ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ସେଥିରେ ସ୍ଥିର କରାଯାଇଥିଲା। ଏହାସତ୍ତ୍ୱେ ଦତ୍ତ ମହାପାତ୍ର ସେବକ ସେଦିନ ବନକଲାଗି ପାଇଁ ଯାଇ ନଥିଲେ। ତେଣୁ ୨୬ ତାରିଖ ବୁଧବାର ଶ୍ରୀଜୀଉଙ୍କ ବନକଲାଗି ପାଇଁ ମନ୍ଦିର ପ୍ରଶାସନ ପୁଣିଥରେ ନିର୍ଦେଶ ଦେଇଥିଲା। ଗୁରୁବାର ବନକଲାଗି କରିବା ଜିଦ୍‌ରେ ଦତ୍ତ ମହାପାତ୍ର ନିଯୋଗ ଅଟଳ ରହିଛି। ଶ୍ରୀଜୀଉଙ୍କ ବନକଲାଗି ନୀତିକୁ ନେଇ ସମାଧାନର ବାଟ ବାହାରୁ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories