ବାଲେଶ୍ୱର: ହିନ୍ଦୁ ସନାତନ ଧର୍ମ ତଥା ଦେବଦେବୀଙ୍କ ପ୍ରତି ଉପହାସ ଆଦୌ ଗ୍ରହଣ କରାଯିବ ନାହିଁ ବୋଲି ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସଭାପତି ବିପିନ ବିହାରୀ ଦାସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶ୍ରୀ ଦାସ ନିଜର କ୍ଷୋଭ ପ୍ରକାଶ କରି କହିଥିଲେ ଯେ ରାଜ୍ୟର ୮ଟି ସ୍ଥାନରେ ଏକକାଳୀନ ମୁଦ୍ରିତ ହେଉଥିବା ଏକ ଦୈନିକ ଓଡ଼ିଆ ଖବର କାଗଜରେ, ୭ ତାରିଖ ଭୁବନେଶ୍ବର ସଂସ୍କରଣରେ ହିନ୍ଦୁଙ୍କର ପରମ ଆରାଧ୍ୟ ଦେବତା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କୁ କାନ ଧରାଇ ରାସ୍ତା ଉପରେ ଆଣ୍ଠୋଇବାର ଏକ ଚିତ୍ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ଯାହାକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ବର ଉଠିଥିଲା। ଫଳରେ ୮ ତାରିଖରେ ଏହି ଖବର କାଗଜ ଆଖିକୁ ଦେଖା ଯାଉ ନଥିବା ସ୍ଥାନରେ ସ୍ପଷ୍ଟୀକରଣ ଛାପି ଦେଇଥିଲା। ଏହାକୁ ଆମେ ଦୃଢ଼ ବିରୋଧ କରୁଛୁ। ଯେମିତି ହିନ୍ଦୁ ଦେବାଦେବୀଙ୍କୁ ବିକୃତ କରି, କାନ ଧରାଇ ପ୍ରଥମ ପୃଷ୍ଠାରେ ପ୍ରମୁଖ ସ୍ଥାନରେ ଛାପିଛ, ସେମିତି କ୍ଷମା ପ୍ରାର୍ଥନା (ସ୍ପଷ୍ଟୀକରଣ ନୁହେଁ) ମଧ୍ୟ ବଡ଼ବଡ଼ ଅକ୍ଷରରେ ଛାପନ୍ତୁ ଓ ସାରା ଓଡ଼ିଶାର ଲୋକ ଦେଖିବା ଭଳି ସବୁ ସଂସ୍କରଣରେ ଛାପନ୍ତୁ ବୋଲି କହିଥିଲେ।
ଅନ୍ୟ ଧର୍ମ ସମ୍ପର୍କରେ ସାମାନ୍ୟତମ ଭୁଲ ଛପା ହୋଇଗଲେ ସେମାନେ ଗୋଟିଏ ଗୋଟିଏ ପ୍ରେସ ପୋଡ଼ି ଦେବାକୁ ପଛାଇ ନାହାନ୍ତି, ରକ୍ତ ନଦୀ ବୁହାଇ ଦେବାକୁ ମଧ୍ୟ ପଛାଇ ନାହାନ୍ତି। ଆଉ ହିନ୍ଦୁ ଉଦାରବାଦୀ ବୋଲି କିଛି ତଥାକଥିତ ହିନ୍ଦୁମାନେ ହିଁ ଦେବଦେବୀଙ୍କୁ ବିକୃତ କରିବାକୁ ସାହସ କରୁଛନ୍ତି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏହା ବିରୋଧରେ ରାଜ୍ୟର ସବୁ ଥାନାରେ ଆମେ ଅଭିଯୋଗ କରିବୁ। ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ମଧ୍ୟ ପଛାଇବୁ ନାହିଁ ବୋଲି ଶ୍ରୀ ଦାସ ଚେତାବନୀ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦକ ମିହିର ପାଣି, ଜିଲା ସଭାପତି ଯତୀନ୍ଦ୍ର ପୁହାଣ, ଜିଲା ସଭାନେତ୍ରୀ ଶୁଭଶ୍ରୀ ଦାସ, ଜିଲା ଉପସଭାପତି ସତ୍ୟାନନ୍ଦ ଦାସ, ଜିଲା ଯୁବ ସଭାପତି ବିକାଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।



