ଭୋଗ ଖାଇ ୪୦ରୁ ଊର୍ଦ୍ଧ୍ବ ଅସୁସ୍ଥ
ବାଲେଶ୍ବର : ବାଲେଶ୍ୱର ଜିଲା ଭୋଗରାଇରେ କରୋନା କଟକଣା ନିୟମକୁ ବେଖାତିର କରାଯାଇଥିବା ଦେଖିବାକୁ ମିଳିଛି। ସମୁଦ୍ରକୂଳିଆ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ସେହି ଗାଁରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପିଲା ଓ ବୟସ୍କ ପୂଜା ଭୋଗ ଖାଇ ଅସୁସ୍ଥ ହୋଇଥିବା ଘଟଣା ଭୋଗରାଇରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ସେମାନଙ୍କ ମଧ୍ୟରୁ କେତେକ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପଶ୍ଚିମବଙ୍ଗର ଦୀଘା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ହେଲେ ଏ ବାବଦରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା. କମଳାକାନ୍ତ ଜେନାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ।
ସୂଚନା ଅନୁଯାୟୀ, ନାରାୟଣ ମହାନ୍ତି ପଡ଼ିଆ ଗାଁର ଶଙ୍କର ଦାସଙ୍କ ସ୍ତ୍ରୀ ପୁଷ୍ପିତା ଘରେ ପିଲାଙ୍କୁ ଟ୍ୟୁସନ କରିଥାନ୍ତି। ଶୁକ୍ରବାର ତାଙ୍କ ଘରେ ମନସା ମା’ଙ୍କ ପୂଜା ହୋଇଥିବାରୁ ଟ୍ୟୁସନ ପିଲାଙ୍କ ସମେତ ଗାଁର ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ସମସ୍ତେ ସନ୍ଧ୍ୟାରେ ଭୋଗ ସହିତ ପୁରି, ତରକାରୀ, ଖେଚୁଡି ଆଦି ଖାଇଥିଲେ। ବିଳମ୍ବିତ ରାତିରେ ପ୍ରାୟ ସମସ୍ତଙ୍କ ଦେହ ଖରାପ ହୋଇଥିଲା। ଝାଡା, ବାନ୍ତି, ପେଟବ୍ୟଥା ହେବାରୁ ଶନିବାର ସକାଳେ କେତେକ ଆମ୍ବୁଲାନ୍ସ ଓ ଅନ୍ୟକେତେକ ନିଜ ବ୍ୟବସ୍ଥାରେ ବିଭିନ୍ନ ଡାକ୍ତରଖାନାକୁ ଯାଇଥିଲେ। ଅସୁସ୍ଥଙ୍କ ମଧ୍ୟରୁ ଶଙ୍କର ଦାସ, ତାଙ୍କ ସ୍ତ୍ରୀ ପୁଷ୍ପିତା, ପୂର୍ବତନ ସମିତି ସଦସ୍ୟ ବନମାଳୀ ସେନାପତି, ଟ୍ୟୁସନ ପଢୁଥିବା ପିଲା ଶୁଭସ୍ମିତା ପାତ୍ର, ମଧୁସ୍ମିତା ପାତ୍ର, ଦେବସ୍ମିତା ପାତ୍ର, ଗୌତମ ରଣା, ଗାୟତ୍ରୀ ରଣା ପ୍ରମୁଖ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ସରପଞ୍ଚ ପ୍ରଦୀପ ବେହେରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି। ତେବେ କରୋନା କଟକଣା ପାଇଁ ସ୍କୁଲ ଓ ଟ୍ୟୁସନ ବନ୍ଦ ରଖିବାକୁ ସରକାର କଡା ନିର୍ଦ୍ଦେଶନାମା କରିଛନ୍ତି। ବିଶେଷ କରି ଛୋଟ ପିଲାମାନଙ୍କୁ କୌଣସି କାର୍ଯ୍ୟକ୍ରମରେ ସାମିଲ ନକରିବା ପାଇଁ ମଧ୍ୟ ନିୟମ ହୋଇଛି। ତେବେ ଟ୍ୟୁସନ ଶିକ୍ଷକ କୋଭିଡ-୧୯ ନିୟମକୁ ଉଲ୍ଲଙ୍ଗନ କରି ପିଲାଙ୍କୁ ପାଠ ପଢାଇବା ଓ ଘରକୁ ଡାକି ଖାଇବାକୁ ଦେବା ସମ୍ପୂର୍ଣ୍ଣ ବେଆଇନ ବୋଲି ସାଧାରଣରେ ଆଲୋଚନା ହେଉଛି।
Comments are closed.