ଲୋୟର ସୁକତେଲକୁ ଆଉ ଏକ ଝଟ୍‍କା, କେନ୍ଦ୍ରୀୟ ଯୋଜନାରୁ ବାଦ ପଡ଼ିଲା ପ୍ରକଳ୍ପ!

ଚର୍ଚ୍ଚାରେ ସାଂସଦ ସଙ୍ଗୀତାଙ୍କ ଚିଠି, ଉତ୍ତର ରଖିବେ କି ଜିଲାପାଳ

ବଲାଙ୍ଗିର: ବଲାଙ୍ଗିର ଜିଲା। ଏକ ମରୁଡି ପ୍ରଭାବିତ ଅଞ୍ଚଳ ଭାବେ ଜଣାଣୁଣା। ଜିଲାର ଦାଦନ ସମସ୍ୟା ଦେଶରେ ଚର୍ଚ୍ଚିତ ପ୍ରସଙ୍ଗ। ଅନାହାର ମୃତ୍ୟୁ, ଶିଶୁ ବିକ୍ରି ପାଇଁ ଏ ଅଞ୍ଚଳ ମୁଣ୍ଡାଏ ଅପବାଦ। ବିକାଶ ତୁଳନାରେ ପଛୁଆର ମାନଚିତ୍ର କୁହାଯାଉଥିବା ଏହି ଅଞ୍ଚଳକୁ ଅତୀତରେ ସ୍ୱର୍ଗତ ରାଜୀବ ଗାନ୍ଧୀ, ନରସିଂହ ରାଓ ଓ ଏଚ୍‍ଡି ଦେବଗୌଡା ଆସିଛନ୍ତି। ଅଞ୍ଚଳର ଦାରିଦ୍ରତା, ଭୁକମରିକୁ ଆଖି ଆଗରେ ଦେଖିଛନ୍ତି। ଦେଶର ଏହି ସୁଷ୍କ ଅଞ୍ଚଳକୁ ଅନେକ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କମିଟି ଜିଲାର ଏହି ଦୟନୀୟ ସ୍ଥିତିକୁ ଅନୁଭବ କରିଛନ୍ତି। ଜାତୀୟ, ଆନ୍ତର୍ଜାତୀୟ ଗଣମାଧ୍ୟମର ଖବର ଶିରୋନାମା ପାଲଟିଛି ଏହି ଅଞ୍ଚଳକୁ ନେଇ ଲିଖିତ ବହୁ ପୁସ୍ତକ ଏ ଅଞ୍ଚଳର ଅସହାୟତାକୁ ଜଳ ଜଳ କରି ଦେଖାଇ ଦେଇଛି। ଅନେକ ବିଶେଷଜ୍ଞ ମତ ରଖିଥିଲେ ଜିଲାର ଏହି ଅଞ୍ଚଳ ଏକ ବିଶେଷ ମରୁଭୂମିରେ ପରିଣତ ହେବ। ଜିଲାବାସୀ ନିରାଶରେ ଭାଙ୍ଗିପଡ଼ି ଥିଲେ। ସେହି ସମୟରେ ଲୋୟର ସୁକତେଲ ଓ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜିଲାବାସୀଙ୍କୁ ସଞ୍ଜୀବନୀ ସଦୃଶ ଆଶା ଓ ବଞ୍ଚିବା ପାଇଁ ରାହା ଦେଖାଇଥିଲା। ବର୍ତ୍ତମାନ ଲୋୟର ଇନ୍ଦ୍ର ପ୍ରକଳ୍ପ ବାସ୍ତବତାର ରୂପ ନେବାକୁ ଥିବା ବେଳେ ଲୋୟର ସୁକତେଲ ସମସ୍ତ କେନ୍ଦ୍ରୀୟ ଯୋଜନାରୁ ବାଦ ପଡ଼ି ମହାନଦୀ ବିବାଦରେ ଛନ୍ଦି ହୋଇଛି।

ବଲାଙ୍ଗିର ଜିଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପକୁ ବାସ୍ତବତାର ରୂପ ଦେବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ବଲାଙ୍ଗିର ଜିଲାବାସୀ ଆନ୍ଦୋଳନ କରିଛନ୍ତି। ବିଭିନ୍ନ ସାମାଜିକ ସଙ୍ଗଠନ ଆଗକୁ ଆସିଛନ୍ତି। ବଲାଙ୍ଗିର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ, ଧାରଣା, ବିକ୍ଷୋଭ ତଥା ବନ୍ଦ ପାଳନ କରାଯାଇଛି। ପ୍ରକଳ୍ପରେ ପ୍ରଭାବିତ ଲୋକଙ୍କ ଆନ୍ଦୋଳନ ଠାରୁ ପ୍ରକଳ୍ପର ସପକ୍ଷବାଦୀଙ୍କର ଆନ୍ଦୋଳନ ଅଧିକ ରହି ଆସିଛି। ଅବିଭକ୍ତ ବଲାଙ୍ଗିର ଜିଲାର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ପ୍ରଶ୍ନରେ ସମସ୍ତ ପ୍ରକାର କେନ୍ଦ୍ରୀୟ ଯୋଜନାରୁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ବାଦ ପଡ଼ିବା ଜଣାପଡ଼ିଛି। ଦେଶର ୯୯ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ମଧ୍ୟରେ ଓଡିଶାର ୮ଟି ଜଳସେଚନ ପ୍ରକଳ୍ପ ରହିଛି। ଏହି ୮ଟି ପ୍ରକଳ୍ପରେ ଲୋୟର ସୁକତେଲ ପ୍ରକଳ୍ପର ନାଁ ନଥିବା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ରତନ ଲାଲ କଟାରିଆଙ୍କ ଉତ୍ତରରୁ ଜଣାପଡ଼ିଛି। ଜଳ ଶକ୍ତି ମନ୍ତ୍ରୀ ଶ୍ରୀ କଟାରିଆ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲୋୟର ସୁକତେଲ ପ୍ରକଳ୍ପ ଆଶାଜନକ ଭାବେ ଅଗ୍ରଗତି ହୋଇ ନାହିଁ। ଏହା ସହ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଏହି ପ୍ରକଳ୍ପ ବାଦ ପଡ଼ିଥିବା କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି। ହେଲେ ଗତ ଫେବୃଆରୀ ୩ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ ପାଣ୍ଡିଆନ, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ଡବ୍ଲ୍ୟୁଡିସିର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବଲାଙ୍ଗିର ଜିଲା ଗସ୍ତରେ ଆସିଥିଲେ। ଏହି ଉଚ୍ଚସ୍ତରୀୟ କମିଟି ଜିଲାର ନିର୍ମାଣଧୀନ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରିବା ସହ ପ୍ରକଳ୍ପର ନିର୍ମାଣ କାମ ଅନୁଧ୍ୟାନ କରିଥିଲେ। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଏହାର ସମୀକ୍ଷା କରିଥିଲେ। ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ଲୋକଙ୍କ ପାଇଁ ବିସ୍ଥାପନ ପ୍ୟାକେଜ, ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଆଲୋଚନା କରିଥିଲେ।

ଲୋୟର୍‍ ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ରରୁ ସହୟତା ଆସୁଥିବା ବେଳେ ରାଜ୍ୟ ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଅନୁଦାନ ବନ୍ଦ ହୋଇଯିବା କଥା ସାମ୍ନାକୁ ଆସିବା ପରେ ବଲାଙ୍ଗିର ସହରର ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏପରିକି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି। ଦୀର୍ଘ ବର୍ଷେ ୪ ମାସ ହେଲା କଥା ଲୁଚି ରହିଥିଲା। ଏବେ ବଲାଙ୍ଗିର ସାଂସଦ ଶ୍ରୀମତୀ ସିଂହଦେଓଙ୍କ ସାଂସଦରେ କଥା ଉଠେଇବା ଫଳରେ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା ସ୍ପଷ୍ଟ ବାରି ହୋଇ ପଡୁଛି। ଆଉ ସବୁକଥାରେ ଆଗ ମୁହାଁ ହେଉଥିବା ଜିଲାପାଳ ଚଞ୍ଚଳ ରାଣା ଏନେଇ ଗଣମାଧ୍ୟମକୁ ଦୋଷ ଲଦିବେ ନା କାହାକୁ ନିନ୍ଦିବେ ତା’ ଉପରେ ସମସ୍ତଙ୍କ ଆଖି।

Comments are closed.