www.samajalive.in
Tuesday, December 9, 2025
17.1 C
Bhubaneswar

ହଲଦୀ ଗାଁରୁ ସାଧୁରାମଙ୍କ ଅଯୋଧ୍ୟା ଯାତ୍ରା ; ‘୧୯୯୦ ମସିହାରେ କାରସେବାରେ ଯାଇ ଗୁଳି ଖାଇଥିଲେ’

ବଲାଙ୍ଗିର : ୧୯୯୦ ମସିହାର କଥା। ସେ ଦିନ ଥିଲା ଅକ୍ଟୋବର ୧୯ ତାରିଖ। ବଲାଙ୍ଗିର ଜିଲା ଟିଟିଲାଗଡ ରେଲ ଷ୍ଟେସନରୁ ଟ୍ରେନ ଚଢିଥିଲେ ୪ ଜଣ ସାଙ୍ଗ। ସେଥିରେ ଥିଲେ ମୁରିବାହାଲ ବ୍ଲକ ହଲଦୀ ଗାଁର ସାଧୁରାମ ପାଣିଗ୍ରାହୀ। ସେ ସମୟରେ ବୟସ ମାତ୍ର ୨୧ ହେଉଥିଲା। ନିଜ ହଲଦୀ ଗାଁରୁ ସାଧୁରାମଙ୍କ ଅଯୋଧ୍ୟା ଯାତ୍ରା ବେଶ ରୋମାଞ୍ଚକ,ସଂଘର୍ଷମୟ। ଆଜକୁ ଗଲା ୩୦ ବର୍ଷ ଘଟଣା ମନେ ପଡିଲେ ଆଜି ବି ଗର୍ବରେ ତାଙ୍କ ଛାତି ଫୁଲି ଯାଏ। ୧୯୯୦ ମସିହାରେ କାରସେବାରେ ଯାଇ ପୁଲିସର ବନ୍ଧୁକ ମନୁରୁ ବାହାରିଥିବା ୨ ଗୁଳି ତାଙ୍କ ଶରୀରରେ ଭେଦ କରିଥିଲା। ତାଙ୍କ ଦୃଢ ଆତ୍ମ ବିଶ୍ୱାସ ଓ ସେବା ଓ ତ୍ୟାଗ ତାଙ୍କୁ ଆଜି ଯାଏଁ ଜୀବିତ ରଖିଥିବା ସେ କୁହନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏ ନେଇ ସେ ଦିନର ସଂଘର୍ଷ କଥା ଦୈନିକ ଖବର କାଗଜ ‘ସମାଜ’କୁ ତାଙ୍କ ଅନୁଭୂତି କହିଛନ୍ତି।

ରାମ ମନ୍ଦିର ଶିଳାନ୍ୟାସ ପାଇଁ ଦିନ ଓ ସମୟ ଧାର୍ଯ୍ୟ ହୋଇ ସାରିଥାଏ। ଯଥା ସମୟରେ ପହଞ୍ଚିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାମାନଙ୍କୁ ସୂଚନା ଆସିଥାଏ। ହାତରେ ଖୁବ ଅଳ୍ପ ସମୟ ଥିବା ବେଳେ ସଦୂର ଅଯୋଧ୍ୟାକୁ ଠିକଣା ସମୟରେ ପହଞ୍ଚିବାକୁ ସମସ୍ତେ ତରତର ହେଉଥାନ୍ତି। ଟିଟିଲାଗଡ ରେଲ ଷ୍ଟେସନରୁ ଆରମ୍ଭ ହୋଇଥିବା ଯାତ୍ରା ରାୟପୁର ଯାଏଁ ଓ ପରେ ଅକ୍ଟୋବର ୨୧ ତାରିଖରେ ବାରଣାସୀ ପହଞ୍ଚିଥିଲେ ଚାରି ସାଙ୍ଗ। ଅକ୍ଟୋବର ୨୨ ଓ ୨୩ ସେଠାରେ ରହଣୀ ପରେ ଚାରିଙ୍କ ମଧ୍ୟରୁ କାହାରି ପାଖରେ ସଠିକ ଯାତ୍ରା ଓ ରାସ୍ତାର ବିବରଣୀ ନଥିବାରୁ ବେଶ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୨୩ ତାରିଖ ସକାଳୁ ଆରମ୍ଭ ହେଲା ପଦଯାତ୍ରା। ୩୪୯ କିମି ଯାଏଁ ପାଦରେ ଚାଲି ଚାଲି ଯାଇ ପ୍ରାୟ ୬ ଦିନ ପରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ ହେଁ ରାସ୍ତାରେ ଜଣେ ବନ୍ଧୁଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଆଉ ଦୁଇ ଜଣଙ୍କୁ ସେ ବାଟରେ ଉଭୟେ ଉଭୟଙ୍କୁ ଭିଡ ଭିତରେ ହାତ ଛାଡି ଦେଇଥିଲେ। ଅକ୍ଟୋବର ୩୦ ତାରିଖ ସକାଳ ୯ଟା ପୂର୍ବରୁ ସେଠାରେ ସାଧୁରାମ ପହଞ୍ଚି ଅନ୍ୟମାନଙ୍କ ପରି କାରସେବାରେ ଭାଗ ନେଇଥିଲେ। ପ୍ରଥମ ଦିନ ୬ଟି ଇଟାର କାମ ହୋଇଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ରାମ ମନ୍ଦିର ସ୍ଥଳକୁ ପହଞ୍ଚି ପାରିଥିଲେ। କିନ୍ତୁ ଏହାରି କିଛି ସମୟ ମଧ୍ୟରେ ଲାଠି ଚାଳନା ହୋଇଥିଲା। ସେଠି ମଧ୍ୟ ଅନ୍ୟମାନଙ୍କ ଭଲି ସେ ଲାଠି ପାହାର ଖାଇଥିଲେ। ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖ ପରେ ପରେ ୧୯୯୦ ମସିହା ନଭେମ୍ବର ୨ ତାରିଖରେ ପୁଣି କାରସେବା ଆରମ୍ଭ ହୋଇଥିଲା। ଯେଉଁ ରାସ୍ତାରେ ସାଥୀଙ୍କ ସହ ଯାଇଥିଲେ କେହି କିଛି ବୁଝିବା ଆଗରୁ ପୁଲିସ ଆଖିବୁଜା ଗୁଳି ଚଳେଇଥିଲା। ତାଙ୍କ ଆଖି ସାମ୍ନାରେ ଜଣେ ଟଳି ପଡିଥିବା ବେଳେ ତାଙ୍କୁ ସୁରକ୍ଷା ବୋକୁ ଯାଇ ଅଟକି ଯାଇଥିଲେ। ଦେହ ସାରା ରକ୍ତ। ଏତିକି ବେଳେ ତାଙ୍କୁ ମଧ୍ୟ ସେଠାରେ ୨ଟି ଗୁଳି ବାଜିଥିଲା। ଗୋଟେ ତାଙ୍କ ପିଠିରେ ଓ ଅନ୍ୟଟି ତାଙ୍କ ବାମ କାନ୍ଧରେ। ସେ ମଧ୍ୟ ଘଟଣାସ୍ଥଳରେ ଟଳି ପଡିଥିଲେ। ପ୍ରାୟ ଗୋଟିଏ ଦିନ ତାଙ୍କ ଚେତା ଫେରିନଥିବା ବେଳେ ସେ ଜଣିଲା ବେଳକୁ ତାଙ୍କ ଅପରେସନ ହୋଇସାରିଥିଲା। ଗୁଳି ବାଜିଲା ପରେ କିଏ କେମିତି ତାଙ୍କୁ ଉଦ୍ଧାର କଲା ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲା କିଛି ଜାଣି ପାରିନଥିଲେ। କିଛି ଦିନ ସେଠିକାର ଡାକ୍ତରଖାନାରେ ରହିଲା ପରେ ପୁଣି ବଲାଙ୍ଗିରକୁ ସେଠାରୁ ପଠେଇବାର ବ୍ୟବସ୍ଥା କରିଥିଲେ। ପ୍ରାୟ ୪ /୫ ମାସର ଚିକିତ୍ସା ପରେ ସେ ଠିକ ହୋଇଥିଲେ।
ବର୍ତ୍ତମାନ ଟିଟିଲାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ ସହାୟକ ଭାବେ କାମ କରୁଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦର ଟିଟିଲାଗଡ ଜିଲା ସାଙ୍ଗଠାନିକ ଉପ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଜଣେ ସାମାଜିକ କର୍ମୀ ଭାବେ ମଧ୍ୟ ସାମୁହିକ ସମସ୍ୟା, ଦୁଃଖୀ, ଦରିଦ୍ର ଅସହାୟ ଲୋକଙ୍କ ସେବା କାର୍ଯ୍ୟ କରି ଆସୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟକାରୀ ହେଉଥିବା ମନ୍ଦିର ନିର୍ମାଣ କାର୍ଯ୍ୟ ତଥା ଭୂମିପୂଜନକୁ ନେଇ ଭାରତ ବର୍ଷର ଏକ ଅବିଶ୍ମରଣୀୟ ଦିନ ହୋଇ ରହିବ ବୋଲି ସେ ମତ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories