କଟକ: ମଙ୍ଗଳବାର ଥିଲା ବାଲିଯାତ୍ରାର ପଞ୍ଚମ ସନ୍ଧ୍ୟା । ଲକ୍ଷାଧିକ ଦର୍ଶକଙ୍କ ସମାଗମ ରେ ଉଛୁଳିଥିଲା ଉଭୟ ଉପର ଓ ତଳ ବାଲିଯାତ୍ରା ପଡିଆ। ତେବେ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ପ୍ରଖ୍ୟାତ ବଲିଉଡ଼ ଗାୟକ ସୋନୁ ନିଗମ। ପାଖାପାଖି ଅଢେ଼ଇ ଘଣ୍ଟା ଧରି ସୋନୁ ନିଗମଙ୍କ ନନଷ୍ଟପ ଗୀତ ରେ ଝୁମିଥିଲେ ଦର୍ଶକ। ହିନ୍ଦୀ ସହିତ ଓଡ଼ିଆ ଭଜନ ଓ ଆଧୁନିକ ଗୀତ ଗାଇଥିଲେ ସୋନୁ। ଯେତେବେଳେ ଓଡ଼ିଆ ଭଜନ ତୋ ଆଗରେ କିଛି ଧୂପ ଗୀତ ଆରମ୍ଭ କରିଥିଲେ , ସେହି ସମୟରେ ଜୋତା ଓଲ୍ହାଇ ଜଗନ୍ନାଥ ଙ୍କୁ ସମ୍ମାନ ଜଣାଇ ଗୀତ ଗାଇଥିଲେ । ଏହାପରେ ପୁଚୁକି ଗାଲି ଫେସନ ବାଲି , ସୁନେଲି ସୁନେଲି ଖରା ଗୀତ ଗାଇ ଦର୍ଶକ ଙ୍କୁ ଝୁମାଇଥିଲେ । ଅନ୍ୟପଟେ ସୋନୁ ଙ୍କ ଓଡ଼ିଆ ଗୀତ ଶୁଣି ବେଶ ଖୁସି ପ୍ରକଟ କରିଛନ୍ତି ଫ୍ୟାନ୍ସ। ବାଲିଯାତ୍ରାକୁ ସୋନୁ ଙ୍କ ଆସିବା ଓ ପସନ୍ଦଦାର ଗୀତ କୁ ପାଖରୁ ଶୁଣିବା ଏକ ସୌଭାଗ୍ୟର କଥା ବୋଲି କହିଛନ୍ତି ଦର୍ଶକ। ଏହାସହ ଡ୍ରୋନ ସୋ ର ମଜା ଉଠାଇଛନ୍ତି ଦର୍ଶକ ।ଅନ୍ୟପଟେ ବାଲିଯାତ୍ରା ଗୋଟିଏ ଦିନ ବୃଦ୍ଧି ପାଇଛି । ୨୨ ତାରିଖ ପରିବର୍ତ୍ତେ ୨୩ ତାରିଖ ରେ ଉଦଯାପିତ ହେବ କଟକ ଐତିହାସିକ ବାଲିଯାତ୍ରା । ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କ ଦେହାନ୍ତ ପାଇଁ ଗୋଟିଏ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ତେଣୁ ଯେଉଁ କଳାକାର ଚଳିତ ବାଲିଯାତ୍ରା ରେ କଳା ପ୍ରଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କୁ ଶେଷ ଦିନ ସୁଯୋଗ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।



